ହେ କବିତା ! ତୁମେ ତ ମୋ ଜୀବ ଜୀବନ

      ହେ କବିତା ! ତୁମେ ତ ମୋ ଜୀବ ଜୀବନ
               ( ରାଗ — ଚିନ୍ତାଦେଶାକ୍ଷ )

     ✍️କବିରତ୍ନ ନୂତନ କୁମାର ବେହେରା

ହେ କବିତା ! ତୁମେ ତ ମୋ’ ଜୀବ ଜୀବନ’,
            ମୋ ପ୍ରଶ୍ଵାସର ପ୍ରଣବେ’ ଦିଅ ଆହ୍ଵାନ’।
ହେତୁ ହେବା ଦିନଠୁ ଦେଖେ ମୁଁ ସପନ,
            ମୋ ଭାବ ଭାବନାରେ ଆସ ପ୍ରତିକ୍ଷଣ।
ମୋତେ ପ୍ରବର୍ତ୍ତାଅ ହେବାକୁ ସଚେତନ
              କବିତା ରଚନାରେ ରହେ ମୁଁ ମଗନ।
ମନରେ ଶବ୍ଦ ସୁମନ କରି ଚୟନ,
           ପଦ ପଂକ୍ତିରେ ସଜାଏ ରଖି ମୋ ଧ୍ୟାନ।
ଶ୍ରବଣେ ପଠନେ ଚିନ୍ତନେ ଦିଏ ମନ,
            ଅନୁଭବ କରେ ମୁଁ ତୁମେ ମୋ ସ୍ପନ୍ଦନ।
ସଞ୍ଚାରିତ କର ତୁମେ ପ୍ରାଣରେ ପ୍ରାଣ,
           ଆସେ ମୋ ହୃଦେ ନବ ନବ ଜାଗରଣ।
ପ୍ରତିଭା ବିକାଶେ ଆରମ୍ଭେ ଅଭିଯାନ,
                ଅବ୍ୟାହତ ରଖି କରେ ନିତି ସାଧନ।
ସମସ୍ୟା ଭିତରେ ମୁଁ ଖୋଜେ ସମାଧାନ,
       ହେ କବିତା ! ତୁମେ ତ ମୋ ଜୀବ ଜୀବନ।
ମାଆ କୋଳେ ଜନମ ହେଲି ଯେଉଁଦିନ,
               କୁଆଁ କୁଆଁ ଶବ୍ଦରେ କଲି ମୁଁ କ୍ରନ୍ଦନ।
ଭାଷା ଶିଖିଲି ଶୁଣି ମାଆ’ର ବଚନ,
               ଗୁରୁଙ୍କ ପ୍ରେରଣାରେ କଲି ଅଧ୍ୟୟନ।
ସାଧ୍ୟ ମତେ କରି ମୁଁ ଜ୍ଞାନ ଆହରଣ
          ପ୍ରୋୟଗେ ତା’ ସମୟ କରେ ନିର୍ଦ୍ଧାରଣ।
ରଚ଼ି କଳ୍ପନାର ରାଜ୍ୟେ ଏକ ଭବନ,
             କବିତା ଲିଖନେ ରଖେ ମୁଁ ଏକ ଧ୍ୟାନ।
ମନ କଢ଼ରୁ ଫୁଟେ କବିତା ସୁମନ,
                ତାର ସୁବାସେ ହୁଏ ମୁଁ ଭାବପ୍ରବଣ।
ତା’ ଅନ୍ତଃସ୍ଵର ମଧ୍ୟେ ଜୀବନ ଦର୍ଶନ,
                  କରି ଉପଲବ୍ଧି ପାଉଛି ମୁଁ ଇନ୍ଧନ।
କବିର ପରିଚୟଟି କର ପ୍ରଦାନ,
      ହେ କବିତା ! ତୁମେ ତ ମୋ ଜୀବ ଜୀବନ।
ଶୈଶବରୁ ଶିଖି ଚାଲେ ମୁଁ ପ୍ରତିଦିନ,
        ତୁମେ ବୋଳି ଦିଅ ମୋତେ ପ୍ରୀତି ଚନ୍ଦନ।
ଅତୁଟ ସଂପର୍କର ମଧୁର ବନ୍ଧନ,
                 ତହିଁରେ ରୁଦ୍ଧିମନ୍ତ ହୁଅଇ ପରାଣ।
କବିତା ରୂପେ ତୁମେ ମୋ ଜୀବ ଜୀବନ,
        ସ୍ମରଣକୁ ଆସେ ଶବ୍ଦ ଖୋଜେ ଯା’ ମନ।
ପାରୁ ପର୍ଯ୍ୟନ୍ତ ବିନ୍ୟାସେ କରେ ବର୍ଣ୍ଣନ
             ତୁମ ଆଶ୍ରିତେ ରହି ମୁଁ କରେ ଚିନ୍ତନ।
ମଣିଷ ମନର ଭାବେ ରହେ ଚେତନ,
           ତା’ ଭାଷା କବିତା ରୂପେ ହୁଏ ସ୍ଫୁରଣ।
ହୃଦୟେ କରେ ପରଂବ୍ରହ୍ମଙ୍କୁ ଦର୍ଶନ
             ସେ ହିଁ ଅତୀତ ଭବିଷ୍ୟତ ବର୍ତ୍ତମାନ।
ଲେଖିବାକୁ ମୋତେ ଦେଉଛନ୍ତି ଆହ୍ଵାନ
  ହେ କବିତା ! ତୁମେ ତ ମୋ ଜୀବ ଜୀବନ…।

       ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
        ‘ ନବସୃଜନ ‘ ଇ-ପତ୍ରିକା,     
     କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *