ନିଟ୍ ପ୍ରବେଶିକା ପରୀକ୍ଷାରେ ଜାଲିଆତି ଘଟଣା

ଭଦ୍ରକ ନିଟ(NEET)-2024 ପରୀକ୍ଷା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)ର ନିର୍ଦ୍ଦେଶାବଳୀ ଅନୁଯାୟୀ ଭଦ୍ରକ ଜିଲ୍ଲାର ଅନେକ ନିର୍ଧାରିତ କେନ୍ଦ୍ରରେ କରାଯାଇଥିଲା । ଭଦ୍ରକ ଏସବିଡ଼ି ଇଣ୍ଟରନେସନଲ ସ୍କୁଲ ବି ଜିଲ୍ଲାର ଅନ୍ୟତମ କେନ୍ଦ୍ର ଥିଲା । ଯେଉଁଠି ଗତ ୦୫.୦୫.୨୦୨୪ ରେ NEET- 2024 ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ସମୟରେ ଆଡମିନିଷ୍ଟ୍ରେଟିଭ୍ ଅଫିସର ଜଣେ ପ୍ରାର୍ଥୀଙ୍କ ପ୍ରମାଣପତ୍ର ଯାଞ୍ଚ କରିବାକୁ ପ୍ରିନ୍ସିପାଲଙ୍କ ଠାରୁ ଏକ କଲ ପାଇଲେ। ଯାହାର ରୋଲ୍ ନମ୍ବରବ 3619070303 ଏବଂ ନାମ ଶାଶ୍ୱତ ତ୍ରିପାଠୀ। ଆଧାର ବିବରଣୀ ଯାଞ୍ଚ ପରେ ଏହା ନିଶ୍ଚିତ ହୋଇଥିଲା ଯେ ପରୀକ୍ଷାର୍ଥୀ ଜଣଙ୍କ ଶାଶ୍ୱତଙ୍କ ନାମରେ ଜାଲିଆତି କରି ଅଙ୍କିତ ରାଜ (୨୨) ପିତା- ଧନଞ୍ଜୟ ପ୍ରସାଦ ନାମରେ ପରୀକ୍ଷାରେ ଛଦ୍ମନାମ କରି ପ୍ରତାରଣା କରିଛନ୍ତି।ଉପଯୁକ୍ତ ଅନୁସନ୍ଧାନ ପରେ ଏହା ଜଣାପଡ଼ିଥିଲା ଯେ, ଅଙ୍କିତ ରାଜ ୨୦୨୧ ରେ NEET କ୍ଵଲିଫାଇ କରି ସମ୍ପ୍ରତି ବର୍ତ୍ତମାନ ସେ କୋଲକାତା ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ର ଭାବେ ଅଧ୍ୟୟନ କରୁଛନ୍ତି। ପରୀକ୍ଷାରେ ଯୋଗଦେବା ପାଇଁ ତାଙ୍କୁ ଜଣେ ଆଦିତ୍ୟ କୁମାରଙ୍କ ମାଧ୍ୟମରେ ଶାଶ୍ୱତ ତ୍ରିପାଠୀଙ୍କ ପାଇଁ ପରୀକ୍ଷା ଦେବାକୁ ଅଙ୍କିତ ରାଜଙ୍କୁ ରାଜି କରାଯାଇଥିଲା । ଏ ବାବଦରେ ଅଙ୍କିତଙ୍କୁ  ୧୦ ଲକ୍ଷ ଟଙ୍କାର ଡିଲ ଦିଆଯାଇଥିଲା। ସେ ଟ୍ରେନ ଯୋଗେ 04.05.2024 ରେ ଭଦ୍ରକକୁ ଆସିଥିଲେ ଏବଂ ତାଙ୍କୁ ରେଳ ଷ୍ଟେସନରେ ରାଜେଶ କୁମାର ମଧୁକର ଓ ପ୍ରେମଶଙ୍କର ପାଣ୍ଡେ ଦୁଇ ଜଣ ବ୍ୟକ୍ତି ରିସିଭ କରିଥିଲେ। ତା’ପରେ 5.5.2024 ରେ ସେ ଅନ୍ୟ ତିନି ଅଭିଯୁକ୍ତଙ୍କ ସହ ପରୀକ୍ଷା ପାଇଁ ଯାଇଥିଲେ ।ଉକ୍ତ ଜାଲିଆତି ଘଟଣାର ୩ଜଣ ଅଭିଯୁକ୍ତ ହେଲେ – ବିହାର ନାଓଦା ଜିଲ୍ଲାର ସାହେବ ଛକ ନିବାସୀ ଅଙ୍କିତ ରାଜ, ବିହାର ଲଖୀସରାଇ ଜିଲାର ପିପାରିଆ ଗାଁର ରାଜେଶ ମଧୁକର ଓ ଝାଡ଼ଖଣ୍ଡ ରାଜ୍ୟ ପୂର୍ବ ସିଂହ ଭୂମ ଜିଲ୍ଲାର ନବରଙ୍ଗ ବଜାର ଅଂଚଳର ପ୍ରେମଶଙ୍କର ପାଣ୍ଡେ । ଘଟଣାରେ ପରୀକ୍ଷା ସମ୍ବନ୍ଧୀୟ ଦଲିଲଗୁଡ଼ିକ, ଆଡମିଟ୍ କାର୍ଡ, ୩ ମୋବାଇଲ୍ ଫୋନ୍ ଗୋଟିଏ ନୀଳ ରଙ୍ଗର  କାର୍ ପୁଲିସ ଜବତ କରିଛି । ଅନ୍ୟ ସଂପୃକ୍ତଙ୍କ ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଛି । ଘଟଣାରେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଏକ ମାମଲା (ନମ୍ବର-୩୧୮/୨୪, ଦଫା-୪୧୯/୪୨୦/୪୬୭/୪୭୮/୧୨୦/ବି ଆଇପିସି) ରୁଜୁ କରିଛି । ତେବେ ପ୍ରକୃତ ପରୀକ୍ଷାର୍ଥୀ ଶାଶ୍ୱତ ତ୍ରିପାଠୀକୁ ପୁଲିସ ଗିରଫ କରିବାର ପୁଲିସ ସକ୍ଷମ ହୋଇନି ।

Leave a Reply

Your email address will not be published. Required fields are marked *