କୋଣାର୍କରେ ଜାତୀୟ ସାହିତ୍ୟ ମହୋତ୍ସବ ଉଦଯାପିତ
କୋଣାର୍କ, ତା-୧୪/୦୯/୨୦୨୫- (ରିପୋର୍ଟ ଜ୍ଞାନ ରଞ୍ଜନ ବିଶ୍ଵାଳ)ସାହିତ୍ୟର ମହାକୁମ୍ଭ, ସାହିତ୍ୟର ମହାମିଳନୀ ମଞ୍ଚ, ଓଡିଶାର ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟ ସଂସ୍କୃତି ସମାରୋହ”ର ପଞ୍ଚମ ବାର୍ଷିକ ଉତ୍ସବ ଅବସରରେ ଏହାର ଚତୁର୍ଥ କୋଣାର୍କ ଜାତୀୟ ସାହିତ୍ୟ ମହୋତ୍ସବ ଅର୍କକ୍ଷେତ୍ର କୋଣାର୍କଠାରେ ରବିବାର ଉଦଯାପିତ ହୋଇଯାଇଛି। ଅଧ୍ୟକ୍ଷ ଡ଼ ଫନୀ ମହାନ୍ତି ଓ ସଭାପତି ଇଂ ଗୌରଚନ୍ଦ୍ର ମହାପାତ୍ରଙ୍କର ସଭାପତିତ୍ବ ଓ ପରିଚାଳନାରେ ଓଟିଡିସିର ଯାତ୍ରୀ ନିବାସଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ଡଃ ଦେବୀ ପ୍ରସନ୍ନ ପଟନାୟକ, କାଜାଣିନି କାନ୍ତ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଅନୁବାଦକ ଓ ଅନୁସୃଜନ ଉପରେ ଆଲୋଚନା କରାଯାଇଥିଲା। ସାହିତ୍ୟିକା ବିତସ୍ତା ଘୋଷଲ, ଶ୍ୟାମଳୀ ସେନଗୁପ୍ତ, ସୁରେଶ୍ ବିଶ୍ଵକର୍ମା, ଶ୍ୟମଶ୍ରୀ ଟୁଡୁ, ସଞ୍ଜୀବ ଗୁରୁ, ମମତା ଦାଶ ଓ ଏସ ଗୀତାଞ୍ଜଳି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରେ ପରେ ଭାରତୀୟ ସାହିତ୍ୟରେ ଅସ୍ମିତା ଶୀର୍ଷକ ଆଲୋଚନା କରାଯାଇଥିଲା।

ସାହିତ୍ୟିକା ପ୍ରଭୂଜିତ୍ କଉର, ବିବେକ ଚାଟାର୍ଜୀ, ସୁନିଲ ମାଝି, ଦ୍ଵିପରାଜ୍, ସୁଷମା ମିଶ୍ର ପ୍ରମୁଖ ନିଜ ଭାଷା ଓ ସାହିତ୍ୟର ଅସ୍ମିତା ଉପରେ ଆଲୋକପାତ କରିଥିଲେ। ଶେଷ ପର୍ଯ୍ୟାୟରେ ବହୁଭାଷୀ କବିତା ପାଠ କରାଯାଇଥିଲା। ସାହିତ୍ୟିକା ସଂଘମିତ୍ରା ରାୟଗୁରୁ, ସୋନାଲି ସାହୁ ପ୍ରମୁଖଙ୍କ ସଂଯୋଜନାରେ ଶତାଧିକ କବି ଓ କବୟିତ୍ରୀ ମାନେ ନିଜ ନିଜର ଭାଷା ଓ ସାହିତ୍ୟର କବିତା ପାଠ କରିଥିଲେ। ଏହି ମହୋତ୍ସବକୁ ପ୍ରଣବ ଛୋଟରାୟ, ସୌଦାମିନୀ ସାମନ୍ତରାୟ, ଭାରତୀ ଭୂଷଣ ପଟନାୟକ, ବଟକୃଷ୍ଣ ପଣ୍ଡା ଓ କୋଣାର୍କର ବିଶିଷ୍ଟ ସମାଜସେବୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ପାଇଁ ସମାଜସେବୀ ରାମକୃଷ୍ଣ ମହାନ୍ତି, କବୟିତ୍ରୀ ଦୀପ୍ତି ମହାନ୍ତି, ପ୍ରିୟମ୍ବଦା ନାୟକ, ଗୀତା ଦାସ, ଅଞ୍ଜଳି ନାୟକ, ସଂଘମିତ୍ରା ରାୟଗୁରୁ, ସନ୍ତୋଷି ତନୟା ଦାଶ, ବନ୍ଦନା ସାମଲ, ସୋନାଲି ସାହୁ ଓ କବି ବଟକୃଷ୍ଣ ପଣ୍ଡା ପ୍ରମୁଖ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
