ନୟାଗଡ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର
ଗଣିଆ – ଗଣିଆ ବ୍ଲକ ସଭା ଗୃହରେ ନୟାଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରଓ୍ବାଲ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ,ତହସିଲଦାର ପ୍ରିତିବାଳା ରଣା,ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରାଙ୍କ ସମେତ ଶିକ୍ଷା , ସ୍ବାସ୍ଥ୍ୟ, ପାନୀୟ ଜଳ,ବନ ବିଭାଗ,କୃଷି,ପ୍ରାଣୀ ଚିକିତ୍ସା ବିଭାଗ,ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ତଥା ଜନସାଧାରଣ ଉପସ୍ଥିତ ଥିଲେ । ଗଣିଆ ରଘୁନାଥ ଜୀଉ ମହାବିଦ୍ୟାଳୟ ପରିସରରେ ୫୦ ଲକ୍ଷ ଟଙ୍କାର କାର୍ଯ୍ୟ ଡିପାର୍ଟମେଣ୍ଟାଲି ହେଉଥିବାରୁ ଏହି କାର୍ଯ୍ୟ ଟେଣ୍ଡର ମାଧ୍ଯମରେ କରିବାକୁ ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା ଗତ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଆଜି ପର୍ଯ୍ୟନ୍ତ କାହିଁକି ଟେଣ୍ଡର ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ । ବିଡ଼ିଓ ଅନୁପସ୍ଥିତ ଥିବାରୁ ତାଙ୍କ ସହିତ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଜଣାଇଥିଲେ ।

ଗଣିଆ କଳା ଓ ସଂସ୍କୃତି ସଂଘ ସଦସ୍ୟ ମାନେ ଜିଲ୍ଲାପାଳଙ୍କୁ ଭେଟି କଳାକାର ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା କଳାକାର ମାନଙ୍କୁ ଭତ୍ତା ପ୍ରଦାନ କରିବାକୁ ଦାବି କରିଥିଲେ ନଚେତ ଆଗାମୀ ଦିନରେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଅଭିଯୋଗରେ ଦର୍ଶାଇଥିଲେ । ବିଜୟନଗରରେ ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଥିବାରୁ ଜଳଯୋଗାଣ ବାଧାପ୍ରାପ୍ତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ବିଧବା ଭତ୍ତା, ପାନୀୟ ଜଳ,ରାସନ କାର୍ଡ ସମ୍ପର୍କିତ ବହୁ ଅଭିଯୋଗ ଶୁଣାଣୀ ହୋଇଥିଲା । ଆଜି ୬୫ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ୨୦ଟି, ରାସନ କାର୍ଡ ୯ଟି, ଭତ୍ତା ୫ଟି, କଳାକାର ଭତ୍ତା ୨ଟି, ମୁଖ୍ୟମନ୍ତ୍ରୀ ଚିକିତ୍ସା ସହାୟତା ୭ ଜଣ, ପାନୀୟ ଜଳ ୪ଟି,ଏନଆରଜିଏସ ୧ ଏବଂ ଅନ୍ୟାନ୍ୟ ୧୫ଟି ବୋଲି ଜଣାପଡିଛି । ଭରତ ରାଉତ, କିଶୋର ପ୍ରସାଦଙ୍କୁ ଜିଲ୍ଲାପାଳ ଟ୍ରାଇସାଇକେଲ ପ୍ରଦାନ କରିଥିଲେ । ରାଉତପଡାର ବିକ୍ରମ ରଣାଙ୍କୁ ୨୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ସହାୟତା ରାଶି ପ୍ରଦାନ କରାଯାଇଥିଲା ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
