ଓଡ଼ିଶାରେ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ବୈଠକ
ରାଜ୍ୟରେ ଜନଜାତି ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବାକୁ ଗୁରୁତ୍ୱଭୁବନେଶ୍ୱର, ୫ ଜାନୁଆରୀ ୨୦୨୬ : ଆଜି ଲୋକସେବା ଭବନସ୍ଥିତ ବୈଠକ ଗୃହରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସହ ଜାତୀୟ ଅନୁସୂଚିତ ଜନଜାତି କମିଶନ(ଏନସିଏସଟି)ଙ୍କ ସଦସ୍ୟା ଡଃ. ଆଶା ଲାକ୍ରାଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କମିଶନର ସଦସ୍ୟା ଉପସ୍ଥିତ ରହି ଅନୁସୂଚିତ ଜନଜାତିଙ୍କ ନିମନ୍ତେ ଓଡ଼ିଶା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ରାଜ୍ୟ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ,ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀ ବି.ପରମେଶ୍ୱରନ ଏବଂ ଏହି ବିଭାଗ ସମେତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଜନଜାତି ସମୁଦାୟଙ୍କ ନିମନ୍ତେ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ଯୋଜନା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଛନ୍ତି । ବୈଠକରେ ବିଶେଷ କରି ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି କମିଶନ ସଦସ୍ୟ । ଏଥିରେ ଜନଜାତି ଛାତ୍ରଛାତ୍ରୀଙ୍କ ନିମନ୍ତେ ଗୁଣାତ୍ମକ ଆବାସିକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବାଳିକା ହଷ୍ଟେଲରେ ମହିଳା ମାଟ୍ରନ, ପାଚେରୀ ନିର୍ମାଣ, ଶୌଚାଳୟ ନିର୍ମାଣ ଆଦିକୁ ଗୁରୁତ୍ୱ ଦିଆଯାଇଛି । ସେହିପରି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଆଶ୍ରମ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ସେବାଶ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି । ଏଯାବତ୍ ବିଭାଗ ଅଧିନରେ ୧୭୬୫ ସ୍କୁଲ କାର୍ଯ୍ୟ କରୁଛି ।

ଏଥିସହ ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ଜଙ୍ଗଲ ଅଧିକାରରେ ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ବିଭାଗୀୟ ସଚିବ ଅବଗତ କରାଇଛନ୍ତି । ସେ କହିଛନ୍ତି, ଅକ୍ଟୋବର ୨୦୨୫ ସୁଦ୍ଧା ୭.୩୨ ଲକ୍ଷ ବ୍ୟକ୍ତିଗତ ଜଙ୍ଗଲ ଜମି ଅଧିକାର ଆବେଦନ ଗ୍ରହଣ କରାଯାଇଥିବା ବେଳେ ୪.୬୪ ଲକ୍ଷ ବ୍ୟକ୍ତିଗତ ଜଙ୍ଗଲ ଜମି ଅଧିକାର ପ୍ରଦାନ କରାଯାଇଛି । ସେହିପରି ନାଗରିକ ଅଧିକାର ସୁରକ୍ଷା ଆଇନ, ୧୯୫୫ ଏବଂ ଏସସି/ଏସଟି (ଅତ୍ୟାଚାର ନିବାରଣ) ଆଇନ, ୧୯୮୯ ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଛି । ଏଥିସହ ପେସା ଆଇନକୁ ନେଇ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଛି । ପେସା ଆଇନ୍ କୁ କାର୍ଯ୍ୟକାରୀ କରିବାରେ ଜନଜାତି ଗୋଷ୍ଠୀଙ୍କୁ ସାମିଲ୍ କରିବା ନେଇ କମିଶନ ଗୁରୁତ୍ୱାରୋପ କରିଥିଲେ । ଏଥିସହ ପିଏମ-ଜନମନ, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ, ପିଭିଟିଜି ଜୀବିକା ମିଶନ, ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଆଦି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି । ସମସ୍ତ ଆଲୋଚନା ପରେ କମିଶନର ମାନ୍ୟବର ସଦସ୍ୟା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ରଖାଯାଇ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ଓ କାର୍ଯ୍ୟକ୍ରମଗୁଡିକର ସୁଫଳ ଯେପରି ତୃଣମୂଳସ୍ତରରେ ପହଞ୍ଚିବ ସେଥି ନିମନ୍ତେ କ୍ଷେତ୍ର ପରିଦର୍ଶନକୁ ଗୁରୁତ୍ୱ ଦେଇଥିଲେ । ଏଥିସହ ଜନଜାତିଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରେ ବଜେଟ୍ ଅର୍ଥ ବୃଦ୍ଧି କରିବା ନେଇ ବିଭାଗର ଅନୁରୋଧକୁ ମଧ୍ୟ କମିଶନ ଗୁରୁତ୍ୱର ସହ ଗ୍ରହଣ କରିବା ସହ ଜନଜାତି ବାଳିକାମାନଙ୍କ ଦକ୍ଷତା ବିକାଶ ପ୍ରଶିକ୍ଷଣ ଓ ସେମାନଙ୍କୁ ଉପଯୁକ୍ତ ସ୍ଥାନରେ ନିଯୁକ୍ତି ପ୍ରଦାନ ଉପରେ ଧ୍ୟାନ ଦେବାକୁ ବୈଠକରେ ମତ ପ୍ରକାଶ ପାଇଥିଲା ।
