ଭଦ୍ରକରେ ଜାତୀୟସ୍ତରୀୟ ବାଣିଜ୍ୟ ମେଳା ଉଦ୍‌ଯାପିତ

ଭଦ୍ରକ, ୩୧ା୧୨ – ଭଦ୍ରକ ଜାତୀୟସ୍ତରୀୟ ବାଣିଜ୍ୟ ମେଳାର ୨୦୨୫ ସଂସ୍କରଣ ସଫଳ ହୋଇଛି। ଭଦ୍ରକ ଅଂଚଳର ବ୍ୟବସାୟୀମାନଙ୍କ ପାଇଁ ଏହି ମେଳା ଏକ ବଡ ସୁଯୋଗ। ରାଜ୍ୟ ସରକାରଙ୍କ ଏମଏସଏମ୍‌ଇ ପକ୍ଷରୁ ଏହା ଏକ ବଡ ପଦକ୍ଷେପ। ଫର୍ଣ୍ଣିଚର ଠାରୁ ଆରମ୍ଭ କରି ହସ୍ତଶିଳ୍ପ ପର୍ଯ୍ୟନ୍ତ ଓ ଅନ୍ୟ ଫୁଡ୍ ଓ କୃଷିଜାତ ସାମଗ୍ରୀ ଏଠାରେ ଉପଲବ୍ଧ ହୋଇଛି। ବିଶେଷକରି ଭଦ୍ରକ ଜିଲା ଜନସାଧାରଣ ଶୀତ କାକରକୁ ଭ୍ରୁକ୍ଷେପ ନକରି ଏହି ମେଳାକୁ ଆସି ଯେଭଳି ଭାବେ ଖରିଦ ବିକ୍ରି କରିଛନ୍ତି, ତାହା ସ୍ୱାଗତଯୋଗ୍ୟ। ଭଦ୍ରକ ଅଂଚଳର ସ୍ୱଦେଶୀ ପ୍ରଥାକୁ ପ୍ରୋତ୍ସାହନ ଦେଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରି ବାଣିଜ୍ୟ ମେଳାର ସମସ୍ତ ଆୟୋଜକଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ମୁଖ୍ୟ ଅତିଥି ତଥା ଉଚ୍ଚଶିକ୍ଷା, ଯୁବ ବ୍ୟାପାର, କ୍ରୀଡା, ଓଡିଆ ଭାଷା ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଜିଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ଡିଏଫ୍‌ଓ ସଂସ୍ଥା ଓସ୍‌ମେ ଏବଂ ବିବିଏମ୍‌ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଶୀତୁଆ ସନ୍ଧ୍ୟାର ଏହି ଉଦ୍‌ଯାପନୀ ଉତ୍ସବରେ ଓସମେର ଉପସଭାପତି ରାଜେଶ ମିଶ୍ର ମଂଚ ଆମନ୍ତ୍ରଣ କରିଥିବାବେଳେ ଓସ୍‌ମେର ସଭାପତି ସୁରଜ କୁମାର ସାହୁ ସଭାପତିତ୍ୱ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହାପରେ ଓସ୍‌ମେର ଲେଡିଜ୍ ୱିଙ୍ଗ ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଦିଆଯିବାପରେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ପଣ୍ଡିତ ବୀରେନ୍ଦ୍ର ପଣ୍ଡା ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ପୁରୀ ଶ୍ରୀ ଚୈତନ୍ୟ ଆଶ୍ରମର ସଂପାଦକ ତ୍ରିଦାନ୍ଦୀ ସ୍ୱାମୀ ଭକ୍ତି ବଲ୍ଲଭାଚାର୍ଯ୍ୟ ମହାରାଜ,କଟକ ଏମ୍‌ଏସ୍‌ଏମ୍‌ଇ ଡିଏଫ୍‌ଓର ସହ ନିର୍ଦ୍ଦେଶକ ଶିବାନନ୍ଦ ନାୟକ, ଭଦ୍ରକ ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳ, ଏଡିଏମ୍ (ରାଜସ୍ୱ) ରବିନାରାୟଣ ସାହୁ, କଟକ ଏମଏସଏମଇ ଡିଏଫ୍‌ଓର ନିର୍ଦ୍ଦେଶକ ପି.କେ. ଗୁପ୍ତା, ରାଜ୍ୟ ଓସମେର ସଂପାଦକ ସାତ୍ୱିକ ସ୍ୱାଇଁ ପ୍ରମୁଖ ଯୋଗଦେଇ ଏହି ମେଳା ଆଗାମୀ ଦିନରେ ନିଶ୍ଚିତ ଭାବେ ସମଗ୍ର ରାଜ୍ୟରେ ଏକ ଦିଗବାରିଣି ହେବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିବିଏମ୍‌ର ସଭାପତି ସୁଶାନ୍ତ କୁମାର ନାୟକ, ବିବିଏମ୍‌ର ସଂପାଦକ ମନୋଜ କୁମାର ରାୟ, ବିବିଏମ୍‌ର ପୃଷ୍ଠପୋଷକ ଶଶିଶେଖର ବେହେରା ପ୍ରମୁଖ ଯୋଗଦେଇ ଏହି ବାଣିଜ୍ୟ ମେଳାକୁ ଆସିଥିବା ରାଜ୍ୟ ଓ ରାଜ୍ୟ ବାହାର ବ୍ୟବସାୟୀ, ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଏଠାକୁ ୭ ଦିନ ଧରି ଆସୁଥିବା ଜିଲାବାସୀଙ୍କୁ ସାଧୁବାଦ ଜଣାଇଥିଲେ। ଏହାପରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ବିବିଏମର ପୃଷ୍ଠପୋଷକ ବସନ୍ତ କୁମାର ରାଉତ ଧନ୍ୟବାଦ ଦେବାପରେ ଜିଲାର ବିଭିନ୍ନ ନୃତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Leave a Reply

Your email address will not be published. Required fields are marked *