ବ୍ରହ୍ମପୁରରୁ ଅଯୋଧ୍ୟା ସ୍ବତନ୍ତ୍ର ବସର ଶୁଭାରମ୍ଭ

ବ୍ରହ୍ମପୁର:-୧୨/୦୧ ()ମହାକୁମ୍ଭ-୨୦୨୫ ପାଇଁ ଓଡ଼ିଶା-ଅଯୋଧ୍ୟା ସ୍ୱତନ୍ତ୍ର ବସ ସେବାର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ରାଜ୍ୟର ୪ ପ୍ରମୁଖ ସ୍ଥାନ ପୁରୀ, ବ୍ରହ୍ମପୁର, ଭବାନୀପାଟଣା ଓ ସମ୍ବଲପୁରରୁ ଏହି ବସ୍ ସେବା ଆରମ୍ଭ ହୋଇଛି । ବ୍ରହ୍ମପୁର ଓଏସରାଟିସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁରରୁ ଅଯୋଧ୍ୟା ଯାଉଥିବା ସ୍ବତନ୍ତ୍ର ବସର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶ୍ରଦ୍ଧାଳୁମାନଙ୍କୁ ଯାତ୍ରାର ଶୁଭକାମନା ଜଣାଇଥିଲେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଓଡ଼ିଶାର ଜନତାଙ୍କ ଆସ୍ଥା ଓ ବିଶ୍ୱାସ ପ୍ରତି ଆମ ସରକାର ସର୍ବଦା ସଚେତନ ଅଛନ୍ତି ଏବଂ ଯାତ୍ରା ସମୟରେ ସମସ୍ତ ପ୍ରକାରର ସହାୟତା ପାଇଁ ଉପଲବ୍ଧ ରହିବୁ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ ସୁପର ପ୍ରିମିୟମ ଭଲ୍ଭ ବସ୍ ସେବା ସପ୍ତାହରେ ଦୁଇ ଥର ବ୍ରହ୍ମପୁର ଠାରୁ ବନାରସ, ପ୍ରୟାଗରାଜ ଦେଇ ଅଯୋଧ୍ୟା ପର୍ଯ୍ୟନ୍ତ ଚାଲିବ । ଏହି ବସରେ ରାଜ୍ୟ ସରକାରଙ୍କ ତରଫରୁ ଜଣେ ଗାଇଡ୍ ଜଣେ ମ୍ୟାନେଜର ସହ ଜଳପାନ ଏବଂ ଭୋଜନର ବ୍ୟବସ୍ଥା ମଧ୍ୟ ଉପଲବ୍ଧ କରାଯାଇଛି । ମହିଳା ଯାତ୍ରୀଙ୍କ ପାଇଁ ରିହାତି ବ୍ୟବସ୍ଥା ସରକାର କରିଛନ୍ତି । ଏହା ସହ ଯାତ୍ରୀଙ୍କ ସୁବିଧା ପାଇଁ ଅନଲାଇନ୍ ଟିକଟ ବ୍ୟବସ୍ଥା ମଧ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ଗଞ୍ଜାମ ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ,ଜିଲ୍ଲା ପରିବହନ ପରିଚାଳକ ଶାନ୍ତୁନୁ ମିଶ୍ର,ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ବରିଷ୍ଠ ନେତା ସୁରେଶ ପାଢ଼ୀ, ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ୱରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା,ରତ୍ନଗର୍ଭା ସରସ୍ଵତୀ ଦେବୀ,ଏସ୍.ରାଣୀ,ରାଜେଶ କୁମାର ସାହୁ,ଶିବ ସତପଥି,କମଲ ପାତ୍ର, ପ୍ରମୁଖଙ୍କ ସମେତ ବହୁ ସହର ବାସୀ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *