ଓଡ଼ିଆଣୀ ବୋହୁ
ଶୀର୍ଷକ _ଓଡ଼ିଆଣୀ ବୋହୁ
ରୀତାରାଣୀ ଦାଶ
ବାଲେଶ୍ୱର
ଓଡ଼ିଆ ସଂସ୍କୃତି ଓଡ଼ିଆଣୀ ବୋହୁ
ଓଡ଼ିଆର କୀର୍ତ୍ତି ଯଶ
ମସ୍ତକେ ଓଢଣୀ ଦିବ୍ୟ ସୀମନ୍ତିନୀ
ଶୋଭାମୟ ତାର ବେଶ
ସତେ କି ସ୍ୱର୍ଗ ସୁଷମା,
ଚାଲିରେ ଯାହାର ପ୍ରସ୍ଫୁଟିତ ପଦ୍ମ
ମଧୁଝରେ ଓଷ୍ଠୁ ସିନା |
ହସ୍ତେ ନାଲି ଶଙ୍ଖା ଦେହେ ନାଲିପାଟ
ପାଦରେ ନାଲି ଅଳତା
ନାଲି ଟୁକୁ ଟୁକୁ ସାଧବ ବୋହୁ ସେ
ଥିରି ଥିରି କହେ କଥା
ସଂସ୍କାର ସଂସ୍କୃତି ଆଭା,
ସଭିଁଙ୍କର ମନ ଜିଣଇ ବହନ
କି ଉପମା ତାରେ ଦେବା |
ହୃଦୟ ସ୍ପନ୍ଦନ ଓଡ଼ିଆଣୀ ଜାଣ
ପ୍ରେମ ଜୀବନର ରୀତି
ମମତା ବନ୍ଧନ ଛୁଇଁ ପ୍ରତି ପ୍ରାଣ
ବଳିଦାନ ବ୍ରତେ ବ୍ରତୀ
ପ୍ରେମ ପ୍ରଣୟ ପ୍ରବାହ,
ଝରି ପଡୁଥାଏ ଅନ୍ତରରୁ ସଦା
ଶୁଦ୍ଧ ପବିତ୍ରତା ଭାବ |
ହସ୍ତର ଭୂଷଣ ଦାନ ତାର ଗୁଣ
ସତ୍ୟ କଣ୍ଠର ଭୂଷଣ
ମସ୍ତକେ ଓଢଣୀ ମନୋମୁଗ୍ଧକର
ଶାସ୍ତ୍ର କର୍ଣ୍ଣ ଆଭୂଷଣ
ଓଡ଼ିଆଣୀ ସୁଲକ୍ଷଣା,
ଶୁଦ୍ଧ ସୁବର୍ଣ୍ଣ ସେ ନମ୍ର, ଧୈର୍ଯ୍ୟ ଶୀଳା
ଅନୁପମ ତା ସର୍ଜନା |
