ଜଗତସିଂହପୁର ଠାରେ ଜାତୀୟ କ୍ରୀଡା ଦିବସ -୨୦୨୫ ପାଳିତ

ଜଗତସିଂହପୁର :ତା ୨୯-୦୮-୨୦୨୫ ରିଖଅଗଷ୍ଟ ତା ୨୯ ରୁ ୩୧ ତାରିଖ ଜାତୀୟ କ୍ରୀଡା ଦିବସ ଅବସରରେ କ୍ରୀଡା,ଉତ୍ସାହ ଓ ଏକତାର ଦେଶ ବ୍ୟାପୀ ଉତ୍ସବ ପାଳନ ପରିପ୍ରେକ୍ଷୀରେ ଆଜି ଜଗତସିଂହପୁର ଜିଲ୍ଲା ର ନବ କୃଷ୍ଣ ଚୌଧୂରୀ ଷ୍ଟାଡିୟମ୍ , ଇଣ୍ଡୋର୍ ଷ୍ଟାଡିୟମ୍, ପାରାଦୀପ ଓ ଜଗତସିଂହପୁର, ଖେଲୋ ଇଣ୍ଡିଆ ସେଣ୍ଟର୍ ଠାରେ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ନିଜନିଜ ପରିବାର ବର୍ଗ ଓ ବନ୍ଧୁ ପରିଜନ ଙ୍କୁ ଖେଳ ଓ ଫିଟନେସ କାର୍ଯ୍ୟକଳାପରେ ଉତ୍ସାହିତ କରିବା ପାଇଁ ଶପଥ ପାଠ କରିଥିଲେ। ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ମୁଖ୍ୟ ଅତିଥି ଭାବେ ସାଂସଦ ବିଭୁ ପ୍ରସାଦ ତରାଇ ଯୋଗ ଦେଇ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଉପସ୍ଥିତ ସମସ୍ତ ଙ୍କୁ ଫିଟ୍ ଇଣ୍ଡିଆ ଶପଥ ପାଠ କରାଇଥିଲେ। ଏହା ପରେ ଏକ ପ୍ରଦର୍ଶନୀ ଭଲିବଲ ମ୍ୟାଚ୍ ଆୟୋଜିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଯେ, ବର୍ତ୍ତମାନର ବ୍ୟସ୍ତ ବହୁଳ ଆଧୁନିକ ଜୀବନ ଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଅନେକ ସମୟରେ ହଠାତ ଲୋକମାନେ ବିଭିନ୍ନ ପ୍ରକାର ମାରାତ୍ମକ ରୋଗର ଶିକାର ହେଉଛନ୍ତି। ତେଣୁ ରୋଗ ଠାରୁ ଦୁରେଇ ରହି ନିଜ ଶରୀରକୁ ସୁସ୍ଥ ଓ ଫିଟ ରଖିବା ପାଇଁ ପ୍ରତ୍ୟେକ ଦିନ ଅତିକମରେ ଏକ ଘଣ୍ଟା ଖେଳ ପଡିଆରେ ଖେଳକୁଦରେ ବିତାଇବା ଉଚିତ। ଖେଳକୁଦ ମଣିଷକୁ ଶାରୀରିକ ଭାବେ ସୁସ୍ଥ, ମାନସିକ ଭାବେ ଶକ୍ତିଶାଳୀ କରିବା ସହିତ ସକାରାତ୍ମକ ଭାବନା ଉଦ୍ରେକ କରିଥାଏ। ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ପୌର ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଶୋଇ, ଆଥଲେଟିକ ଆସୋସିଏସନ୍ସ ସମ୍ପାଦକ,ଦୋଳଗୋବିନ୍ଦ ଦାଶ, ଉପ ସଭାପତି ସାଧୁ ଚରଣ ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ।ପ୍ରାରମ୍ଭରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ବିଶ୍ଵ ବୀଜୟିନୀ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ଏହି ଜାତୀୟ କ୍ରୀଡା ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ଉଲ୍ଲେଖ କରିଥିଲେ। ଏହାପରେ ନିମନ୍ତ୍ରିତ ଅତିଥି ବୃନ୍ଦ ଓ ଉପସ୍ଥିତ ଅନ୍ୟାନ୍ୟ ସମସ୍ତେ ଭାରତୀୟ ହକି ଉଇଜାର୍ଡ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ତାଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସର ରେ ଆୟୋଜିତ ଭଲି ବଲ ମ୍ୟାଚ ରେ ନାଲିବର ଭଲିବଲ କ୍ଲବ୍ ବିଜେତା ଓ ଜଗତସିଂହପୁର ଭଲିବଲ କ୍ଲବ୍ ରନର ଅପ ଭାବେ ପୁରସ୍କୃତ ହୋଇଥିଲେ। ବିଶିଷ୍ଟ ଖେଳାଳୀ ସସ୍ମିତା ନାଥ ଶର୍ମା (ଖୋ – ଖୋ) ଓ ଦେବେନ୍ଦ୍ର ନାଥ (ଖୋ – ଖୋ) ଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲାମୁଖ୍ୟ ଅତିଥି ଚଳିତ ବର୍ଷ ସେପ୍ଟେମ୍ବର ୨୧ରେ ଶୁଭାରମ୍ଭ ହେବାକୁ ଥିବା ସାଂସଦ ଖେଳ ମହୋତ୍ସବ ବିଷୟରେ ଘୋଷଣା କରିଥିଲେ। ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ରୀଡ଼ା ସଂସ୍ଥା ର ପଦାଧିକାରୀ, ସହରର ବହୁ ବରିଷ୍ଠ କ୍ରୀଡ଼ାବିତଙ୍କ ସମେତ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *