ମୋ ଭାଷା ଓଡ଼ିଆ ଭାରି ବଢ଼ିଆ
ମୋ ଭାଷା ଓଡ଼ିଆ ଭାରି ବଢ଼ିଆ
✍️କବିରତ୍ନ ନୂତନ କୁମାର ବେହେରା
ମୁଁ ଓଡି଼ଆ ମୋ ଭାଷା ଓଡି଼ଆ ଭାରି ବଢି଼ଆ
ଆଗକୁ ବଢି଼ବାକୁ କରେ ସଂଗ୍ରାମୀ ଲଢୁଆ
ମୋ ମାତୃଭାଷା ଓଡ଼ିଆ ମୋ ହୃଦୟର ସ୍ପନ୍ଦନ
ଅଶେଷ ଆଗ୍ରହ ଉତ୍ସାହ ପ୍ରେରଣାର ଇନ୍ଧନ
ଶକତି ଦିଏ ମୋତେ ଗଢ଼ିବାକୁ ମୋ ଜୀବନ
ମୋ ପାଇଁ ଅକ୍ଷୟ ଭଣ୍ଡାରର ଅମୂଲ୍ୟ ରତନ
ଭାବ ଆଣିଦିଏ ହୃଦୟରେ ନିଏ ମୋ ଯତନ
ସ୍ପନ୍ଦନରୁ ତାର ଅସରନ୍ତି ଭାବ ହୁଏ ଜାତ
ଭାଷା ଅତୀତର ଐତିହ୍ୟ ଭାଷା ହିଁ ଭବିଷ୍ୟତ
ଶ୍ରମ ସାଧନାର ଲକ୍ଷ୍ୟପଥେ କରେ ଅନୁପ୍ରେରିତ
ପବିତ୍ର ଭାବ ପ୍ରକାଶ କରେ ମୋ ଓଡ଼ିଆ ଭାଷା
ଆଖିରେ ଆଣେ ସ୍ଵପ୍ନ ମନେ ଭରିଦିଏ ଆଶା
ମୋ ଭାଷା ଓଡ଼ିଆରେ କରି ଭାବ ବିନିମୟ
ମନ ସାଥେ ମନ ମିଶାଇ ରଖେ ସମନ୍ଵୟ
ରଖେ ସଂସାରରେ ସବୁରି ସାଥେ ସୁସଂପର୍କ
ମୋ ଓଡ଼ିଆ ଭାଷାର ବିଶ୍ବେ ରହିଛି ଟେକ
ଭାଷା ସାହିତ୍ୟକୁ ଭୁଲି ବଞ୍ଚି ପାରେନା ଜାତି
ଭାଷାର ବଳେ ସମୃଦ୍ଧଶାଳୀ ହୁଏ ସଂସ୍କୃତି
ଭାଷା ଓଡ଼ିଆ ଅଟଇ ଆମ ମା’ ସାହା ଭରସା
କୋଟି କୋଟି ଓଡ଼ିଆଙ୍କର ଘୁଞ୍ଚାଏ ଦୁର୍ଦ୍ଦଶା
ବ୍ୟକ୍ତିତ୍ଵର ପ୍ରକାଶେ ଜାଗ୍ରତ କରେ ପ୍ରତିଭା
ମାତୃଭାଷା ଜାତିର ମାନ ବଢ଼ାଏ ଶୋଭା
ଆଣିଦିଏ ସମାଜରେ ଏକ ସ୍ଵତନ୍ତ୍ର ପରିଚୟ
ଆକାଶ ପରି ତା’ ଶାନ୍ତ ଉଦାର ହୃଦୟ
ଭାଷାର ବଳେ ସମୃଦ୍ଧଶାଳୀ ହୁଅଇ ରାଜ୍ୟ
ବିଶ୍ଵ ଦରବାରେ ପ୍ରଶଂସା ପାଇ ହୁଏ ପୂଜ୍ୟ
ବଢାଏ ଆମ ଗର୍ବ ଗୌରବ ସଂସ୍କୃତି ଖ୍ୟାତି
ପ୍ରଚାରେ ପ୍ରସାରେ ଆମ ଆଦର୍ଶ ନ୍ୟାୟ ନୀତି
ମଧୁର କଣ୍ଠେ ଗାଇ ଏ ଜାତି ତା’ ଜୟଗୀତି
ଭାଷା ଆମ ସ୍ଵାଭିମାନ ଆମ ମାନ ସମ୍ମାନ
ଆମ ଓଡ଼ିଆ ସାହିତ୍ୟର ଯେତେ ଶାସ୍ତ୍ର ପୁରାଣ
ରଚି଼ଛନ୍ତି ଯା’ ମାଟି ମାଆର ଯୋଗ୍ୟ ସନ୍ତାନ
ଲାଳିତ୍ୟଭରା କାବ୍ୟ କବିତାର ସାହିତ୍ୟ ଦର୍ଶନ
ସବୁରେ ରହିଛି ଓଡ଼ିଆ ଜାତିର ହୃଦ୍ ସ୍ପନ୍ଦନ
ଆଶାକୁ ମୋ ଭାଷା ଓଡ଼ିଆ କରେ ପୂରଣ
ମୋ ଭାଷା ମୋ ସ୍ପନ୍ଦନ ରଖିଛି ଜାତିର ସମ୍ମାନ
ଭାଷାର ଉନ୍ନତି ଆଣିଦିଏ ଜାତିର ପ୍ରଗତି
ମୋ ଭାଷା ଆଗେ ଭକ୍ତି ଚିତ୍ତେ ଢାଳେ ପ୍ରଣତି
ମାନବ ସମାଜେ ରହୁ ଅମ୍ଳାନ ଜାଜ୍ଜଲ୍ୟମାନ
ତା’ ସୁରକ୍ଷା ଲାଗି ରହୁ ମୋର ବିଶେଷ ଧ୍ୟାନ
ଓଡ଼ିଆ ଭାଷା କରୁଥାଉ ଜଗତର କଲ୍ୟାଣ
ପ୍ରତିଟି ହୃଦୟରେ ଆଣିଦେଉ ନବ ଜାଗରଣ
ଓଡ଼ିଆ ଦାୟଦମାନେ ହୁଅନ୍ତୁ ଦକ୍ଷ ପଢ଼ୁଆ
ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ ଭାରି ବଢ଼ିଆ।
କୋହି,ବାରିପଦା,ମୟୂରଭଞ୍ଜ।
