ଏପ୍ରିଲ ୧ ରୁ ୧୪ ପର୍ଯ୍ୟନ୍ତ ପାଳନ ହେବ “ଓଡ଼ିଆ ପକ୍ଷ-୨୦୨୬””
ଏପ୍ରିଲ ୧ ରୁ ୧୪ ପର୍ଯ୍ୟନ୍ତ ପାଳନ ହେବ “ଓଡ଼ିଆ ପକ୍ଷ-୨୦୨୬” ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକବିଭିନ୍ନ ଦିବସରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଏପ୍ରିଲ ୧ ପୂର୍ବାହ୍ନରେ ସୁଆଣ୍ଡୋ ଠାରେ ଏବଂ ସଂଧ୍ୟାରେ ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନ ଠାରେ ହେବ “ରାଜ୍ୟସ୍ତରୀୟ ଓଡ଼ିଶା ଦିବସ” ସମାରୋହ ଏପ୍ରିଲ ୧୪ରେ କୃଷି ଶିକ୍ଷା ସଦନ ଠାରେ ହେବ “ଓଡ଼ିଆ ନବ ବର୍ଷ ପାଳନ” ଏବଂ “ଓଡ଼ିଆ ପକ୍ଷର ଉଦ୍ଯାପନୀ ସମାରୋହ” ସମସ୍ତ କାର୍ଯ୍ୟକ୍ରମକୁ ବ୍ୟାପକ ଓ ଆକର୍ଷଣୀୟ କରିବାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ଓ ପରାମର୍ଶ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ପାଇଁ ଓଡ଼ିଆ ପକ୍ଷ # ୨୦୨୬ ରେ ଅପଲୋଡ କରିବାକୁ ପରାମର୍ଶଭୁବନେଶ୍ୱର,୩୦.୦୩.୨୦୨୬: ଓଡ଼ିଶା ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଂଯୋଜନାରେ ବିଭିନ୍ନ ବିଭାଗର ସମ୍ମିଳିତ ପ୍ରୟାସରେ ଆଗାମୀ ଓଡ଼ିଶା ଦିବସ ଏପ୍ରିଲ ୧ ଠାରୁ ଆରମ୍ଭ କରି ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ “ଓଡ଼ିଆ ପକ୍ଷ-୨୦୨୬” ଅନୁଷ୍ଠିତ ହେବ । ଏଥିପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ବ୍ୟାପକ ଓ ଆକର୍ଷଣୀୟ କରିବାକୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ପାଇଁ ସବୁ ବର୍ଗର ଜନସାଧାରଣଙ୍କ ସଂପୃକ୍ତି ସହ ସମସ୍ତଙ୍କୁ ଓଡ଼ିଆ ପକ୍ଷ # ୨୦୨୬ ରେ ଫଟୋ,ସେଲ୍ଫି ଏବଂ ଭିଡ଼ିଓ ଆଦି ଅପଲୋଡ୍ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରଶ୍ମିତା ପଣ୍ଡା ସୂଚନା ଦେଇଥିଲେ । ଓଡ଼ିଆ ପକ୍ଷ ୨୦୨୬ ‘ ‘ଏକ ସାଂସ୍କୃତିକ ପୁନର୍ଜାଗରଣ’’ । ଓଡ଼ିଆ ପକ୍ଷ ପାଳନ ଏକ ଉତ୍ସବ ନୁହେଁ, ବରଂ ପ୍ରତିଟି ଓଡ଼ିଆ ପ୍ରାଣରେ ନିଜ ସ୍ୱାଭିମାନକୁ ଜୀବନ କରିବାର ଏକ ଅଭିଯାନ ଭାବେ ନେଇ ଉତ୍ସବକୁ ଆନନ୍ଦ ଉଲ୍ଲାସର ସହ ସମସ୍ତଙ୍କ ସମ୍ପୃକ୍ତିରେ ପାଳନ କରିବାକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ବିଭାଗର ସଂଯୋଜନାରେ ୧୪ ଦିନରେ ୧୪ରୁ ଅଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ବୈଠକରେ ଆଲୋଚନା ପୂର୍ବକ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଆୟୋଜନରେ ଏପ୍ରିଲ ୧ ତାରିଖ ସକାଳେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସୁଆଣ୍ଡୋ ଠାରେ ଏବଂ ସଂନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ କୃଷି ଶିକ୍ଷା ସଦନ ଠାରେ ଉଭୟ ସ୍ଥାନରେ ରାଜ୍ୟ ସ୍ତରୀୟ ଓଡ଼ିଶା ଦିବସ ପାଳନ କରାଯିବ । ସେହି ପରି ପୂର୍ବ ପ୍ରସ୍ତୁତି ଅନୁସାରେ ନୂଆ ଦିଲ୍ଲୀ ସମେତ ସମସ୍ତ ଜିଲ୍ଲା, ଉପଖଣ୍ଡ ସ୍ତରରେ ଓଡ଼ିଆ ଦିବସ ପାଳିତ ହେବ । ସଂସ୍କୃତି ବିଭାଗ ତରଫରୁ ଉପସ୍ଥାପିତ କାର୍ଯ୍ୟସୂଚୀ ଅନୁସାରେ ଏପ୍ରିଲ ୨ରେ ଖଡ଼ିଛୁଆଁ ଦିବସ ଅନୁଷ୍ଠିତ ହେବ । ଏହି ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହଯୋଗରେ ପ୍ରାଥମିକ ବିଦ୍ୟାଳୟରେ ଶିଶୁମାନଙ୍କ ନାମଲେଖା ପାଇଁ ସ୍ୱତନ୍ତ୍ର ଅଭିଯାନ ଓ ସମସ୍ତ ବିଦ୍ୟାଳୟରେ ‘ପ୍ରବେଶ ଉତ୍ସବ’ ଆୟୋଜନ କରାଯିବ । ଏପ୍ରିଲ ୩ ଓ ୪ ତାରିଖରେ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ‘ଆମ ପୋଷାକ, ଆମ ପରିଚୟ’ ଅଭିଯାନ ଆୟୋଜନ କରାଯିବ । ଏଥିରେ ସରକାରୀ ଅନୁଷ୍ଠାନ ଗୁଡ଼ିକରେ ପାରମ୍ପରିକ ଓଡ଼ିଆ ପୋଷାକ ପରିଧାନ ଓ ଏଥି ସଂପର୍କିତ ସେଲଫି ପ୍ରତିଯୋଗିତା ହେବ । ଏପ୍ରିଲ ୩ ରେ ରବିବାର ପଡ଼ୁଥିବାରୁ ଏହି ଅଭିଯାନ ୨ ଦିନ ଧରି ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏପ୍ରିଲ ୪ ତାରିଖରେ ସମସ୍ତ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ଓଡ଼ିଆରେ ନାମ ଫଳକ ଲଗାଇବା ନେଇ ସଚେତନତା ସୃଷ୍ଟି ଓ ବାଧ୍ୟତାମୂଳକ କରିବାକୁ ସ୍ୱତନ୍ତ୍ର ଅଭିଯାନ ହେବ । ଏପ୍ରିଲ ୫ରେ କ୍ରୀଡ଼ା ଓ ଯୁବସେବା ଏବଂ ଉଚ୍ଚ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଏୗତିହ୍ୟ ଗଣ ଦୌଡ଼ କାର୍ଯ୍ୟକ୍ରମ ହେବ । ଏଥିରେ ରାଜ୍ୟ ଓ ଜିଲ୍ଲାସ୍ତରରେ ଓଡ଼ିଶାର ପ୍ରମୁଖ ଏୗତିହ୍ୟ ସ୍ଥଳୀଗୁଡ଼ିକର ସୁରକ୍ଷା ଓ ପ୍ରସାର, ଯୁବ ପିଢ଼ିଙ୍କୁ ଓଡ଼ିଆ ଏୗତିହ୍ୟ ଏବଂ କୀର୍ତ୍ତୀରାଜି ସହ ସଂଯୁକ୍ତ କରାଯିବା ପାଇଁ ଅଭିଯାନ କରାଯିବ । ଏପ୍ରିଲ ୬ ରେ ରାଜ୍ୟ ବ୍ୟାପି ଦେବାଳୟ ଓ ଏୗତିହ୍ୟ ସ୍ଥଳୀ ଗୁଡ଼ିକର ସ୍ୱଚ୍ଛତା ଓ ପରିମଳ ନିଶ୍ଚିତ କରାଯିବ । ଏପ୍ରିଲ ୭ ତାରିଖରେ ‘ଶିଶୁ କଥା’ ଦିବସ ଅଭିଯାନରେ ଆଭ୍ୟନ୍ତରୀଣ ତଥା ସୀମାଞ୍ଚଳ ଓଡ଼ିଶାରେ ବର୍ଣ୍ଣବୋଧ, ଶିଶୁ ଲେଖା ଓ ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ ବଣ୍ଟନ, ଶିଶୁମାନଙ୍କ ମଧ୍ୟରେ ଓଡ଼ିଆ ଲିଖନ ଓ ପଠନ ଅଭ୍ୟାସ ବୃଦ୍ଧି ପାଇଁ ପ୍ରତିଯୋଗିତା ଓ ଗପ କଥନ ଆୟୋଜନ ହେବ । ଏଥି ସହିତ ଏହି ଦିନ ମଧ୍ୟ କାର୍ଯ୍ୟକ୍ରମ ‘ଆସ ଜାଣିବା ଆମ ବଜେଟ୍ ’ ଅନୁଷ୍ଠିତ ହୋଇ ବିଭିନ୍ନ ସଭା, ସମିତି ମାଧ୍ୟମରେ ଜନସାଧାରଣଙ୍କୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଓଡ଼ିଶା ସଂପର୍କିତ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ନେଇ ସୂଚନା ଦିଆଯିବ । ଏପ୍ରିଲ ୮ ରେ ରେଡ୍କ୍ରସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଉଚ୍ଚଶିକ୍ଷା ବିଭାଗ ଆୟୋଜନରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ ହେବ । ଏପ୍ରିଲ ୯ ରେ “ଆସ ବହିଟିଏ କିଣିବା” ଅଭିଯାନରେ ପୁସ୍ତକ କ୍ରୟ ଅଭିଯାନ, ପୁସ୍ତକ ପ୍ରଦର୍ଶନୀ ଆୟୋଜିତ ହେବ । ଏପ୍ରିଲ ୧୦ରେ ‘ଲୋକ କଳା ପାଇଁ ଦିନଟିଏ” ଅଭିଯାନରେ ଓଡ଼ିଶାର ସମୃଦ୍ଧ ଲୋକ କଳା ଏବଂ ପାରମ୍ପରିକ କଳାକାରମାନଙ୍କୁ ସମ୍ବର୍ଦ୍ଧନା ଓ ହଜିଯାଉଥିବା ଲୋକ କଳାର ପ୍ରଦର୍ଶନ ହେବ । ଏପ୍ରିଲ ୧୧ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ “ଅମୃତ ପିଢ଼ି ସାରସ୍ୱତ ସମାରୋହ”ରେ ସାହିତ୍ୟ ଚର୍ଚ୍ଚା ଏବଂ ଓଡ଼ିଆ ସାହିତ୍ୟ ଉତ୍ସବ ଆୟୋଜିତ ହେବ । ଏପ୍ରିଲ ୧୨ରେ ‘ବନ୍ଦନୀୟ ବରପୁତ୍ର’ କାର୍ଯ୍ୟକ୍ରମରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ବରପୁତ୍ରମାନଙ୍କ ଜୀବନୀକୁ ନେଇ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ବକୃତା ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଏପ୍ରିଲ ୧୩ରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ‘‘ଆମ ରୁଚି, ଆମ ଖାଦ୍ୟ’’ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିରେ ପରମ୍ପରିକ ଓଡ଼ିଆ ରୋଷେଇ ଏବଂ ଖାଦ୍ୟ ସଂସ୍କୃତିକୁ ପ୍ରୋତ୍ସାହନ ପାଇଁ ଖାଦ୍ୟ ମହୋତ୍ସବ ଏବଂ ଓଡ଼ିଆ ଖାଦ୍ୟ ପ୍ରତିଯୋଗିତା ଆୟୋଜନ ହେବ । ଏପ୍ରିଲ ୧୪ ରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଠାରେ ରାଜ୍ୟସ୍ତରୀୟ ଓଡ଼ିଆ ନବ ବର୍ଷ ପାଳନ ତଥା ଓଡ଼ିଆ ପକ୍ଷର ଉଦଯାପନୀ ସମାରୋହ ଅନୁଷ୍ଠିତ ହେବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ବୈଠକରେ ସୂଚନା ଦିଆଯାଇଥିଲା । ଏଥି ସହିତ ଜିଲ୍ଲାସ୍ତରରେ ମଧ୍ୟ ଅନୁରୂପ ସମାରୋହ ଅନୁଷ୍ଠିତ ହେବ । ପଣା ସଂକ୍ରାନ୍ତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ପଣା ବଣ୍ଟନ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଏପ୍ରିଲ ୧୪ ସକାଳେ ‘‘ଓଡ଼ିଆ ଭାଷା ଏବଂ ସୂଚନା ଓ ପ୍ରଯୁକ୍ତି’’ କୁ ନେଇ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ବୈଠକରେ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ୍ଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
