ନୂଆଗାଁ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ

ନୂଆଗାଁ – ନୟାଗଡ ଜିଲ୍ଲା ନୂଆଗାଁ ମହୋତ୍ସବ ପଡିଆରେ ନୂଆଗାଁ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ ହୋଇଯାଇଛି । ଅପରାହ୍ନରେ ପଞ୍ଚୁପାଣ୍ଡବ ପୀଠ ଠାରୁ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ସଂକୀର୍ତ୍ତନ ଏବଂ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମହୋତ୍ସବ କମିଟିର ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଉଦଘାଟକ ଭାବେ ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅତିଥି ଭାବେ ରାଜନଗର ବିଧାୟକ ଧୃବଚରଣ ସାହୁ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଡ଼ିଓ ଅମୃତ କୁମାର ରାଉଳ,ଜିଲ୍ଲା ପରିଷଦ ସଭ୍ୟ ହରିଶ୍ଚନ୍ଦ୍ର ଜାନି ପ୍ରମୁଖ ଉପସ୍ଥିତ ଥିଲେ । ସଂସ୍କୃତି ଏବଂ ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ଗାଁ ଗାଁରେ ମହୋତ୍ସବ ହିଁ ଏକ ମାଧ୍ୟମ ବୋଲି ସଭାପତି ଶ୍ରୀ ବେହେରା ପ୍ରକାଶ କରିଥିଲେ । ମହୋତ୍ସବ ମାଧ୍ୟମରେ ଭାଇଚାରା ସଂଗଠିତ ହୋଇଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଏହି ମହୋତ୍ସବ ୪ ଦିନ ଧରି ଚାଲିବ ବୋଲି ଜଣାପଡିଛି । ପ୍ରତ୍ୟେକ ଦିନ ଓଡ଼ିଶାର ନାମିଦାମୀ କଳାକାରଙ୍କ ସହିତ ସିନେତାରକା ଯୋଗ ଦେବେ ବୋଲି ଜଣାପଡିଛି । ସନ୍ଧ୍ୟା ସମୟରେ ସ୍ଥାନୀୟ କଳାକାର ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କଷ୍ଟି ଡାକୁଆ ସାଂସ୍କୃତିକ ମଞ୍ଚରେ ପ୍ରଥମ ଦିନରେ ସିନେ ତାରକା ଦିବ୍ୟା ମହାନ୍ତି ଓ ଡ୍ୟାନ୍ସ ଗ୍ରୁପ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ଉପସ୍ଥିତ ଲୋକେ ପଲ୍ଲିଶ୍ରୀ ମେଳାର ଭରପୁର ମଜା ନେଇଥିଲେ । ଶିତୁଆ ସଂନ୍ଧ୍ୟାରେ ମହୋତ୍ସବ ଦେଖିବାକୁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଭାରପ୍ରାପ୍ତ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କ ତତ୍ତ୍ଵାବଧାନରେ ଶାନ୍ତି ଶୃଙ୍ଖଳାରେ ମହୋତ୍ସବ ଉଦଘାଟିତ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *