ହେ ଅର୍ଜୁନ ! କର୍ମଯୋଗୀ ହୁଅ
ହେ ଅର୍ଜୁନ ! କର୍ମଯୋଗୀ ହୁଅ
🖊️କବିରତ୍ନ ନୂତନ କୁମାର ବେହେରା
ବିସ୍ଫାରିତ ନୟନରେ ଅବଲୋକନ କରି
କୁରୁକ୍ଷେତ୍ରେ ସୈନ୍ୟ ସାମନ୍ତଙ୍କ ସଜ୍ଜାର ଦୃଶ୍ୟ
ବୀର ଅର୍ଜୁନ ବିଷାଦରେ ହେଲେ ଉଦବିଘ୍ନ
ମନସ୍ତାପେ ବର୍ଜିଲେ ସେ ତାଙ୍କର ଗାଣ୍ଡିବ
କାହା ସହିତ କରିବେ ସେ ଏ ଭୟଙ୍କର ଯୁଦ୍ଧ
ସମ୍ମୁଖରେ ପିତାମହ ଭୀଷ୍ମ ଗୁରୁ ଦ୍ରୋଣାଚାର୍ଯ୍ୟ
ପୁଣି ରାଜଗୁରୁ କୃପାଚାରୀ ଓ କୌରବ ଭ୍ରାତାଗଣ
ନିଜ ଜ୍ଞାତି କୁଟୁମ୍ବ ଏକ ରକ୍ତ ସଂପର୍କର
ରାଜ ସିଂହାସନ ପାଇଁ ସେ କରିବେ ସମର
ନା…ନା…ଏ ଯେ ତାଙ୍କ ପାଇଁ ଅସମ୍ଭବ
ସଖା ସାରଥି ଶ୍ରୀକୃଷ୍ଣ ଦେଖି ଅର୍ଜୁନଙ୍କର ବିଷାଦ
ସ୍ମିତ ହାସ୍ୟରେ କହିଲେ ଦେଇ ଉଦ୍ ବୋଧନା
ତୁମେ ଅନନ୍ୟ ଧନୁର୍ଦ୍ଧର ହେ ବୀର ଫାଲଗୁନୀ !
ହୁଅ ନାହିଁ ଧୈର୍ଯ୍ୟ ଚ୍ୟୁତ ନିଜକୁ କର ସୁଦୃଢ଼
ବାଜିଲାଣି ଶୁଭ ଶଙ୍ଖ ଆରମ୍ଭ ହେବ ଧର୍ମକ୍ଷୁଦ୍ଧ
ପ୍ରତିପକ୍ଷ ମାନୀ ଦୁର୍ଯ୍ୟୋଧନ ଦିଏ ରଣ ହୁଙ୍କାର
ସାଥେ ନେଇ ତାର ବିରାଟ ସୈନ୍ୟବାହିନୀ
ନହୁଅ ବିବ୍ରତ ଭାବନାରେ ନଭାସି ବାସ୍ତବ ଚିନ୍ତ
ଅନ୍ୟାୟ ବିରୁଦ୍ଧରେ ତୁମେ କରିବ ସଂଗ୍ରାମ
ଅଧର୍ମକୁ ନାଶି ତୁମେ କରିବ ଧର୍ମର ସୁରକ୍ଷା
ହେ ଅର୍ଜୁନ ! କର୍ମମଯୋଗୀ ହୁଅ କର୍ମ କରି ଚାଲ
ତୁମେ କାହାକୁ ମାରୁନ କରୁଛ ବୀରର କର୍ତ୍ତବ୍ୟ
ସବୁରି ମଧ୍ୟରେ ଆତ୍ମା କରିଛି ବିରାଜମାନ
ତାର ନାହିଁ ମୃତ୍ୟୁ ସେ ତ ଚିର ଅଜେୟ ଅମର
ଏକ ଶରୀରରୁ ଅନ୍ୟ ଶରୀରକୁ କରେ ଗମନ
ଯେହ୍ନେ ମାନବ ତା’ ସମ୍ମାନ ଲାଗି ଛିହ୍ନବସ୍ତ୍ର ଛାଡ଼ି
ନବବସ୍ତ୍ର କରିଥାଏ ସେ ସ୍ବଇଚ୍ଛାରେ ଧାରଣ
ତଦ୍ରୂପେ ଆତ୍ମା ଜନ୍ମ ଜନ୍ମାନ୍ତରେ ବଦଳାଏ ଘଟ
ପ୍ରଭୁ ଶ୍ରୀକୃଷ୍ଣ ଦେଖାଇଲେ ତାଙ୍କର ବିଶ୍ଵରୂପ
ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ସେ ପରଂବ୍ରହ୍ମ ସ୍ଵୟଂ
ସେ ହିଁ ସୃଷ୍ଟି ସ୍ଥିତି ପ୍ରଳୟ କରି କରାନ୍ତି ସବୁକିଛି
ତାଙ୍କ ଇଙ୍ଗିତରେ ଚାଲୁଅଛି ବିଶ୍ଵ ବ୍ରହ୍ମାଣ୍ଡ
ସାଧୁ ସନ୍ଥଙ୍କୁ ତାରି ଦୁଷ୍ଟଙ୍କୁ କରିଥାନ୍ତି ସଂହାର
ଯୁଗେ ଯୁଗେ ଉଡ଼ାଇ ଆସିଛନ୍ତି ବିଜୟର ଧ୍ଵଜା
ଭକ୍ତି ଯୋଗରେ ଭକତ ହୁଏ ତାଙ୍କର ଶରଣାଗତ
ଜ୍ଞାନ ଯୋଗରେ ଅନୁଭବ କରେ ଦିବ୍ୟ ଶକ୍ତି
କର୍ମ ଯୋଗର କରିଥାଏ ତାର ଦାୟିତ୍ବ ପାଳନ
କର୍ମ ବିନା କିଛି ବି କେବେ ହୁଏ ନାହିଁ ସମ୍ଭବ
ହୃଦୟଙ୍ଗମ କରି ନିଜ ଜ୍ଞାନ ଚକ୍ଷୁରେ ଦେଖ
ତୁମେ ବୀର କ୍ଷତ୍ରିୟ ଯୁଦ୍ଧ କରିବା ତୁମର ଧର୍ମ
ଭକ୍ତି ରଖି ହୃଦେ ଜ୍ଞାନରେ ଚିନ୍ତ ପରମାତ୍ମାଙ୍କୁ
ଆତ୍ମଜ୍ଞାନ ବ୍ରହ୍ମଜ୍ଞାନର କରି ପ୍ରାଞ୍ଜଳେ ବ୍ୟାଖ୍ୟା
ଶ୍ରୀମଦ୍ ଭାଗବତର ପରମ ଜ୍ଞାନତତ୍ତ୍ଵ ଦେଲେ ଶିକ୍ଷା
କହିଲେ ଏକାଗ୍ର ଚିତ୍ତରେ ନେବାକୁ ତାଙ୍କର ଶରଣ
” ମୋ’ଠାରେ ସବୁ କରିଦିଅ ସଂପୂର୍ଣ୍ଣ ସମର୍ପଣ
ମୁଁ ତୁମକୁ ସବୁ ବାଧା ବିଘ୍ନ ପାପରୁ କରିବି ରକ୍ଷା
ଚିନ୍ତା କରନା ମୋକ୍ଷ ଲାଭ କରି ବୈକୁଣ୍ଠକୁ ଯିବ
ତୁମ ମନର ଯେତେ ସଂଶୟ ଦୂର କରି ଦିଅ “
ଉଠାଅ ତୁମର ଗାଣ୍ଡିବ କରି ଧର୍ମଯୁଦ୍ଧ ନାଶ ଅଧର୍ମକୁ
ବୀରର କର୍ତ୍ତବ୍ୟ ସୁଚାରୁ ରୂପେ କର ସମ୍ପାଦନା
ହେ ଅର୍ଜୁନ ! କର୍ମଯୋଗୀ ହୁଅ ଯୁଦ୍ଧ କର….।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
