ରାଉରକେଲାରେ ଜାତୀୟ ସବ୍‌ଜୁନିୟର ହକି ଚାମ୍ପିୟନଶିପ୍‌

ଭୁବନେଶ୍ୱର,୩ା୫: ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଜାତୀୟ ସବ୍‌ ଜୁନିୟର ହକି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ହକି ବିଶ୍ୱକପ ଓ ଏଫ୍‌ଆଇଏଚ୍‌ ପ୍ରୋ ହକି ଲିଗ୍‌ ସଫଳତାର ସହିତ ଆୟୋଜନ କରିଥିବା ବିର୍ସାମୁଣ୍ଡା ଷ୍ଟାଡିୟମରେ ୧୩ ତମ ମହିଳା ସବ୍‌ ଜୁନିୟର ହକି ଚାମ୍ପିୟନଶିପ୍‌ ମେ ୪ରୁ ୧୪ ତାରିଖ ମଧ୍ୟରେ ଖେଳାଯିବ। ଅନ୍ୟ ପକ୍ଷରେ ମେ ୧୮ରୁ ୨୮ ତାରିଖ ମଧ୍ୟରେ ୧୩ ତମ ପୁରୁଷ ସବ୍‌ ଜୁନିୟର ହକି ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ବିଶ୍ୱକପ ଓ ପ୍ରୋ ହକି ଲିଗ୍‌ ପରି ଟୁର୍ନାମେଣ୍ଟ ଖେଳା ଯାଇଥିବା ଭେନ୍ୟୁରେ ଯୁବ ଖେଳାଳି ମାନଙ୍କୁ ସୁଯୋଗ ମିଳିବା ଏକ ବୃହତ ଉପଲବ୍ଧି ହେବ। ନିଜ ବୟସ ବର୍ଗରେ ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ସହିତ ଖେଳିବାର ଅନୁଭବ ମିଳି ପାରିବ ବୋଲି କୁହାଯାଇଛି। ଅନ୍ୟ ରାଜ୍ୟର ଯୁବ ଖେଳାଳି ମାନଙ୍କ ସ୍ବାଗତ ପାଇଁ ତଥା ଜାତୀୟ ସବ୍‌ ଜୁନିୟର ହକି ଚାମ୍ପିୟନଶିପର ଆୟୋଜନ ପାଇଁ ଆମେ ଅତ୍ୟନ୍ତ ଉତ୍ସାହିତ ବୋଲି କହିଛନ୍ତି କ୍ରୀଡା ଓ ଯୁବସେବା ବ୍ୟପାର ମନ୍ତ୍ରୀ ତୁଷାରକାନ୍ତି ବେହେରା। ହକି ପ୍ରତି ଏହା ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି। ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତୀର୍କି ମଧ୍ୟ ରାଉରକେଲାରେ ଜାତୀୟ ସବ୍‌ ଜୁନିୟର ହକି ଚାମ୍ପିୟନଶିପ ଆୟୋଜନ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ହକି ସହିତ ରାଉରକେଲାର ଇତିହାସ ଅତ୍ୟନ୍ତ ରୁଦ୍ଧିମନ୍ତ, ହକି ବିଶ୍ୱକପ ଓ ପ୍ରୋ ହକି ଲିଗ୍‌ ସମୟରେ ଏହା ଦେଖିବାକୁ ମିଳିଥିଲା। ଏହି ଟୁର୍ନାମେଣ୍ଟ ମଧ୍ୟ ବିଶ୍ୱକପ ପରି ସଫଳ ହେବା ନେଇ ସେ ଆଶାବାଦୀ ବୋଲି କହିଛନ୍ତି ତୀର୍କି। ଯୁବ ଖେଳାଳି ମାନେ ନିଜ ସ୍ବପ୍ନ ପୂରଣ ଦିଗରେ ଅଗ୍ରସର ହେବାରେ ଏହି ଭେନ୍ୟୁର ଏକ ସ୍ବତନ୍ତ୍ର ଅବଦାନ ରହିବ ବୋଲି ତୀର୍କି କହିଛନ୍ତି। ଏହି ମ୍ୟାଚ୍‌ ଗୁଡିକ ପାଇଁ ସ୍କୁଲ ପିଲାଙ୍କୁ ମାଗଣା ପାଶ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *