ପୁରୀରେ ମାର୍ଚ୍ଚ ୧ ରୁ ୧୦ ପର୍ଯ୍ୟନ୍ତ ଜାତୀୟ ର‌୍ୟାଙ୍କିଙ୍ଗ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ

ପୁରୀ ୧/୩ ତୃତୀୟ ଏନଟିପିସି ଜାତୀୟ ର‌୍ୟାଙ୍କିଙ୍ଗ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ ପୁରୀର ଶ୍ରୀଜଗନ୍ନାଥ ଷ୍ଟାଡିୟମ ଠାରେ ମାର୍ଚ୍ଚ ୧ ରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବୋଲି ଓଡିଶା ତୀରନ୍ଦାଜ ସଂଘର ସମ୍ପାଦକ ସମ୍ପୂର୍ଣ୍ଣାନନ୍ଦ ଦାସ ସୂଚନା ଦେଇଛନ୍ତି।ଗତକାଲି ଅପରାହ୍ନରେ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଠାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇ ଭାରତୀୟ ତୀରନ୍ଦାଜ ଆସୋସିଏସନ, ଏନଟିପିସି, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଓଡିଶା ସରକାର ଏବଂ ରାଜ୍ୟ ତୀରନ୍ଦାଜ ଆସୋସିଏସନ ଆନୁକୂଲ୍ୟରେ ଏହା ଆୟୋଜିତ ହେବାକୁ ଯାଉଛି ବୋଲି କହିଥିଲେ । ସିନିୟର, ଜୁନିୟର ଓ ସବ ଜୁନିୟର ବିଭାଗରେ ଏହି ପ୍ରତିଯୋଗିତା ଆୟୋଜିତ ହେବ ।ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଦେଶର ପ୍ରତିଷ୍ଠିତ ତୀରନ୍ଦାଜ ମାନେ ଅଂଶଗ୍ରହଣ କରିବେ । ସେମାନଙ୍କ ମଧ୍ୟରେ ତରୁଣଦୀପ ରାଏ ଅତନୁ ଦାସ, ବି.ଧୀରଜ,ଦୀପିକା କୁମାରୀ, ଭଜନ କୌର,ଅମନ ସାଇନି ଓ ଅଭିଷେକ ବର୍ମା ରହିଛନ୍ତି । ସୂଚନା ଯୋଗ୍ୟ ଯେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଫାଇନାଲ ସହ ୪ ଗୋଟି ଏନଆରଏଟିଏସ ଆୟୋଜିତ ହୋଇଥାଏ । ପ୍ରତିଷ୍ଠିତ ତୀରନ୍ଦାଜ ମାନେ ଏହା ମାଧ୍ୟମରେ ନିଜ ର‌୍ୟାଙ୍କିଙ୍ଗ ସୁଧାରିଥାନ୍ତି ।

ପ୍ରତ୍ୟେକ ବର୍ଗରେ ଦେଶର ଶୀର୍ଷ ୧୬ ର‌୍ୟାଙ୍କିଙ୍ଗ ତୀରନ୍ଦାଜ ଅଂଶଗ୍ରହଣ କରିଥାନ୍ତି । କ୍ୱାଲିଫିକେଶନ କୋଟା ମାଧ୍ୟମରେ ୧୯୨ ପ୍ରତିଯୋଗୀ ପୁରୀର ଏହି ଟୁର୍ଣ୍ଣାମେଂଟରେ ସାମିଲ ହେବାକୁ ଥିବା ବେଳେ ସର୍ବମୋଟ ୩୭୬ ତୀରନ୍ଦାଜ ସାମିଲ ହେବେ।ଏହା ମଧ୍ୟରୁ ଓଡିଶାର ୩୦ଜଣ ଏଥିରେ ସାମିଲ ହେବେ ।ଜାତୀୟ ସ୍ୱର୍ଣ୍ଣ ପଦକ ବିଜେତା ପାରା ଆର୍ଚ୍ଚେର ପାୟଲ ନାଗ ଅଂଶଗ୍ରହଣ କରିବେ । ପୁରୀର ପ୍ରଜ୍ଞାନ ଦଳେଇ ଏବଂ ଗୋପାଳ କୃଷ୍ଣ ବ୍ରହ୍ମା ଏଥିରେ ଅଂଶଗ୍ରହଣ କରିବେ । କିସ୍ ର ରାଜେଶ ହାଂସଦା ଟେକ୍ନିକାଲ ଜଜ ଦାୟିତ୍ୱ ତୁଲାଇବେ । ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ନୋଡାଲ ଅଫିସର ଭାବେ ପରିଚାଳନା ଏବଂ କ୍ରୀଡା ସଂସଦ ର ପ୍ରାକ୍ତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ ଓ ରାମଚନ୍ଦ୍ର ଦାସମହାପାତ୍ର ସହଯୋଗ କରିବେ।ବୈଠକରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜାତୀୟ କ୍ରୀଡାବିତ ଗୋପାଳ କୃଷ୍ଣ ବ୍ରହ୍ମା, ପୁରୀ ଜିଲ୍ଲା ସମ୍ପାଦକ ଜିତେନ୍ଦ୍ର ନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *