ଓଡ଼ିଆ ନାମ ଫଳକ ଲିଖନ ଅଭିଯାନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ
ପୁରୀ ୪/୪ ଓଡ଼ିଆ ପକ୍ଷ- ୨୦୨୬ ପାଳନ ଅବସରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡିଶା ସରକାର ଏବଂ ଜିଲ୍ଲା ପ୍ରଶାସନ, ପୁରୀ ତରଫରୁ ପୁରୀ ଜିଲ୍ଲାର ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ସମ୍ମୁଖରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ ସୁନିଶ୍ଚିତ କରିବା ସମ୍ପର୍କରେ ଆଜି (ତା. ୦୪.୦୪.୨୦୨୬ ରିଖ) ପୂର୍ବାହ୍ନ ୦୭.୩୦ ଘଟିକା ରେ ଜିଲ୍ଲାପାଳ, ପୁରୀଙ୍କ କାର୍ଯ୍ୟାଳୟରେ ଏକ ସଚେତନତା ପଦଯାତ୍ରା ଆରମ୍ଭ ହୋଇଥିଲା। ଏହାକୁ ପତାକା ଦେଖାଇ ପୁରୀ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶ୍ରୀ ଶରତ ଚନ୍ଦ୍ର ବେହେରା ଶୁଭ ଉଦ୍ଘାଟନ କରି, ସରକାର ଙ୍କ ନିଷ୍ପତି ଅନୁସାରେ ଏପ୍ରିଲ ୦୧ ତାରିଖ ରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ହେଉଛି ବୋଲି କହିଥିଲେ। ପ୍ରତେକ ଦିନ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି ବୋଲି ସେ ଆଲୋକପାତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଆଜି ଜିଲ୍ଲା ଶ୍ରମ ବିଭାଗ ତରଫରୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟ ମାନଙ୍କରେ ଓଡ଼ିଆ ନାମଫଳକ ପ୍ରଦର୍ଶନ କରିବା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ରହିଛି ଏବଂ ଏହି ସମ୍ବନ୍ଧରେ ପ୍ରବର୍ତନର ପ୍ରାବଧାନ ରହିଛି ଵୋଲି ଉଲେଖ କରିଥିଲେ। ଆମେ ଓଡ଼ିଆ, ଆମର ଭାଷା, ଖାଦ୍ୟପେୟ, ପରିଧାନ ଅତ୍ୟନ୍ତ ଆକର୍ଷଣୀୟ ; ତେଣୁ ଆମ ମହାନ ଐତିହ ଓ ପରମ୍ପରା ଅକ୍ଷୁର୍ଣ ରଖିବା ସହ ଓଡ଼ିଆ ଭାଷାକୁ ଉପଯୁକ୍ତ ସମ୍ମାନ ଜଣାଇ ନାମଫଳକକୁ ସର୍ବାଗ୍ରେ ଓଡ଼ିଆ କରିବାକୁ ଶ୍ରୀ ବେହେରା ଅନୁରୋଧ କରିଥିଲେ। ପରେ ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସମୁଦ୍ରକୂଳ ସ୍ଥିତ ଶ୍ରୀ ଚୈତନ୍ୟ ଛକ ପର୍ଯ୍ୟନ୍ତ ଯାଇଥିଲା ଏବଂ ଏହି ଶୋଭାଯାତ୍ରା ରେ ନାମଫଳକ ଲେଖିବା ସମ୍ବନ୍ଧରେ ପ୍ଲାକାର୍ଡ଼ ଓ ସ୍ଲୋଗାନ ମାଧ୍ୟମରେ ସଚେତନତା କରାଯିବା ସହ ଲୀଫଲେଟ ବଣ୍ଟନ କରାଗଲା। ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ସେଠି, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ଚୌଧୁରୀ ସୁବ୍ରତ କୁମାର ଜେନା, ସହକାରୀ ଶ୍ରମ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ, ଶ୍ରୀ ବିକ୍ରମ କେଶରୀ ପ୍ରଧାନ, ଶ୍ରୀ ଆଶିଷ କୁମାର ମାଝୀ, ଶ୍ରୀମତୀ ପଲ୍ଲବୀ ସାହୁ, ଶ୍ରୀ ଚିନ୍ମୟ ପ୍ରିୟଦର୍ଶୀ ଓ ଶ୍ରୀ ଆଶୁତୋଷ ସାହୁ ଉପସ୍ଥିତ ଥିଲେ। ଏତଦବ୍ୟତୀତ ପୁରୀ ଜିଲ୍ଲାର ବିଭିନ୍ନ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକସ ମିଡ଼ିଆର ସାମ୍ବାଦିକ ଗଣ, ବିଭିନ୍ନ ଅଟୋ ଚାଳକ ସଂଘ, ନିର୍ମାଣ ଶ୍ରମିକ ସଂଘ, ଦୋକାନ ଓ ବାଣିଜ୍ୟ ସଂଘ ଓ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଶହ ଶହ ସଂଖ୍ୟା ରେ ଉକ୍ତ ପଦଯାତ୍ରା ରେ ଯୋଗଦାନ କରିଥିଲେ।
