ଜାତୀୟ ନାଟ୍ୟ ଉତ୍ସବ
ଜାତୀୟ ନାଟ୍ୟ ଉତ୍ସବ”ପୂର୍ବରଙ୍ଗ”ର ଚତୁର୍ଥ ସନ୍ଧ୍ୟାରେ ଦର୍ଶକଙ୍କୁ ବାନ୍ଧିରଖିଲା ନାଟକ”ମମତା ପଡିଛି ବନ୍ଧା”। ବ୍ରହ୍ମପୁର- ପୁରୁଣା ରାଜ୍ୟ ଗଡ଼ ମଧୁପୁରର ରକ୍ତପାତ ରାଜନୈତିକ ବିଦ୍ରୋହ ଏବଂ ରାଜା ବିରଭଦ୍ରଙ୍କୁ ହତ୍ୟା ।ସେତେବେଳେ ରାଜାଙ୍କ ପତ୍ନୀ ରାଣୀ ପଦ୍ମାବତୀ ତାଙ୍କ ଶିଶୁ ପୁତ୍ର ରାଜକୁମାର ଚନ୍ଦ୍ରକାନ୍ତଙ୍କୁ ଛାଡି ନିଜ ପ୍ରାଣ ରକ୍ଷା ପାଇଁ ଉଦ୍ୟମ କରନ୍ତି ,ସେତେବେଳେ ରାଜମହଲର ସେବୀକା ଆଶା ମନରେ ଜାଗି ଉଠେ ମାଆର ମମତା ଏବଂ ସେହି ମମତାର ବନ୍ଧନରେ ବାନ୍ଧି ହୋଇ ସେ ରାଜପୁତ୍ରକୁ ବଞ୍ଚେଇବାକୁ ଚେଷ୍ଟା କରେ ।ତାର ଏହି ତ୍ୟାଗପୁର୍ଣ ଅଭିଯାନ ନାଟକରେ ଉପସ୍ଥାପପିତ କରାଯାଇଛି । ମାତୃତ୍ୱ,ନେତୃତ୍ୱ,ଦୁର୍ନୀତି,ନ୍ୟାୟ ଅନ୍ୟାୟର ବିଚାର କିଛି ଉଦ୍ବେଗଜନକ କଥାବସ୍ତୁକୁ ନେଇ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଓଡିଶା ସରକାରଙ୍କ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡିଶା ସଙ୍ଗୀତ ନାଟକ ଏକାଡେମୀ ,ପୂର୍ବାଂଚଳ ସାଂସ୍କୃତିକ ପରିଷଦ ,ଜାତୀୟ ନାଟ୍ୟ ବିଦ୍ୟାଳୟ ନୂଆଦିଲ୍ଲୀ ଆନୁକୂଲ୍ୟରେ ବ୍ରହ୍ମପୁର ଓଡିଶା ନାଟକ ସମାରୋହ ସମିତି ଦ୍ୱାରା ଗଞ୍ଜାମ ଜିଲ୍ଲା ସାଂସ୍କୃତିକ ପରିଷଦର ସହଯୋଗରେ ଆୟୋଜିତ ଜାତୀୟ ନାଟ୍ୟ ଉତ୍ସବ”ପୂର୍ବରଙ୍ଗ”ର ଚତୁର୍ଥ ସନ୍ଧ୍ୟାରେ ଶୁକ୍ରବାର ନାଟକ”ମମତା ପଡିଛି ବନ୍ଧା” ସଫଳତାର ସହ ମଂଚସ୍ଥ ହୋଇଯାଇଛି।

ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସତ୍ୟବ୍ରତ ରାଉତଙ୍କ ରଚିତ ଏବଂ ନିର୍ଦ୍ଦେଶିତ ଭୁବନେଶ୍ୱର ସ୍ପେଶ ଏକାଡେମୀ ପ୍ରଯୋଜିତ ଏହି ନାଟକର ମୂଳ ରଚନା ଜର୍ମାନୀ ନାଟ୍ୟକାର ବେର୍ଟଅଲ୍ଟ ବ୍ରେକଟଙ୍କ ଦ କାକେସିଆନ ଚକ ସର୍କଲରୁ ଉଦୃତ ହୋଇ ସତ୍ୟବ୍ରତ ରାଉତଙ୍କ ଦ୍ୱାରା ଓଡ଼ିଆ ଅନୁବାଦ ରେ ଦର୍ଶକଙ୍କୁ ବିଭୋର କରି ନାଟକ ଶେଷ ଯାଏଁ ବାନ୍ଧି ରଖିଥିଲା । ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ପରେ ଚତୁର୍ଥ ସନ୍ଧ୍ୟାର ସଭାକର୍ଯ୍ୟ ଆରମ୍ଭ ହୋଇଥିଲା । ଓଡିଶା ନାଟକ ସମାରୋହ ସମିତିର ସଭାପତି ଅନିଲ ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ମୂଖ୍ୟ ଅତିଥି ଖଲ୍ଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠୀ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ପ୍ରାକ୍ତନ ସଚିବ ପ୍ରବୋଧ ରଥ,ନାଟ୍ୟ ବ୍ୟକ୍ତିତ୍ୱ ତଥା ମଞ୍ଚମଣିଷ ଅଶୋକ କର,ଓଡିଶା ନାଟକ ସମାରୋହ ସମିତିର ସାଧାରଣ ସମ୍ପାଦକ ନାରାୟଣ ମହାଙ୍କୁଡ଼ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଓଡିଶା ନାଟକ ସମାରୋହ ସମିତିର ସମ୍ପାଦକ ରାଜଗୋପାଳ ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ ସହ ଅତିଥିଙ୍କୁ ମଞ୍ଚକୁ ଆବାହନ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ନାଟକ ପୂର୍ବରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ କାର୍ତ୍ତିକ ପାଣିଗ୍ରାହୀ ଓ ରାମେଶ୍ୱରୀ ନନ୍ଦ ପରିଚାଳନା କରିଥିଲେ ।କାର୍ଯ୍ୟକ୍ରମ ରେ ଓଡିଶା ନାଟକ ସମାରୋହ ସମିତିର ଡ଼. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଶଙ୍କର୍ଷଣ ସାବତ,କୈଳାସ ପାଣିଗ୍ରାହୀ, ଡ଼.ମିହୀର ତ୍ରିପାଠୀ,ରାମଚନ୍ଦ୍ର ସାସମଲ,ସୁନିଲ ସ୍ୱାଇଁ,ସରୋଜ ପଣ୍ଡା,,ମିହୀର ପାଣିଗ୍ରାହୀ,ବିନାୟକ ହୋତା,ଆରତୀ ପାତ, ସହିତ ଜିଲ୍ଲା ସାଂସ୍କୃତିକ ପରିଷଦ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ବିଶେଷ ସହଯୋଗ କରିଥିଲେ । ନାଟକ ଶେଷରେ ନାଟ୍ୟକାର ଓ ନିର୍ଦ୍ଦେଶକ ସତ୍ୟବ୍ରତ ରାଉତଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା
