ଆହେ ପ୍ରଭୁ ଜଗନ୍ନାଥ ପୂର୍ଣ୍ଣକର ମନୋରଥ

     ଆହେ ପ୍ରଭୁ ଜଗନ୍ନାଥ ପୂର୍ଣ୍ଣକର ମନୋରଥ
                ( ରାଗ — ଚୋଖି )

🖊️କବିରତ୍ନ ନୂତନ କୁମାର ବେହେରା

ଆହେ ପ୍ରଭୁ ଜଗନ୍ନାଥ      ପୂର୍ଣ୍ଣକର ମନୋରଥ
          କରୁଛି ତୁମକୁ ଅଳି ଭକତି ଢ଼ାଳି,
ମୋ ଭାଗ୍ୟର ବିଡମ୍ବନା  ଜୀବନେ ଆସେ ଯନ୍ତ୍ରଣା  
      ଚାପ ତାପ ପାଇ ତାର ପଡ଼େ ଝାଉଁଳି,
               ହୁଅ ପ୍ରଭୁ ତୁମେ ସଦୟ
        ଭବ ସଂସାରରେ ରଖ କରି ନିର୍ଭୟ।୧।

ମିଛ ମାୟା ମରୀଚିକା   ବାରବାର ଦିଏ ଧୋକା
       ଭାଙ୍ଗିଯାଏ ମନୋବଳ ହୁଏ ଦୁର୍ବଳ,
କମିଯାଏ ଇଚ୍ଛାଶକ୍ତି       ମନେ ଆସୁଛି ବିରକ୍ତି
      ଭବ ଜଳେ ଭାସେ ମୁହିଁ ପାଉନି କୂଳ,
             ବୁଡ଼େ ମୋ ଜୀବନ ତରୀ
    ସାହା ହୋଇ ତୁମେ ପ୍ରଭୁ ଧର ଉଦ୍ଧାରି।୨।

ତୁମରି କରୁଣା ବିନା     ଭୋଗୁଛି ଖାଲି ଯନ୍ତ୍ରଣା
        ଜୀବନ ଜଞ୍ଜାଳ ସହି ହୁଏ ବିବଶ,
କୃପା କର କୃପାବନ୍ଧୁ      ତୁମେ ପରା ଦୀନବନ୍ଧୁ
      ତୁମେ ହିଁ ମୋର ଭରସା ରଖ ବିଶ୍ଵାସ,
              ମନେ ଭରି ଦିଅ ପ୍ରେରଣା
    ଲକ୍ଷ୍ୟ ପଥେ ମିଳୁ ମୋତେ ମୋର ଠିକଣା।୩।

ଲୋଭ ମୋହ ପ୍ରହେଳିକା  ଅଯଥା ଭୟ ଆଶଙ୍କା
        ଦୂର ହେଉ ହୃଦୟରୁ ରହୁ ସାହସ,
ଚାଲିବାକୁ ସତ୍ୟ ପଥେ   ଶକତି ଦିଅ ହେ ନାଥେ
           ବରଷି ପଡୁ ତୁମର ଶୁଭ ଆଶିଷ,
                 ତୁମେ ତ ଅନାଦି ଅନନ୍ତ
         ଇଚ୍ଛାରେ ତୁମର ସବୁ ହୁଅଇ ଶାନ୍ତ।୪।

ଚଳାଅ ସାରା ସଂସାର     ତୁମ ମହିମା ଅପାର
      ତୁମେ ହରତା କରତା ଭାଗ୍ୟ ବିଧାତା,
ଜୀବର ହୋଇ ଜୀବନ     ଜୟ କର ତ୍ରିଭୁବନ
        ଧରାଧାମେ ତୁମେ ଏକା ପରମ ପିତା,
                ତୁମକୁ କରୁଛି ପ୍ରଣାମ
     ସତ୍କର୍ମେ ସାର୍ଥକ ହେଉ ମୋର ଜନମ।୫।

       କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *