୫ ବର୍ଷ ମଧ୍ୟରେ ରାଜ୍ୟରେ କେହି ଭୂମି ହୀନ ରହିବେ ନାହିଁ :ରାଜସ୍ବ ମନ୍ତ୍ରୀପୁରୀ ରେ ରାଜସ୍ବ ମନ୍ତ୍ରୀ ଙ୍କ ଦ୍ଵାରା ପଟ୍ଟା ବଣ୍ଟନ

ପୁରୀ ୨୬/୧ ନିଜର ଘର ଟିଏ ସମସ୍ତଙ୍କ ସ୍ବପ୍ନ ଥାଏ।ଆଉ ଘର ପାଇଁ ଭୂମି ଜରୁରୀ।ଭୂମି ହୀନ ମାନଙ୍କୁ ଚିହ୍ନଟ କରି ଆଗାମୀ ୫ ବର୍ଷ ମଧ୍ୟରେ ସମସ୍ତଙ୍କୁ ଜମି ପଟ୍ଟା ଦେବା ର ବ୍ୟବସ୍ଥା ସରକାର କରିଛନ୍ତି।ସେହିପରି ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସମସ୍ତ ଶିକ୍ଷାନୁଷ୍ଠାନ ନାମରେ ଜମି ପଟ୍ଟା ଦିଆଯିବ।ଆବଶ୍ୟକ ସ୍ଥଳେ ପିଲା ମାନଙ୍କ ଖେଳ ପଡିଆ ପାଇଁ ଅଧିକ ଜମି ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।ଆଜି ସାଧାରଣତନ୍ତ୍ର ଦିବସ ଅବସରରେ ସଂସ୍କୃତି ଭବନ ଠାରେ ବସୁନ୍ଧରା ଯୋଜନା ରେ ପୁରୀ ଜିଲ୍ଲାର ୧୪ ଜଣ ଭୂମି ହୀନ ଙ୍କୁ ଓ ୨୦ ଗୋଟି ଶିକ୍ଷାନୁଷ୍ଠାନ କୁ ମନ୍ତ୍ରୀ ଶ୍ରୀ ପୂଜାରୀ ପଟ୍ଟା ବଣ୍ଟନ କରିଥିଲେ।ଶତାଧିକ ବର୍ଷ ପୁରୁଣା ପୁରୀ ଜିଲ୍ଲା ସ୍କୁଲ,ବିଶ୍ବମ୍ଭର ବିଦ୍ୟାପୀଠ ନାମରେ ଏ ପର୍ଯ୍ୟନ୍ତ ଜମି ପଟ୍ଟା ହୋଇ ନ ଥିବା ସମ୍ପର୍କରେ ମନ୍ତ୍ରୀ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।ତେବେ ସେହି ବିଦ୍ୟାଳୟ ସହ ଅନ୍ୟ ଶିକ୍ଷାନୁଷ୍ଠାନ ମାନଙ୍କୁ ଜମି ପଟ୍ଟା ପ୍ରଦାନ କରିଥିବାରୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ର କର୍ମକର୍ତ୍ତା ମାନେ ମନ୍ତ୍ରୀ ଓ ସରକାର ଙ୍କୁ କୃତଜ୍ଞତା ଜଣାଇଥିଲେ।ଶ୍ରୀ ପୂଜାରୀ ନିଜ ବକ୍ତବ୍ୟ ରେ ଭୂମି ଇଶ୍ବର ଦତ୍ତ।ଭୂମି ମଧ୍ୟ ଏକ ଜରୁରୀ ଆବଶ୍ୟକତା।ସେଥିପାଇଁ ଭୂମି ପାଇଁ ଭାଇ ଭାଇ,ରାଜ୍ୟ ରାଜ୍ୟ, ଦେଶ ଦେଶ ମଧ୍ୟରେ କଳହ,ଯୁଦ୍ଧ ହେଉଛି।ଭୂମି ପାଇଁ ମହାଭାରତ ସଂଘଟିତ ହୋଇଥିଲା।ପୁରୀ ର ଜମି ସମସ୍ୟା ଜଟିଳ।

ଏହାକୁ ସହମତି ଭିତ୍ତି ରେ ସମାଧାନ କରାଯିବ।ସଭିଙ୍କ ସହଯୋଗ ମିଶିଲେ ପୁରୀ ଜିଲ୍ଲା ଜମି ପଟ୍ଟା ବଣ୍ଟନ ରେ ଏକ ନମ୍ବର ଜିଲ୍ଲା ହୋଇ ପାରିବ ବୋଲି ମନ୍ତ୍ରୀ କହିବା ସହ ବିକଶିତ ଓଡିଶା ଓ ବିକଶିତ ଭାରତର ସ୍ବପ୍ନ କୁ ଏହା ଦ୍ଵାରା ଆମେ ସଫଳ କରିବା ବୋଲି ଆହ୍ଵାନ ଦେଇଥିଲେ।ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ଭୂମି ହୀନ ଙ୍କୁ ଓ ଶିକ୍ଷାନୁଷ୍ଠାନ ଗୁଡିକୁ ନିଜ ନାମରେ ଜମି ପଟ୍ଟା ପ୍ରଦାନ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିବା ସହ ସମସ୍ତଙ୍କ ସହଯୋଗ ଏହାକୁ ତ୍ବରାନ୍ବିତ କରିବ ବୋଲି ଆଶା କରିଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସମସ୍ତଙ୍କୁ ସ୍ବାଗତ ସହ ଜିଲ୍ଲାରେ ବସୁନ୍ଧରା ଯୋଜନା ର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ।ମନ୍ତ୍ରୀ ଶ୍ରୀ ପୂଜାରୀ ହିତାଧିକାରୀ ମାନଙ୍କୁ ପଟ୍ଟା ବଣ୍ଟନ କରିଥିଲେ।ଶେଷରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ ଶରତ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ତହସିଲଦାର ପୁରୀ ଅଭିଷେକ ଦାଶ,ସତ୍ୟବାଦୀ ସନ୍ତୋଷ କୁମାର ପାଣିଗ୍ରାହୀ, ବ୍ରହ୍ମଗିରି ଶଶୀଭୂଷଣ ମିଶ୍ର, କଣାସ ତହସିଲଦାର ହିମାଂଶୁ ଗିରି,ଅତିରିକ୍ତ ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ,କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *