ଓଡ଼ିଶା ଏକତ୍ରିକରଣ ଆନ୍ଦୋଳନର ଅନ୍ୟତମ ସାଥୀ ସତ୍ୟ ନାରାୟଣ ରାଜଗୁରୁଙ୍କ ସ୍ମରଣେ
ଓଡ଼ିଶା ଏକତ୍ରିକରଣ ଆନ୍ଦୋଳନର ଅନ୍ୟତମ ସାଥୀ ସତ୍ୟ ନାରାୟଣ ରାଜଗୁରୁଙ୍କ ସ୍ମରଣେ…..
ବ୍ରହ୍ମପୁର, ତା.୧୯.୮.୨୦୨୫ରିଖ ଆଜି ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ତଥା ଓଡ଼ିଶା ଏକତ୍ରିକରଣ ଆନ୍ଦୋଳନର ସହଯୋଦ୍ଧା ଡ଼ା.ସତ୍ୟ ନାରାୟଣ ରାଜଗୁରୁଙ୍କ ଜୟନ୍ତୀ ପାଳନ ହୋଇଯାଇଛି l ଓଡ଼ିଶା ଚାଷୀ ମୁଲିଆ ସଂଘର ଗଂଜାମ ଜିଲ୍ଲା ସଭାପତି ଆଇନଜୀବି ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ସଭାରେ ତାଙ୍କ ସଂପର୍କରେ ଆଲୋଚନା ହୋଇଥିଲା l ଓଡ଼ିଶାର ସାହିତ୍ୟ, ଇତିହାସ ଓ ସଂସ୍କୃତି ପ୍ରତି ସତ୍ୟ ନାରାୟଣ ରାଜଗୁରୁଙ୍କ ଅବଦାନ ଅମୂଲ୍ୟ ଓ ପ୍ରେରଣାଦାୟୀ ହେବାସହ ଓଡ଼ିଶା ଏକାତ୍ରିକରଣ ଆନ୍ଦୋଳନକୁ ଜଣେ ସହଯୋଦ୍ଧା ଭାବେ ପାରଳା ମହାରାଜାଙ୍କୁ ସେ ସହାୟତା କରିଥିଲେ ଏବଂ ଏକ ଗବେଷଣା ପ୍ରବନ୍ଧ ପ୍ରସ୍ତୁତ କରିଥିଲେ l ପିତା ହରେକୃଷ୍ଣ ରାଜଗୁରୁ ଓ ମାତା ସୁନାମଣୀ ଦେବୀଙ୍କ ଔରସରୁ ପାରଳାଖେମୁଣ୍ଡି ଠାରେ ସତ୍ୟ ନାରାୟଣ ରାଜଗୁରୁ ୧୯୦୩ମସିହା ଅଗଷ୍ଟ ୧୯ତାରିଖରେ ଜନ୍ମ ଗ୍ରହଣ କରିଥିଲେ l ସେ ଜଣେ ପ୍ରଖ୍ୟାତ ଐତିହାସିକ, ଗବେଷକ, ଲିପିବିଦ୍ ଓ ସାହିତ୍ୟିକ ଥିଲେ l ଗୃହ ପଣ୍ଡିତଙ୍କ ଠାରୁ ସେ ସଂସ୍କୃତ ଶିକ୍ଷାଲାଭ ପରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଲାଭ କରିଥଲେ l ପରେ ଆନ୍ଧ୍ର ବିଶ୍ଵବିଦ୍ୟାଳୟରୁ ଓଡ଼ିଆ ଓ ସଂସ୍କୃତରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ l ସେ ୧୯୨୯ରେ ପାରଳାଖେମୁଣ୍ଡିର ପଦ୍ମନାଭ ରଙ୍ଗାଳୟରେ ପରିଚାଳକ ଭାବେ କାର୍ଯ୍ୟ ଆରମ୍ଭ କରିଥଲେ l ୧୯୪୭ରେ କଳିଙ୍ଗ ଐତିହାସିକ ଗବେଷଣା ସମିତିରେ ଯୋଗ ଦେଇଥିଲେ l ୧୯୫୦ ରୁ ୧୯୬୧ମଧ୍ୟରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଭିଲେଖ ବିଭାଗରେ କ୍ୟୁରେଟର ଏବଂ ୧୯୬୩ରୁ ୧୯୭୦ମଧ୍ୟରେ ଲିପିବିଦ୍ ଭାବେ କାର୍ଯ୍ୟ କରିଥିଲେ l ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଅବୈତନିକ ପ୍ରତ୍ନତତ୍ତ୍ଵ ଉପଦେଷ୍ଟା ଭାବେ ମଧ୍ୟ ଦୁଇ ବର୍ଷ କାମ କରିଥିଲେ l ସେ ଓଡ଼ିଶାର ଇତିହାସ ଓ ସଂସ୍କୃତି ଉପରେ ଗବେଷଣା କରି ଅନେକ ଐତିହାସିକ ପ୍ରବନ୍ଧ ଲେଖିଛନ୍ତି ଯାହା ‘ଉତ୍କଳ ସାହିତ୍ୟ ‘, ସହକାର, ନବଭାରତ ଆଦି ପତ୍ରିକାରେ ପ୍ରକାଶ ପାଇଥିଲା l ସେ ଜୟଦେବଙ୍କ ପ୍ରାରମ୍ଭିକ ଜୀବନ ଉପରେ ମୂଲ୍ୟବାନ ତଥ୍ୟ ସଂଗ୍ରହ ସହ ପ୍ରକାଶ କରିଥଲେ l ସେ ସରୋଜିନୀ ନାଇଡୁଙ୍କ ଇଁରାଜୀ କବିତା ‘The Palanquin Bearers “କୁ ଓଡ଼ିଆରେ ପାଲିଙ୍କି ବାହକ” ନାମରେ ଅନୁବାଦ କରିଥଲେ l ତାଙ୍କ ଅନେକ ବହି ବିଶ୍ଵବିଦ୍ୟାଳୟ ଅଧ୍ୟୟନ ପାଇଁ ସ୍ଵୀକୃତ ହୋଇଛି l ୧୯୭୪ରେ ଭାରତ ସରକାଙ୍କଠାରୁ ସେ ପଦ୍ମଶ୍ରୀ ସମ୍ମାନ ପାଇବା ସହ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଭାରତୀ ଭୂଷଣ ପୁରସ୍କାର, ଗଞ୍ଜାମ ସାହିତ୍ୟ ସମ୍ମୀଳନୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ସାରଳା ସମ୍ମାନ ପାଇଛନ୍ତି l ତାଙ୍କ ଅମୂଲ୍ୟ ସାହିତ୍ୟିକ କୀର୍ତ୍ତି ଓ ତାଙ୍କ କାର୍ଯ୍ୟ ଆଜି ମଧ୍ୟ ଗବେଷକ ଓ ସାହିତ୍ୟିକଙ୍କ ପାଇଁ ପ୍ରେରଣାଦାୟୀ ଅଟେ l ଅନ୍ୟ ମାନଙ୍କ ମଧ୍ୟରେ ସମିତି ସଂପାଦକ ଏସ. ସାମ୍ବସିବା ରାଓ, ଏସ. ସତ୍ୟ ନାରାୟଣ ରାଓ, ଏସ. କେଶବ ଲିଙ୍ଗମ, ହୃଷିକେଶ ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l
