ବୁଲା ଗୋରୁଗାଈଙ୍କ ପାଇଁ ନାହିଁ ଥଇଥାନ
ବୁଲା ଗୋରୁଗାଈଙ୍କ ପାଇଁ ନାହିଁ ଥଇଥାନ ।
ସଡକ ଦୁର୍ଘଟଣାରେ ଯାଉଛି ଗୋ-ମାତା ଜୀବନ।
କୋଣାର୍କ,୦୧.୦୯(ଜ୍ଞାନ ରଞ୍ଜନ ବିଶ୍ଵାଳ)- କୋଣାର୍କ ତଥା ଆଖପାଖ ଅଞ୍ଚଳରେ ବୁଲା ଗାଈ ଗୋରୁଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ଦେଖିବାକୁ ମିଳିଛି। ଫଳରେ ରାସ୍ତା ଉପରେ ଟ୍ରାଫିକ ସମସ୍ୟା ଦେଖା ଯିବା ସହ ଛୋଟ ବଡ଼ ଦୁର୍ଘଟଣା ଘଟି ଧନ ଜୀବନ ସମେତ ଗୋ ମାତାଙ୍କ ଜୀବନ ଯାଉଅଛି। ଏହି ବୁଲା ଗୋରୁଗାଈଙ୍କ ପାଇଁ ପ୍ରଶାସନ ପକ୍ଷରୁ ଥଇଥାନ କେନ୍ଦ୍ର କିମ୍ବା ଗୋଶାଳା କି କାଞ୍ଜିଆହୁଦା ନଥିବାରେ ଆଶ୍ରୟ ପାଇଁ ସେମାନେ ମୁଖ୍ୟ ରାସ୍ତାକୁ ଆପଣାଇ ନେଇଥିବା ବେଳେ ବେପରୁଆ ଦ୍ରୁତ ଗାଡ଼ି ଚାଳନା ଯୋଗୁଁ ସେମାନଙ୍କ ଜୀବନ ହାନି ହେଉଛି। ଲଗାତାର ଭାବେ କୋଣାର୍କ ଅଞ୍ଚଳରେ ଏହି ସମସ୍ୟା ବୃଦ୍ଧି ପାଇଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ ଅଣଦେଖା କରିବାରେ ଚଳିତ ସପ୍ତାହ ମଧ୍ୟରେ ସଡ଼କ ଦୁର୍ଘଟଣାରେ ଅନେକ ଗୋ – ସମ୍ପଦଙ୍କ ଜୀବନ ହାନୀ ହୋଇଥିବା ଜଣାପଡିଛି। ପାଞ୍ଚ ଦିନ ପୂର୍ବେ ଗାଡ଼ି ଧକ୍କାରେ କୋଣାର୍କ ନାଟ୍ୟ ମଣ୍ଡପ ନିକଟରେ ଦୁଇ ଗାଈଙ୍କ ମୃତ୍ୟୁ ହୋଇଥିବା ବେଳେ ରବିବାର ବିଳମ୍ୱିତ ରାତ୍ରରେ ଗୁଣ୍ଡି ଛକ ପେଟ୍ରୋଲ ପମ୍ପ ନିକଟରେ ଏକ କାର (ଓଡ଼ି ୧୩କେ ୭୭୭୯) ଧକ୍କା ରେ ଦୁଇଟି ଷଣ୍ଢ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି। ସନ୍ଧ୍ୟା ହେଲେ ବୁଲା ଗାଈଗୋରୁ ମାନେ ମୁଖ୍ୟ ରାସ୍ତାକୁ କବଜା କରିନେଉଥିବାରେ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଗୋ ସମ୍ପଦ ସହ ଧନ ଜୀବନ ହାନୀ ଘଟୁଛି। ତୁରନ୍ତ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଗୋ ସମ୍ପଦର ସୁରକ୍ଷା ସହ ଥଇଥାନ ପାଇଁ ସୁବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ପ୍ରକାଶ ପାଇଛି। ଏନେଇ କୋଣାର୍କ ଥାନାରେ ଗୋ ସେବକଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଲୋକମାନେ ପହଞ୍ଚିବା ପରେ ଘଟଣା ସ୍ଥଳରୁ ଗାଡ଼ିଟି ଫେରାର ହୋଇଯାଇଛି।
