ହେ ବିଶ୍ଵ ନିର୍ମାତା ବିଶ୍ଵକର୍ମା

 ହେ ବିଶ୍ଵ ନିର୍ମାତା ବିଶ୍ଵକର୍ମା

 ✍️କବିରତ୍ନି ନୂତନ କୁମାର ବେହେରା

ହେ ବିଶ୍ଵକର୍ମା ! ! !
ତୁମେ ବିଶ୍ଵ ନିର୍ମାତା ଦେବଶିଳ୍ପୀ
କି ଦିବ୍ୟ ଚେତନାରେ କଳ୍ପି
ତ୍ରିପୁରରେ ଦେଲ ଖଞ୍ଜି
ଐଶ୍ୱର୍ଯ୍ୟ ପ୍ରାଚୁର୍ଯ୍ୟର ଅକ୍ଷୟ କୀର୍ତ୍ତି
ଅନୁପମ ସମ୍ଭାର ତାର ଅସୀମିତ
ଚଉଦ ଭୁବନେ ରହିଛି ବ୍ୟାପୀ,
ନିଜ ନାଭି କମଳରୁ ପ୍ରଭୁ
ବ୍ରହ୍ମାଙ୍କୁ ସୃଷ୍ଟି ଲାଗି ଦେଇ ଜନମ
ପୁନଶ୍ଚ ତାଙ୍କ ନାଭି କମଳରୁ
ହେଲ ସ୍ଵୟଂ ବିଶ୍ଵକର୍ମା ରୂପୀ।
ସଚରାଚର ବିଶ୍ଵ ବ୍ରହ୍ମାଣ୍ଡରେ
ସୃଜିଲ ଚେତନ ଜୀବ ଜଡ଼ ପ୍ରକୃତି
ଜଗତ କଲ୍ୟାଣେ ପ୍ରାଣୀଙ୍କ ହିତେ
ଦେଲ ସବୁ ଅଗ୍ରେ ସମର୍ପି,
ସୁରମ୍ୟ ପ୍ରାସାଦ ଇନ୍ଦ୍ର ଭବନଠାରୁ
ଅମରାବତୀ ତୁମ ଅମୂଲ୍ୟ କୀର୍ତ୍ତି
ସର୍ବଶ୍ରେଷ୍ଠ ସୁଦୀପ୍ତ ସ୍ଥାପତ୍ୟ
ସ୍ଥୂଳେ ଅଳ୍ପ ଜ୍ଞାନେ ଯା’ ହୁଏନା ମାପି।
ହେ ବିଶ୍ଵକର୍ମା ! ! !
ତୁମେ ବିଶ୍ଵ ନିର୍ମାତା ଦେବଶିଳ୍ପୀ
ତୁମେ ସୃଷ୍ଟିକର୍ତ୍ତା ବିଶ୍ଵକର୍ମା
କିଏ ବା ପାରିବ ବର୍ଣ୍ଣି ତୁମ ମହିମା
ସର୍ବ ସୁଷମାର ତୁମେ ସୁଷମା
କଳି ହୁଏନା ତାର ଆଦି ଅନ୍ତ ସୀମା
ସବୁ କଳ୍ପ ବିକଳ୍ପର ତୁମେ ମହାତପି,
ନବ ନବ ସୃଜି ଭରି ଦିଅ ସମୃଦ୍ଧି
ପୁଣି ଭଙ୍ଗାକୁ ଦିଅ ସଜାଡ଼ି
ଯୁଗ ଯୁଗ ତୁମ ପାଦପଦ୍ମ ଧ୍ୟାୟୀ
ତରି ଯାନ୍ତି ପାପୀ ମହାପାପୀ
ତୁମ ଶ୍ରୀଚରଣ ଯୁଗଳେ ଜପି ଜପି।
ଏକ ବ୍ରହ୍ମରୁ ଅନେକ…ଅନେକରୁ ଏକ
ହୋଇ ତୁମେ ପାଳ ବ୍ରହ୍ମାଣ୍ଡ ଯାକ
ଚାରିଯୁଗେ ଦଶ ଅବତାର
ନେଇ କଳିଯୁଗେ ହେଲ ଦାରୁବ୍ରହ୍ମ,
ନିଜେ ନିଜର ରୂପ ନିର୍ମାଣିଲ
ବୃଦ୍ଧ ଅନନ୍ତ ମହାରଣା ବେଶେ ଆସି
ନିଜକୁ ଅଧା ଗଢ଼ି ରହିଲ ସନ୍ତୋଷ
ପ୍ରେମମୟ କରି ଏ ଧରାଧାମ।
ବୁଝାଇ ଦେଲ ସଂସାର ଅସମ୍ପୂର୍ଣ୍ଣ
ଯେତେ କଲେ ବି ବାକି ରହେ ତଥାପି,
ଶାନ୍ତି ତୃପ୍ତି ଜୀବନର ମୂଳମନ୍ତ୍ର
ସତ୍ୟନିଷ୍ଠ ହେବାକୁ ଭୁଲନା କଦାପି।
ବିଶ୍ବ ନିର୍ମାତା ଦେବଶିଳ୍ପୀ !
ଏକ ବ୍ରହ୍ମ ପରମାତ୍ମା ହୋଇ ତୁମେ
କୋଟି କୋଟି ସ୍ବରୂପେ ରହିଛି ବ୍ୟାପୀ
ଚରଣେ ତୁମର କରୁଛି ପ୍ରଣାମ
ହୃଦେ ଭରି ଦିଅ ଶାନ୍ତି ତୃପ୍ତି ସନ୍ତୋଷ,
ସବୁରି ହିତେ କରୁଥିବି କରମ
ମନେ ପ୍ରାଣେ ରଖି ଦୃଢ଼ ଭରସା ବିଶ୍ଵାସ।
ହେ ବିଶ୍ଵକର୍ମା ! ! !

 କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *