ମହକ ବିହୀନ ଶିମିଳି ଫୁଲ
🖋️କବିରତ୍ନ ନୂତନ କୁମାର ବେହେରା
ହୋଇ ବି ମହକ ବିହୀନ ଶିମିଳି ଫୁଲ
ଫଗୁଣରେ ଫୁଟେ ବନେ ଉପବନେ
ନିକାଞ୍ଚନେ ତା’ ରଙ୍ଗ ଚହଟାଇ
ବସନ୍ତର ମୃଦୁ ମଳୟ ବହିଲେ ଦକ୍ଷିଣା
ପତ୍ର ଶୂନ୍ୟ କଣ୍ଟକିତ ଶିରାଳ ଡ଼ାଳେ ଫୁଟି
ଦିଶେ ରକ୍ତ ନାଲି ଟହଟହ କି ମନୋହର
କାହାକୁ କେବେ କରି ନଥାଏ ଅପେକ୍ଷା
ଡ଼ାକେନା କାହାକୁ ପ୍ରୀତିର ଇସାରା ଦେଇ
ତଥାପି ବିଭୋର ହୋଇ ତାର ରୂପରେ
ବଣରୁ ଉଡ଼ି ଆସନ୍ତ କେତେ କେତେ ବଣି
କିଚିରିମିଚିରି ଅବୁଝା କାକଳି କରି
ଥଣ୍ଟ ଘଷନ୍ତି ଛିଡ଼ାନ୍ତି ତାର ନାଲି ପାଖୁଡା
ନ ଲାଗିଲେ ବି ସେ ପୂଜା ଅର୍ଚ୍ଚନାରେ
ବସନ୍ତର ଶୋଭାଯାତ୍ରାର ହୁଏ ସାମିଲ
ମହକ ବିହୀନ ଶିମିଳି ଫୁଲ
ଥିଲେ ତା’ ଭିତରେ ମହକ କିଛି ଭରି
ଗୋଲାପ କି କୃଷ୍ଣଚୂଡ଼ାକୁ ଯାଇଥା’ନ୍ତା ଜିଣି
ତାର ଏତେ ରୂପର ସମ୍ଭାରରେ
ବିଧାତା କାହିଁକି ନ ଦେଲେ ସୁଗନ୍ଧ ଭରି
ତା’ ଲାଗି କରେ ନାହିଁ ମାନ ଅଭିମାନ
ବିରାଜିଲେ ବସନ୍ତ ଫଗୁଣରେ ସବୁ ଯା’ନ୍ତି ହଜି
ରଙ୍ଗରେ ରଙ୍ଗର ଖେଳନ୍ତି ହୋଲି
ପ୍ରକୃତିରାଣୀ ସୁଷମାରେ ଦିଶେ ଶୋଭାମୟୀ
ଗୁଣ’ଠାରୁ ରୂପ କରେ ଅଧିକ ଆକର୍ଷଣ
ତନୁମନରେ ସେ ଖେଳାଏ ଶିହରଣ
ଯୌବନ ଜୀବନର ଏକ ବିଶେଷ ଅବସ୍ଥା
ପ୍ରତିଟି ପ୍ରାଣକୁ କରେ ଋଦ୍ଧିମନ୍ତ
ପ୍ରୀତି ମଧୁ ମଦିରା ପାନେ କରେ ମତୁଆଲା
ମନର ଅନ୍ଧାରି ମୂଲକେ ଭରେ ଉଜାଲା
ନାଲି ରଙ୍ଗେ ଦିଶେ ଡଉଲଡାଉଲ
ବାସ ବିହୀନ ହୋଇ ବି ଶିମିଳି ଫୁଲ
ମହତ ଦାନ କିଛି ଦେଇଥାଏ ପ୍ରକୃତିକୁ
ଔଷଧୀୟ ଗୁଣେ କରିଥାଏ କିଛି ଉପକାର
ତା’ ଫଳ ଦିଏ ଉନ୍ନତମାନର ତୁଳା
ସୁଖର ନିଦ୍ରାରେ ହୁଏ ସୁକୋମଳ ଉପାଧାନ
ଆଜିର ରୂପ କାଲିକୁ ମଉଳି ପଡ଼େ ମଳିନ
ମଉଳି ଯାଏନା ଗୁଣ ରହେ ମନରେ ସଞ୍ଚିତ
ପ୍ରକୃତିର ସବୁ ଦାନରେ ଅଛି ମହତ୍ଵ
ତାର ବିନିଯୋଗରେ ଜୀବନ ଯେ ମଧୁମିତ
ମହକ ବିହୀନ ହୋଇ ବି ଶିମିଳି ଫୁଲ
ଆବଶ୍ୟକ ସ୍ଥଳେ ଦାନ କରେ ସେ ବହୁ ମୂଲ।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
