ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ଗ୍ରହଣ

ଭୁବନେଶ୍ୱର, ୩୧ ଅକ୍ଟୋବର ୨୦୨୫ “ଲୋହ ମାନବ” ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ଲୋକସେବା ଭବନରେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସମେତ ଲୋକସେବା ଭବନସ୍ଥିତ ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀମାନେ ରାଷ୍ଟ୍ରୀୟ ଏକତାର ଶପଥ ଗ୍ରହଣ କରିଥିଲେ । ଦେଶର ଐକ୍ୟ ଭାବନାକୁ ସମ୍ମାନ ଜଣାଇବା, ଯାହାକି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୂରଦୃଷ୍ଟି ଏବଂ ତାଙ୍କର କାର୍ଯ୍ୟ ଦ୍ୱାରା ସମ୍ଭବ ହୋଇପାରିଥିଲା, ଏହି ମର୍ମରେ ରାଷ୍ଟ୍ରୀୟ ଏକତା ଶପଥ ପାଠ କରାଯାଇଥିଲା । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ରାଷ୍ଟ୍ରର ଏକତା, ଅଖଣ୍ତତା ଏବଂ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବା ଏବଂ ଦେଶବାସୀଙ୍କ ମଧ୍ୟରେ ଏହି ସନ୍ଦେଶ ପ୍ରସାର କରିବା ନିମନ୍ତେ ସମ୍ପୂର୍ଣ୍ଣ ପ୍ରୟାସ କରିବା ପାଇଁ ଶପଥ ପାଠ କରାଇଥିଲେ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ନିଜକୁ ସମର୍ପିତ କରିବାକୁ ଅଧିକାରୀ ଓ କର୍ମଚାରୀମାନେ ସତ୍ୟନିଷ୍ଠ ସଙ୍କଳ୍ପ ନେଇଥିଲେ । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବିଭାଗର ବିଭିନ୍ନ ଶାଖାର ବରିଷ୍ଠ ଅଧିକାରୀ, ଉପ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ କରିଥିଲେ ।

Leave a Reply

Your email address will not be published. Required fields are marked *