ଓଡିଶା ଶିକ୍ଷା ସେବା ସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚିତ
ଓଡିଶା ଶିକ୍ଷା ସେବା (ଓ.ଇ.ଏସ ) ସଙ୍ଘର ଏକ ସାଧାରଣ ପରିଷଦ ବୈଠକ କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସଂଘର ନୂତନ କର୍ମକର୍ତ୍ତା ମାନଙ୍କୁ ଚୟନ କରାଯାଇଛି । ଶିକ୍ଷା ବିଭାଗର ବିଭିନ୍ନ ପଦବୀରେ କାର୍ଯ୍ୟ କରୁଥିବା 220 ଜଣ ଓଡିଶା ଶିକ୍ଷା ସେବା ଅଧିକାରୀ ବୈଠକରେ ଯୋଗ ଦେଇଥିଲେ । ସଂଘର କାର୍ଯ୍ୟକାରୀ ସଭାପତି ବିଶ୍ୱଜିତ ଘୋଷ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ବୈଠକରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ତଥା ସଙ୍ଘର ନିର୍ବାଚନ ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ସାହୁ ନିୟମ ଅନୁସାରେ ସଙ୍ଘର ନିର୍ବାଚନ ପ୍ରକ୍ରିୟାକୁ ସଫଳତାର ସହ ପରିଚାଳନା କରିଥିଲେ ।
ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କ ସମ୍ମତିକ୍ରମେ ଶ୍ରୀ ବିକାଶ ଚନ୍ଦ୍ର ପ୍ରଧାନ ସଙ୍ଘର ସଭାପତି ଭାବେ ଶ୍ରୀ ବିଶ୍ୱଜିତ ଘୋଷ ଉପ ସଭାପତି, ଶ୍ରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ସାଧାରଣ ସମ୍ପାଦକ, ଶ୍ରୀ ହିମାଂଶୁ ଭୂଷଣ ଓଝା ସଂଗଠନ ସମ୍ପାଦକ, ଶ୍ରୀ ଚନ୍ଦନ ରଥ , ଯୁଗ୍ମ ସମ୍ପାଦକ( ସାଧାରଣ), ଶ୍ରୀ ସୁଧାଂଶୁ ଶେଖର ପାତ୍ର ଯୁଗ୍ମ ସମ୍ପାଦକ (ଅର୍ଥ), ଶ୍ରୀ ମହେଶ୍ୱର ସାହୁ ଯୁଗ୍ମ ସମ୍ପାଦକ (ସଂଯୋଜନା), ଆକାଂକ୍ଷିକା ପ୍ରିୟଦର୍ଶିନୀ ପ୍ରଧାନ ଯୁଗ୍ମ ସମ୍ପାଦକ (ବିକାଶ ), ସସ୍ମିତା ସାହୁ ଯୁଗ୍ମ ସମ୍ପାଦକ (ଉତ୍ତର କ୍ଷେତ୍ର ), ସୁଶ୍ରୀ ସଂଗୀତା ପଣ୍ଡା ଯୁଗ୍ମ ସମ୍ପାଦକ (ମଧ୍ୟ କ୍ଷେତ୍ର), ଡ଼. ପ୍ରଭାତୀ କୁମାରୀ ମହାପାତ୍ର ଯୁଗ୍ମ ସମ୍ପାଦକ (ଦକ୍ଷିଣ କ୍ଷେତ୍ର) ଭାବରେ ନିର୍ବାଚିତ ହୋଇଥିଲେ । ଅବସର ପ୍ରାପ୍ତ ସଦସ୍ୟ କେଦାରନାଥ ଆଚାର୍ଯ୍ୟ ଉପସ୍ଥିତ ରହି ସଂଘର ଉତ୍ପତ୍ତି, ଇତିହାସ ଓ ସଫଳତା ବିଷୟରେ ଅବତାରଣା କରିଥିଲେ । ସଙ୍ଘର ବରିଷ୍ଠ ସଦସ୍ୟ ମର୍କତ କେଶରୀ ରାୟ ଅଫିସର ମାନଙ୍କୁ କର୍ମ କୁଶଳତା ଓ ସ୍ୱଚ୍ଛତା ସହ କାମ କରିବା ପାଇଁ ପରାମର୍ଶ ଦେଇଥିଲେ । ଶ୍ରୀ ସନାତନ ପଣ୍ଡା ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିବା ସହ ସଂଘର ସଫଳତା କାମନା କରିଥିଲେ । ନୂତନ ଭାବରେ ନିର୍ବାଚିତ ହୋଇଥିବା କର୍ମକର୍ତ୍ତାମାନେ ସାମୁହିକ ସ୍ୱାର୍ଥ ତଥା ସଙ୍ଘର ସଫଳତା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବେ ବୋଲି ଶପଥ ପାଠ କରିଥିଲେ । ଅବସର ପ୍ରାପ୍ତ ଅଧିକାରୀ ଶ୍ରୀ ବୃନ୍ଦାବନ ଶତପଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେ ଅଧିକାରୀ ମାନଙ୍କୁ ନିଜର କାର୍ଯ୍ୟ ସଫଳତା ଓ ସାଧୁତା ବଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ସଂଘର ବରିଷ୍ଠ ଏବଂ ନବ ନିର୍ବାଚିତ କର୍ମକର୍ତ୍ତାମାନେ ୨୦୧୯ରେ ଓଇଏସ ସଂଘର ପୁନର୍ଗଠନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ବିଭିନ୍ନ ସମୟରେ ସଂଘର ସମସ୍ୟା ଓ ଯୋଜନାକୁ ସରକାରଙ୍କ ନିକଟରେ ସୁବ୍ୟବସ୍ଥିତ ଭାବେ ପହଞ୍ଚାଇବେ ବୋଲି ଆଶା ପୋଷଣ କରିଥିଲେ । ଶ୍ରୀ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
