ନାହାକା ଚକଅଖ ପ୍ରସ୍ତୁତି ଯୋରଦାର ,ଭଉଁରୀ ଦିନ ଚକ ଅଖ ଡେରା ହେବ

ପୁରୀ,୧୫/୫-ରଥଖଳା ଏବେ ଚଳଚଞ୍ଚଳ ହୋଇଉଠିଛି । ୧୯ ତାରିଖ ସୋମବାର ଭଉଁରୀ ଦିନ ନାହାକା ଚକଅଖ ସଂଯୁକ୍ତ କରାଯାଇ ଡେରା ଯିବ । ଏଥିପାଇଁ ଅଖ ସାଇଜକାମ ଯୋରସୋର ଚାଲିଛି । ରଥଖଳାର ତିନିବାଡରେ ନାହାକା ଚକ କାମ ଶେଷ ହୋଇଛି । ନାହାକା ଚକର ତୁମ୍ବରେ ଅର ବାଡିଆ ପରେ ପଇ ସଂଯୁକ୍ତ କରାଯାଇଛି । ତୁମ୍ବ ବଳା ଲଗାଯାଇଛି । ଅଖ ପ୍ରବେଶ ପାଇଁ ତୁମ୍ବ ଖୋଲାଯାଇ ପନ୍ଦାରୀ ବାଡିଆ ହୋଇଛି । ଅନ୍ୟପକ୍ଷରେ ୪୨ ଗୋଟି ଚକ କାମ ଚକ ନିର୍ମାଣ ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ଯନ୍ତା ଗାଡରେ ତୁମ୍ବ ସହ ଅର ସଂଯୋଗ ପାଇଁ କାଠ ପିଟଣା କାମ ଶେଷ ପର୍ଯ୍ୟାୟରେ । ତୁମ୍ବରେ ଅର ସଂଯୋଗ ହେବା ପରେ ଅରକୁ ଟାଇଟ କରାଯାଇ ଅରକଣ୍ଟା ବାଡିଆ ଯାଇଛି ।

ଅରରେ ପଇ ସଂଯୋଗ କରାଯାଇ ବିଲେଇ ବାଡିଆ କାମ ଚାଲୁ ରହିଛି । ଗୋଟିଏ ତୁମ୍ବରେ ୧୬ ଯୋଡା ବିନ୍ଧ ହୋଇଛି । ଦୁଇଟି ବିନ୍ଧରେ ଗୋଟିଏ ଅର ସଂଯୁକ୍ତ କରାଯାଇଛି । ଗୋଟିଏ ଚକରେ ଆଠଟି ଅର ଲାଗିଛି । ୪୨ଟି ଚକରେ ୩୩୬ଟି ଅର ସଂଯୁକ୍ତ କରାଯିବା କାର୍ଯ୍ଯ ଚାଲୁ ରହିଛି । ରୂପକାର ସେବକ ମାନେ ନୃସିଂହ ଚତୁର୍ଦ୍ଦଶୀ ଠାରୁ କୋଣ ଗୁଜରେ ନୃସିଂହ ବିରାଳ ଖୋଦେଇ କାର୍ଯ୍ଯ କରୁଛନ୍ତି ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଅରକଣ୍ଟା, ପନ୍ଦାରୀ, ତୁମ୍ବ ବଳା କାମ ଚାଲୁରହିଛି । ବିଶ୍ବକର୍ମା ମହାରଣା, ଭୋଇସେବକ, ରୂପକାର ସେବକ, ଓଝା ସେବକ ମାନେ ନିଷ୍ଠାର ସହ କାମ କରୁଛନ୍ତି । ଜୁନ ୨୭ରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ୨୬ ତାରିଖ ଦିନ ତିନିରଥ ଦକ୍ଷିଣମୋଡ କରାଯାଇ ସିଂହଦ୍ଵାରରେ ଲାଗିବ ।

Leave a Reply

Your email address will not be published. Required fields are marked *