ଓଡ଼ିଆ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ପ୍ରତିଷ୍ଠା ଦିବସ ପାଳିତ

ସାକ୍ଷୀଗୋପାଳ: ତା.୦୯.୧୦.୨୦୨୫ରିଖ ଗୁରୁବାର ଦିନ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନ ପ୍ରାଙ୍ଗଣରେ ‘ଦ୍ଵିତୀୟ ପ୍ରତିଷ୍ଠା ଦିବସ’ ବେଶ୍ ଧୁମ୍ ଧାମରେ ପାଳିତ ହୋଇଯାଇଛି । ଐତିହ୍ୟ ସମ୍ପନ୍ନ ସତ୍ୟବାଦୀ ବନବିଦ୍ୟାଳୟଠାରେ ପ୍ରତିଷ୍ଠିତ ସ୍ଵତନ୍ତ୍ର ଭାଷାଭିତ୍ତିକ ଓଡ଼ିଆ ବିଶ୍ୱବିଦ୍ୟାଳୟ ଓଡ଼ିଶାର ତଥା ପ୍ରତ୍ୟେକ ଓଡ଼ିଆଙ୍କ ଗର୍ବ ଓ ଗୌରବର ପ୍ରତୀକ । ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠା ଦିବସ ଉପଲକ୍ଷେ ତା୦୮.୧୦.୨୦୨୫ରିଖରେ ସତ୍ୟବାଦୀ ଖାଦ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ହଜିଯାଉଥିବା ପାରମ୍ପରିକ ଖାଦ୍ୟ ଓ ସ୍ୱାଦର ସମ୍ଭାର ସମ୍ପର୍କରେ ସ୍ଥାନୀୟ ଜନସାଧାରଣଙ୍କୁ ପରସି ବୁଝାଇଥିଲେ ।

ଆଜି ବିଶ୍ଵବିଦ୍ୟାଳୟର ଦ୍ଵିତୀୟ ପ୍ରତିଷ୍ଠା ଦିବସ ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ସକାଳ ୦୯:୦୦ଘଟିକାରେ ଓଡ଼ିଆ ବିଶ୍ଵବିଦ୍ୟାଳୟ ପକ୍ଷରୁ ପଞ୍ଚସଖାଙ୍କ ସମାଧି ପୀଠରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ଏହି ପ୍ରତିଷ୍ଠା ଉତ୍ସବରେ କୁଳପତି ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମ୍ମାନିତ ଅତିଥି ରୂପେ ଓମ ପ୍ରକାଶ ମିଶ୍ର ଓ ମୁଖ୍ୟବକ୍ତା ରୂପେ ପ୍ର. ଦାଶରଥି ଭୂୟାଁ ଯୋଗଦେଇଥିଲେ । ସର୍ବପ୍ରଥମେ ପ୍ରଭୁ ଜଗନ୍ନାଥ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ମୁଖ୍ୟଅତିଥି ଏବଂ ଅନ୍ୟ ଅତିଥିଗଣ ମଞ୍ଚାସୀନ ହୋଇଥିଲେ । ରାଜ୍ୟ ସଙ୍ଗୀତ ଗାନ ପରେ ଛାତ୍ର ସାଇପ୍ରସାଦ ପଟ୍ଟନାୟକ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପିକା ଡ. ଶର୍ମିଷ୍ଠା ମହାପାତ୍ର । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ପ୍ରଦ୍ୟୁମ୍ନ କୁମାର ମିଶ୍ର ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ବାର୍ଷିକ ବିବରଣୀ ପାଠ କରିଥିଲେ କୁଳସଚିବ ରଶ୍ମିରେଖା ଦାସ । ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ଓଡ଼ିଶାର ପାଞ୍ଚଜଣ ବରିଷ୍ଠ ବ୍ୟକ୍ତିତ୍ଵଙ୍କୁ ପଞ୍ଚସଖା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶତାୟୁ ପୁରୁଷ ପଦ୍ମଚରଣ ନାୟକଙ୍କୁ ପଞ୍ଚସଖା ସେବା ସମ୍ମାନ, ପଦ୍ମଶ୍ରୀ ପ୍ରତିଭା ଶତପଥିଙ୍କୁ ପଞ୍ଚସଖା ସାହିତ୍ୟ ସମ୍ମାନ, ପଦ୍ମଶ୍ରୀ ଶ୍ୟାମାମଣି ଦେବୀଙ୍କୁ ପଞ୍ଚସଖା ସଂସ୍କୃତି ସମ୍ମାନ, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ପଞ୍ଚସଖା କଳା ସମ୍ମାନ ଓ ଡ. ସୁବ୍ରତ କୁମାର ପୃଷ୍ଟିଙ୍କୁ ପଞ୍ଚସଖା ଭାଷା ସମ୍ମାନ ପ୍ରଦାନ କରାଯାଇଥିଲା । ସମ୍ମାନିତ ଅତିଥି ରୂପେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଯୋଗଦେଇ ଓଡ଼ିଆ ବିଶ୍ଵବିଦ୍ୟାଳୟର ବିକାଶ ନିମନ୍ତେ ୧୧୫ କୋଟି ଟଙ୍କା ପ୍ରଦାନ ନିମନ୍ତେ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଅନୁମୋଦିତ ହୋଇଥିବାର ସୂଚନା ଦେଇଥିଲେ । ମୁଖ୍ୟବକ୍ତା ପ୍ରଫେସର ଦାଶରଥି ଭୂୟାଁ ନିଜ ଅଭିଭାଷଣରେ ‘ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଆ ଭାଷାର ସଂରକ୍ଷଣ ଓ ପ୍ରସାର’ ଉପରେ ଆଲୋକପାତ କରିଥିଲେ ।

ମୁଖ୍ୟଅତିଥି ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ୨୦୩୬ ମସିହା ସୁଦ୍ଧା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେବର୍ଷ ପୂର୍ଣ୍ଣ କରୁଥିବାରୁ ଓଡ଼ିଆ ବିଶ୍ଵବିଦ୍ୟାଳୟକୁ ଏକ ପ୍ରୟୋଗଶାଳାରେ ପରିଣତ କରିବାକୁ ହେବ ବୋଲି ସେ ଅଭିବ୍ୟକ୍ତିରେ ପ୍ରକାଶ କରିଥିଲେ । ପ୍ରତିଷ୍ଠା ଦିବସ ଅବସରରେ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ସହିତ କୃତୀ ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କାର ମଧ୍ୟ ବିତରଣ କରାଯାଇଥିଲା । ସଭାମୁଖ୍ୟ ତଥା କୁଳପତି ପ୍ର. ଶତ୍ରୁଘ୍ନ ପାଣିଗ୍ରାହୀ ନିଜ ଅଭିବ୍ୟକ୍ତିରେ ଗୋପବନ୍ଧୁଙ୍କ ସତ୍ୟ ଓ ଆଦର୍ଶ ଦ୍ୱାରା ପ୍ରତ୍ୟେକ ଛାତ୍ରଛାତ୍ରୀ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ପରିଶେଷରେ ବରିଷ୍ଠ ପ୍ରାଧ୍ୟାପକ ଡ. ରାଧାଗୋବିନ୍ଦ କୁଇଲା ଉପସ୍ଥିତ ଅତିଥି, ସମ୍ବର୍ଦ୍ଧିତ ବ୍ୟକ୍ତିତ୍ଵ, ଅଧ୍ୟାପକ, କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି, ଛାତ୍ରଛାତ୍ରୀ ସମସ୍ତଙ୍କର ସଦୟ ସହଯୋଗ ପାଇଁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *