ଜାତୀୟ ସ୍ଵାସ୍ଥ୍ୟ ମିଶନରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଆନ୍ଦୋଳନ,ସ୍ବାସ୍ଥ୍ୟ ସେବା ବ୍ୟାଘାତ
ଜନସ୍ୱାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି ଓ ଚାକିରୀ ସ୍ଥାୟୀକରଣ ଦାବିରେ ଜାତୀୟ ସ୍ଵାସ୍ଥ୍ୟ ମିଶନରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଆନ୍ଦୋଳନ ଦଶମ ଦିନରେ ପହଞ୍ଚିଥିଲା ବେଳେ ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟ ଏବେ ସମ୍ପୂର୍ଣ ଠପ୍ ହୋଇଯାଇଛି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ଏନଏଚଏମ୍ ଠିକା କର୍ମଚାରୀ ମାନେ ଭୁବନେଶ୍ୱର ଲୋୟାର ପିଏମଜି ଠାରେ ଧାରଣା ଦେଇଛନ୍ତି | ପୁରୀ ଜିଲ୍ଲାରୁ 148 ରୁ ଅଧିକ ଠିକା କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହେବା ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏନଏଚଏମ କାର୍ଯ୍ୟାଳୟରେ ତାଲା ପଡ଼ିଥୁବା ଦେଖିବାକୁ ମିଳିଛି । ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ୨୭ରୁ ଅଧିକ ବିଭିନ୍ନ ସ୍ଵାସ୍ଥ୍ୟ ଯୋଜନା ପରିଚାଳନା କ୍ଷେତ୍ରରେ ଏବେ ନାନା ସମସ୍ୟା ଦେଖା ଦେଇଛିlଜିଲ୍ଲାରେ ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ 4-D ଜନିତ ତ୍ୱରିତ ସେବା ବାଧାପ୍ରାପ୍ତ ହେଉଅଛି l ଏଥି ଅନ୍ତର୍ଗତ ଜନ୍ମରୁ ୧୮ ବର୍ଷ ଶିଶୁ ମାନେ ଉନ୍ନତମାନର ଚିକିତ୍ସା ପାଇଁ ଜିଲ୍ଲା ବାହାରକୁ ଯାଇପାରୁ ନାହାନ୍ତି। ରେଫେରାଲ ମ୍ୟାନେଜମେଣ୍ଟ,ଟିକାକରଣ ବାଧାପ୍ରାପ୍ତ ହୋଇଛି। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଅନ୍ତର୍ଗତ ଓ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚଳିତ ଅମ୍ଳାନ କାର୍ଯ୍ୟକ୍ରମ ସମ୍ପୂର୍ଣ ରୂପେ ବାଧା ପ୍ରାପ୍ତ ହୋଇଛି। ଜିଲ୍ଲାରେ ବହୁ ସଂଖ୍ୟକ ହିମୋଗ୍ଲୋବିନ ମିଟର ଅଚଳ ହୋଇ ଜିଲ୍ଲାରେ ପଡ଼ିରହିଛି I ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ନିୟୋଜିତ କର୍ମଚାରୀମାନେ ଧାରଣାରେ ଥିବାରୁ ଜିଲ୍ଲାରେ ଥିବା ଯକ୍ଷ୍ମା ରୋଗୀଙ୍କୁ ପ୍ରତ୍ୟେକ ମାସ ଦିଆଯାଉଥିବା ଏକହଜାର ଲେଖାଏଁ ପୋଷଣ ରାଶି ପ୍ରଦାନ କରାଯାଇ ପାରୁନାହିଁ I ଜିଲ୍ଲାରେ ଭେକ୍ଟର୍ ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ନିୟୋଜିତ କର୍ମଚାରୀ ମଧ୍ୟ ଧାରଣାରେ ବସି ଥିବାରୁ ଏହି କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଛି ଏବଂ ମଶା ମାନଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି l ଜିଲ୍ଲାରେ ଏହି ସମୟ ମଧ୍ୟରେ ପ୍ରସବ ହୋଇଥିବା ବେଳେ ପ୍ରସୂତି ମହିଳା ମାନଙ୍କୁ ଜନନୀ ଶିଶୁ ସୁରକ୍ଷା ଅଧୀନ ୧୪୦୦ ଟଙ୍କା ଓ ଗସ୍ତ ଖର୍ଚ୍ଚ ୫୦୦ ଟଙ୍କା ପ୍ରଦାନ କରାଯାଇ ପାରୁନାହିଁ। ଜିଲ୍ଲାରେ ୩୯ ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଧିମେଇ ଯାଇଛି । ଆଉଟ ସୋର୍ସିଙ୍ଗରେ ନିୟୋଜିତ ଥିବା ସଫେଇ କର୍ମଚାରୀ,ସୁରକ୍ଷାକର୍ମୀ,ଆଟେଣ୍ଡାଣ୍ଟ ମାନଙ୍କର ମାସିକ ପାରିଶ୍ରମିକ ବନ୍ଦ ରହିଛି ଯାହା ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପ୍ରାୟ ୨୭ରୁ ଅଧିକ ପୋର୍ଟାଲରେ ଡାଟା ଏଣ୍ଟ୍ରି ହୋଇପାରୁନାହିଁ । ଜିଲ୍ଲାରେ ଥିବା ହେପାଟାଇଟିସ ରୋଗୀଙ୍କୁ ଔଷଧ ସହ ଚିକିତ୍ସାରେ ବାଧା ସୃଷ୍ଟି ହୋଇଛି I କର୍ମଚାରୀ ମାନଙ୍କ ଆପତ୍ତି ଅନୁସାରେ ୨୦୦୫ ମସିହାରୁ ଏହି ଠିକା କର୍ମଚାରୀମାନେ ଅଳ୍ପ ବେତନରେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ବାରମ୍ବାର ଦାବି ସତ୍ତ୍ୱେ ସେମାନଙ୍କୁ ନିୟମିତ କରାଯାଇନାହିଁ। ଟୀକାକରଣ କାର୍ଯ୍ୟକ୍ରମ ସମୂର୍ଣ୍ଣ ରୂପରେ ବାଧା ପ୍ରାପ୍ତ ହୋଇଛି l ଆଶାମାନଙ୍କ ସମସ୍ତ ପ୍ରୋତ୍ସlହନ ରାଶି ପ୍ରଦାନ ମଧ୍ୟ କରାଯାଇ ପାରୁ ନାହିଁ l ଜିଲ୍ଲାରେ ଏଚ.ଏମ୍. ଆଇ.ଏସ୍ ଏଣ୍ଟ୍ରି ମଧ୍ୟ ହୋଇପାରୁନାହିଁ l ଜିଲ୍ଲାରେ ସମସ୍ତ ଟ୍ରେନିଂ କାର୍ଯ୍ୟକ୍ରମ ବାଧା ପ୍ରାପ୍ତ ହେବ ସହ, ସମସ୍ତ ପେମେଣ୍ଟ ମଧ୍ଯ ବନ୍ଦ ଅଛି l ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି l
