ଖେଳ ପଡ଼ିଆ ନୁହେଁ ମରଣ ଯନ୍ତା

ଗଣିଆ(ଜ୍ଞାନୀ ପ୍ରକାଶ ସେନାପତି) ଛାତ୍ର ଛାତ୍ରୀ ମାନଙ୍କର କ୍ରିଡାର ବିକାଶ କରିବା ତଥା ଶାରିରୀକ ଦକ୍ଷତା ବୃଦ୍ଧି କରିବା ଉଦ୍ଧେଶ୍ୟରେ ସରକାର ବିଭିନ୍ନ ବିଦ୍ୟାଳୟରେ ମିନି ଷ୍ଟାଡିୟମ ଅଥବା ବିଦ୍ୟାଳୟ ଗୁଡିକରେ ଥିବା ଖେଳପଡିଆ ଗୁଡିକର ଉନ୍ନତିକରଣ କରୁଛନ୍ତି । ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । ତେବେ ଅର୍ଥ ଖର୍ଚ୍ଚ ହେଉଛି ସତ କିନ୍ତୁ ତାହା ଛାତ୍ର ଛାତ୍ରୀ ମାନଙ୍କ କାମରେ ଲାଗୁନାହିଁ । ଗଣିଆ ବ୍ଳକ ଆଡକଟା ପଞ୍ଚାୟତ କାକୁଡିଖୋଲ ଠାରେ ଥିବା ଆଦର୍ଶ ବିଦ୍ୟାଳୟ ଖେଳପଡିଆ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଉକ୍ତ ବିଦ୍ୟାଳୟର ଖେଳପଡିଆ ଉନ୍ନତି କରଣ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଫଳକରେ କାର୍ଯ୍ୟ ଆରମ୍ଭ ତାରିଖ କିମ୍ବା କାର୍ଯ୍ୟ ଶେଷ ତାରିଖ ଲେଖା ଯାଇନାହିଁ । ସବୁଠାରୁ ଦୁଃଖ ଏବଂ ପରିତାପର ବିଷୟ ପଡିଆରେ ମାଟି ଗଦାଇ ଖେଳପଡିଆର ଉନ୍ନତିକରଣ ହୋଇଥିବା ଜଣାପଡିଛି । ଖେଳପଡିଆ ନିର୍ମାଣ କରାଯାଇଥିବା ସ୍ଥାନରେ ବଡ଼ ବଡ଼ ପଥର ରହିଥିଲା । ସେହି ପଥର ଗୁଡ଼ିକୁ ସେଠାରୁ ବାହାର କରିବା ତ ଦୂରର କଥା ତା ଉପରେ ମାଟି ପକାଇ ବି ସମାନ କରାଯାଇନାହିଁ । ଏହି ପଡିଆରେ ଏବେ ଛାତ୍ର ମାନେ କ୍ରିକେଟ ଖେଳୁଥିବା ବେଳେ ପଥର ଉପରେ ପଡି ଖଣ୍ଡିଆ ଖାବରା ହେଉଛନ୍ତି । ପଡିଆଟିକୁ ସମାନ କରାଯାଇନଥିବାରୁ ଅନେକ ସ୍ଥାନରେ ଖାଲଖମା ଥିବା ସହିତ ପଥର ଗୁଡିକ ଅଧା ପୋତି ହୋଇ ରହିଛି । ଆଦର୍ଶ ବିଦ୍ୟାଳୟର ଖେଳପଡିଆ ଦେଖିଲେ ଏହା କେତେ ଆଦର୍ଶ ତାହା ସହଜରେ ଅନୁମାନ କରିହେଉଛି । ପିଲାମାନେ ଉପାୟଶୂନ୍ୟ ହୋଇ ସେହି ପଡ଼ିଆରେ କ୍ରିକେଟ ଫୁଟବଲ ଆଦି ଖେଳୁଛନ୍ତି । ଅନେକ ସମୟରେ ଗୋଡ଼ରେ ପଥର,ଗୋଡ଼ି ଗଳି ଯାଉଥିବା ପିଲାମାନେ ପ୍ରକାଶ କରିଛନ୍ତି । ତେବେ ଦଉଡା ଦଉଡ଼ି କଲାବେଳେ ଯଦି ଅସାବଧାନତା ବସତ ପଥର ଉପରେ ପଡି କିଛି ବି ଅଘଟଣ ଘଟିବ ସେଥିପାଇଁ କିଏ ଦାୟୀ ରହିବ ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତିି । ଆଗକୁ ଅଗଷ୍ଟ ପନ୍ଦର ଥିବାରୁ ଏଠାରେ ପ୍ୟାରେଡ ଅଭ୍ୟାସ କରିବାକୁ ଅନେକ ଅସୁବିଧା ହୋଇପାରେ ବୋଲି ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତିି । ତେବେ ଛାତ୍ର ଛାତ୍ରୀ ମାନଙ୍କର ବୃହତ ସ୍ବାର୍ଥ ଦୃଷ୍ଟିରୁ ତୁରନ୍ତ ଉକ୍ତ ଖେଳପଡିଆରେ ଥିବା ସମସ୍ୟାକୁ ସମାଧାନ କରିବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *