ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ

ଆସିକା : ଆସିକା ବିଜ୍ଞାନ ମହାବିଦ୍ୟାଳୟ ଭାର ପ୍ରାପ୍ତ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡାଙ୍କ ପୌରହିତ୍ୟରେ ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ସୂଚ଼ାରୁ ରୂପେ ସଂପାଦିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଫେସର କେଦାର ନାଥ ପଣ୍ଡା, ମୁଖ୍ୟ ବକ୍ତା ଡ. ସସ୍ମିତା ପାତ୍ର ତଥା ଯୁବ ରେଡକ୍ରସର ଉପଦେଷ୍ଟା ରାଜେଶ କୁମାର ସାହୁ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ। ଯୁକ୍ତ ତିନି ଏନ୍ଏସ୍ଏସ୍ ୟୁନିଟର ପ୍ରୋଗ୍ରାମ ଅଫିସର ଚ଼ନ୍ଦନ ମାରାଣ୍ଡି ମଞ୍ଚାସୀନ ଅତିଥିଙ୍କ ପରିଚ଼ୟ ପ୍ରଦାନ କରିଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ପଣ୍ଡା ସଭାକାର୍ଯ୍ୟ ସଂପାଦନା କରିଥିଲେ। ମୁଖ୍ୟ ସଂଗଠକରୂପେ ଯୁକ୍ତ ଦୁଇ ୟୁନିଟର ପ୍ରୋଗ୍ରାମ ଅଫିସର ପବିତ୍ର ଧଙ୍ଗଡାମାଝି ସଭାର ସମସ୍ତ କାର୍ଯ୍ୟ ଆୟୋଜନ କରିଥିଲେ। ମୁଖ୍ୟ ଅତିଥି ପ୍ରଫେସର ପଣ୍ଡା ସେବା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ବ୍ୟକ୍ତିତ୍ବର ବିକାଶ ପରିଲକ୍ଷିତ ହୋଇଥାଏ ବୋଲି ମତ ଦେଇଥିଲେ ଏବଂ ସେବା ପରାୟଣତାର ମୂର୍ତ୍ତିମନ୍ତ ପ୍ରତୀକ ମଦର ଟେରେସା, ପଣ୍ଡିତ ଗୋପବନ୍ଧୁ ଦାଶ ଏବଂ ବାରିଷ୍ଟର ମଧୂସୁଦନ ଦାସଙ୍କ ମାନବିକତା ସେବାର ଜ୍ଜ୍ୱଳନ୍ତ ଉଦାହରଣ ରଖିଥିଲେ। ଜାତୀୟ ସେବା ଯୋଜନାର ପୃଷ୍ଟପୋଷକ ତଥା ଭାରତର ଯୁଗ୍ମ ଶିକ୍ଷାମନ୍ତ୍ରୀ ସ୍ବର୍ଗତ ଭିକେଆରବି ରାଓଙ୍କ ସେବା ପରାୟଣତାର ପରିକଳ୍ପନାକୁ ସ୍ମୃତିଚାରଣ କରାଯାଇଥିଲା। ମୁଖ୍ୟ ବକ୍ତା ଡ. ପାତ୍ର ଜାତୀୟ ସେବା ଯୋଜନାର ଉପକାରିତା ଉପରେ ଏନ୍ଏସ୍ଏସର ସ୍ବେଛାସେବୀ ଛାତ୍ରଛାତ୍ରୀମାନଙ୍କୁ ପୁଙ୍ଖାନୁପୁଙ୍ଖ ଅବଗତ କରାଇଥିଲେ। ସମ୍ମାନିତ ଅତିଥି ଶ୍ରୀ ସାହୁ ନିଜ ଅଞ୍ଚଳ, ରାଜ୍ୟ ତଥା ଦେଶର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୂମୁର୍ଷୁ ତଥା ବିପନ୍ନ ଜନତାଙ୍କୁ ସେବା କରିବା ପାଇଁ ଯୁବ ପିଢ଼ିଙ୍କୁ ଆହ୍ବାନ କରିଥିଲେ। ପରିଶେଷରେ ଯୁକ୍ତ ତିନିର ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ମଞ୍ଜୁ ଡାକୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରଞ୍ଜନ କୁମାର ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *