ଆନ୍ତର୍ଜାତୀୟ ଶାନ୍ତି ଦିବସରେ ଜାତୀୟ ସ୍ତରର ଆଲୋଚନାଚକ୍ର
ରାଜା ଠାରୁ ଆରମ୍ଭ କରି ଦରିଦ୍ର ପର୍ଯ୍ୟନ୍ତ, ପଣ୍ଡିତ ଠାରୁ ଆରମ୍ଭ କରି ମୂର୍ଖ ପର୍ଯ୍ୟନ୍ତ ଓ ଭୋଗୀ ଠାରୁ ଆରମ୍ଭ କରି ଯୋଗୀ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରର ମଣିଷ ସର୍ବଦା ନିଜ ଜୀବନରେ ଶାନ୍ତି ର କାମନା କରିଆସିଛି। ସମାଜ ଓ ପରିବାର ଗଠନ ଠାରୁ ଆରମ୍ଭ କରି ବିଭିନ୍ନ ଗବେଷଣା- ଆବିଷ୍କାର ଓ ଉଦ୍ଭାବନ ପର୍ଯ୍ୟନ୍ତ ସବୁରି ମୂଳରେ ରହିଛି ଶାନ୍ତି ପାଇବାର ବା ଶାନ୍ତିରେ ରହିବାର ଇଚ୍ଛା। ସେଥିପାଇଁ ପୁରୀ ରୋଟାରୀ କ୍ଲବ ଗତ ପ୍ରାୟ ଦେଢ଼ ଦଶନ୍ଧି ସମୟ ଧରି ସଭା, ଶୋଭାଯାତ୍ରା, ଜନସଂପର୍କ, ବିବାଦ ସମାଧାନ, ମାଗଣା ଚିକିତ୍ସା ଶିବିର, ପ୍ରତିଯୋଗିତା ଓ ଆଲୋଚନାଚକ୍ର ଆଦି ମାଧ୍ୟମରେ ଶାନ୍ତି ଓ ସୌହାର୍ଦ୍ଦ୍ୟର ବାର୍ତ୍ତା ପ୍ରଦାନ କରି ଆସିଛି। ଚଳିତ ବର୍ଷ ସେପ୍ଟେମ୍ବର ୨୧ ତାରିଖ ଆନ୍ତର୍ଜାତୀୟ ଶାନ୍ତି ଦିବସ ଅବସରରେ କ୍ଲବ ପକ୍ଷରୁ ଏକ ଜାତୀୟସ୍ତରର ଆଲୋଚନାଚକ୍ର ର ଆୟୋଜନ କରାଯାଇଥିଲା। ରବିବାର ସଂଧ୍ୟାରେ ସ୍ଥାନୀୟ ରେଡକ୍ରସ ରୋଡ଼ସ୍ଥ ଜାନକୀପ୍ରାଇଡ୍ ହୋଟେଲର ସମ୍ମିଳନୀକକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ଲବର ସଭାପତି ରତିକାନ୍ତ ନାୟକ ଅଧ୍ୟକ୍ଷତା କରିଥିବା ବେଳେ କ୍ଲବର ଶାନ୍ତି କମିଟି ଅଧ୍ୟକ୍ଷ କମଳେନ୍ଦୁ ଦାଶ ଏହାକୁ ପରିଚାଳନା କରିଥିଲେ । ଏହି ଜାତୀୟସ୍ତରର ଆଲୋଚନାଚକ୍ର ରେ ପ୍ରଜ୍ଞାନାନନ୍ଦ ମିଶନ୍ ର ସ୍ବାମୀ ଅନିର୍ବାଣାନନ୍ଦ ଗିରି ମହାରାଜ, ଅବସରପ୍ରାପ୍ତ କୁଳପତି ଡଃ ପ୍ରଫୁଲ୍ଲ ମହାନ୍ତି, ପ୍ରାଧ୍ୟାପକ ଖାରବେଳ ମହାନ୍ତି, ରୋଟାରିଆନ୍ ସିଦ୍ଧାର୍ଥ ପାଢ଼ୀ ଏବଂ ରୋଟାରୀ ଡିଷ୍ଟ୍ରିକ୍ଟ 3262 ର ପ୍ରାକ୍ତନ ପ୍ରାନ୍ତପାଳ ଦେବାଶୀଷ ମିଶ୍ର ସମ୍ମାନାଷ୍ପଦ ବକ୍ତା ଭାବେ ଯୋଗଦାନ କରିଥିଲେ। ମଙ୍ଗଳ ସୂଚକ ପ୍ରଦୀପ ପ୍ରଜ୍ବଳନ, ସାମୂହିକ ଜାତୀୟସଙ୍ଗୀତ ଗାନ ଓ ଶାନ୍ତି ପ୍ରାର୍ଥନା ରେ କାର୍ଯ୍ୟକ୍ରମ ର ଅୟମାରମ୍ଭ କରାଯାଇଥିଲା।

ନିଜନିଜର ବକ୍ତବ୍ୟ ରେ ପ୍ରବୀଣ ବକ୍ତାଗଣ ଇର୍ଷା- ଲୋଭ-ମୋହ- ଭୟ ଓ ଦ୍ବେଷ ଆଦିରୁ ମୁକ୍ତ ହେବା, ବା ରୋଟାରୀ ର ଚାରିସୂତ୍ରକୁ ଜୀବନରେ ଆପଣେଇବା ଅଥବା ମହାନ୍ ଭାରତୀୟ ସଂସ୍କୃତି ର ସୁରକ୍ଷା ଦ୍ବାରା ହିଁ ଶାନ୍ତି ଅନେକ ପରିମାଣରେ ପ୍ରତିଷ୍ଠିତ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ପୂର୍ବରୁ ଆୟୋଜିତ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସଭାପର୍ବ କୁ ବିମଳ ପ୍ରସାଦ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଶେଷରେ ବରିଷ୍ଠ ରୋଟାରିଆନ୍ ବିଜୟକୁମାର ପତି ଆନୁଷ୍ଠାନିକ ଧନ୍ୟବାଦ ପ୍ରଦାନ କରିଥିଲେ। ଆଲୋଚନା ଚକ୍ରରେ ପୁରୀ ରୋଟାରୀ କ୍ଲବ ଓ ପୁରୀ ଇନରହ୍ବିଲ୍ କ୍ଲବ ଙ୍କ ସଂଖ୍ୟାଧିକ ସଦସ୍ୟସଦସ୍ୟା ଉପସ୍ଥିତ ଥିବାବେଳେ କ୍ଲବର ସଂପାଦକ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଦେବୀପ୍ରସନ୍ନ ନନ୍ଦ, ଶୁଭ୍ରାଂଶୁ ଶେଖର ମହାପାତ୍ର, ନାରାୟଣ ଦାଶ, ସନ୍ତୋଷ କୁମାର ଲେଙ୍କା, ଅଜୟ କୁମାର ସାହା, କୃଷ୍ଣଚନ୍ଦ୍ର ପାତ୍ର, ସୁରେଶଚନ୍ଦ୍ର ପ୍ରହରାଜ ଓ ଶୈଳେଶ ବେହେରା ପ୍ରମୁଖ ସହଯୋଗ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ପୁର୍ବାହ୍ନରେ VIP ରୋଡ଼ସ୍ଥ ନେତାଜୀ ସୁଭାଷ ବୋଷ ଛକ ନିକଟରେ କ୍ଲବ ପକ୍ଷରୁ ଗତବର୍ଷ ସ୍ଥାପିତ ଶାନ୍ତିସ୍ତମ୍ଭ ରେ ମାଲ୍ୟାର୍ପଣ କରାଯାଇଥିଲା । ସଂଧ୍ୟାରେ ଶାନ୍ତି କମିଟି ଅଧ୍ୟକ୍ଷ କମଳେନ୍ଦୁ ଦାଶ, ଦେବୀପ୍ରସନ୍ନ ନନ୍ଦ, ନାରାୟଣ ଦାଶ, ପ୍ରମୋଦ କୁମାର ଆଚାର୍ଯ୍ୟ ଓ କ୍ଲବ ସଂପାଦକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଙ୍କ ଦ୍ବାରା ସିଂହଦ୍ବାର ସମ୍ମୁଖରେ କ୍ଲବ ପକ୍ଷରୁ ବିଶ୍ବ ର ଶାନ୍ତି କାମନା କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଇଥିଲା।
