ଗୋରେଖନାଥଙ୍କୁ ଜଳଲାଗି କଲେ ୫୦ ହଜାରରୁ ଉର୍ଦ୍ଧ୍ବ କାଉଡ଼ିଆ।
ରଘୁନାଥପୁର:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କେରେକେରା ସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥଙ୍କୁ ୫୦ ହଜାରରୁ ଉର୍ଦ୍ଧ୍ଵ କାଉଡ଼ିଆ ଜଳଲାଗି କରିଥିବାର ବରିଷ୍ଠ କମିଟି ସଦସ୍ୟ ପ୍ରମୋଦ କୁମାର ମହାନ୍ତି ପ୍ରକାଶ କରିଛନ୍ତି।ଶ୍ରାବଣ ମାସ ତୃତୀୟ ସୋମବାରରେ ପ୍ରଭୁଙ୍କୁ ଜଳଲାଗି ପାଇଁ କାଉଡ଼ିଆମାନଙ୍କ ରବିବାର ସକାଳୁ ପୀଠକୁ ଆଗମନ ହୋଇଥିଲା। ପୂର୍ବାହ୍ନରୁ ଶ୍ରଦ୍ଧାଳୁ ମାନସିକଧାରୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥିଲା।ସନ୍ଧ୍ୟା ସୁଧା ପୀଠ ପରିସରରେ ଖୁଦ ପକାଇବାକୁ ଜାଗା ମିଳିନଥିଲା।ପୀଠକୁ ଆସୁଥିବା ହଜାର ହଜାର କାଉଡ଼ିଆ ତାରପୁର ବାଇପାସ ଠାରୁ ଜଇପୁର ଛକ ମଧ୍ୟରେ ବିଭିନ୍ନ ସ୍ଥାନରେ ଅଟକି ରହି ବିଶ୍ରାମ ନେଇଥିଲେ।ପୁନଃ ମଧ୍ୟରାତ୍ରରୁ ନିତ୍ୟକର୍ମ ସାରି ସେମାନେ ପୀଠ ଆଭିମୁଖ୍ୟ ଯାତ୍ରା କରିଥିଲେ।ମୁଖ୍ୟ ରାସ୍ତାରୁ ପୀଠକୁ ଆସିବାକୁ ଥିବା ଉଭୟ ପାର୍ଶ୍ଵ ରାସ୍ତାରେ ପ୍ରତି ମୁହୂର୍ତ୍ତରେ ଟ୍ରାଫିକ ଜାମ ପରିସ୍ଥିତି ସୃଷ୍ଟି ହୋଇଥିଲା।ଶତାଧିକ ଯାନବାହାନ ରାସ୍ତା ଉପରେ ଫସି ରହିଥିବାର ଦେଖାଯାଇଥିଲା।ଆବଶ୍ୟକ ସଂଖ୍ୟକ ପୋଲିସ ମୃତୟନ ନଥିବାରୁ ଭିଡକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇନଥିଲା।ଫଳରେ ସାଧାରଣଜନତା ଅସୁବିଧାରେ ସମ୍ମୁଖିନ ହୋଇଥିଲେ।କାଉଡିଆଙ୍କ ରହଣି ପାଇଁ ପୀଠ ପରିସରରେ ଟେଣ୍ଟ ଓ ପାଣିଭାର ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।ଏହାଛଡା ଫାଷ୍ଟେଡ ବ୍ୟବସ୍ଥା,ପର୍ଯ୍ୟାପ୍ତ ପାନୀୟଜଳ, ଆଲୋକିକରଣ ଓ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା ହୋଇଥିଲା। ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପୀଠ ପ୍ରଶାସନ ଓ ପୋଲିସ ସହଯୋଗରେ ରାତି ୧୨ ଟା ୩୦ ରୁ ପ୍ରଭୁଙ୍କ ପହୁଡ଼ ଖୋଲିବା ପରେ କାଉଡ଼ିଆମାନେ ବ୍ୟାରିକେଡରେ ଆସି ପ୍ରଭୁଙ୍କୁ ଜଳଲାଗି କରିଥିଲେ।ପୋଲିସ ଓ ସେଛାସେବିମାନେ ଉପସ୍ଥିତ ରହି ଶୃଙ୍ଖଳିତ ଜଳଲାଗିର ବ୍ୟବସ୍ଥା କରିଥିଲେ।ତିର୍ତ୍ତୋଲ ତହସିଲଦାର ମହେଶ୍ବର ବେହେରା ଓ ଅତିରିକ୍ତ ତହସିଲଦାର ତପସ୍ଵିନୀ ନାୟକ ମାଜିଷ୍ଟ୍ରେଟ ଦାୟୀତ୍ୱରେ ରହିଥିଲେ।ପୀଠକୁ ଲାଗି ୮ ଟି ସେଛାସେବି ସଂସ୍ଥା ପକ୍ଷରୁ ଆଗନ୍ତୁକ କାଉଡିଆଙ୍କ ପାଇଁ ମାଗଣା ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା।ତିର୍ତ୍ତୋଲ ଆଇଆଇସି ପ୍ରଦୀପ୍ତ କୁମାର ସେଠି ଓ ରଘୁନାଥପୁର ଆଇଆଇସି ସୁଶାନ୍ତ କୁମାର ସେଠି ବିଭିନ୍ନ ସ୍ଥାନରେ ରହି ପାଣିଢଳା ପର୍ବକୁ ପରିଚାଳିତ କରିଥିଲେ।କମିଟି ସଦସ୍ୟ ମହାନ୍ତି, ଗ୍ରାମ୍ୟ କମିଟି ପକ୍ଷରୁ ଆଇନଜୀବି ଜୀବନ ବଲ୍ଲଭ ମହାନ୍ତି ଓ କର୍ମଚାରୀ ସରୋଜ କୁମାର ସାହାଣୀ ଏଥିରେ ପୁର୍ଣ୍ଣ ସହଯୋଗ କରିଥିଲେ।ଅସମ୍ଭବ ଭିଡ ଯୋଗୁଁ ପ୍ରଭୁଙ୍କ ସମ୍ମୁଖରୁ ଅଫିସ ପର୍ଯ୍ୟନ୍ତ ଥିବା ବ୍ୟାରିକେଡ଼କୁ ଖୋଲିଦିଆଯାଇଥିଲା।ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଜଳଲାଗି ପାଇଁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିଲା।ଶୃଙ୍ଖଳାର ସହ ଜଳଲାଗି ଉତ୍ସବ ଶେଷ ହୋଇଥିବାବେଳେ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ପାଇଁ ଦୁଇଦିନ ଲାଗିବ ବୋଲି କମିଟି କର୍ମକର୍ତ୍ତାଙ୍କ ଠାରୁ ପ୍ରକାଶ।ଅନୁକୂଳ ପାଗ ତଥା ବହୁ ସଂଖ୍ୟାରେ ଭକ୍ତଙ୍କ ଆଗମନ ହେତୁ ଚତୁର୍ପାର୍ଶ୍ୱରେ ଥିବା ବ୍ୟବସାୟୀମାନେ ରାତି ଉଜାଗର ରହି ବେଶ ଦିପଇଶା ରୋଜଗାର କରିଥିଲେ।
