ହେ ଜଗତ ତ୍ରାଣ

ହେ ଜଗତ ତ୍ରାଣ
ଡ. ପ୍ରେମାନନ୍ଦ ବେହେରା

ଭଙ୍ଗା ଭରସାର ଭିଡ଼ ମଧ୍ୟରେ
ତୋ ନାମ ହିଁ ମୋର ଶେଷ ଆଶ୍ରୟ
ଯେବେ ଦୁନିଆ ମଧ୍ୟ ମତେ ଛାଡ଼ିଯାଏ
ତୋ ଅପାର ଦୟା ହୋଇଯାଏ
ମୋ ହୃଦୟର ଗୁପ୍ତ ପ୍ରାର୍ଥନା ।।

ମଣିଷ ମଣିଷକୁ ମାପୁଥିବା ଏ ଦୁନିଆରେ
ମୁଁ ହାରିଯାଏ ପ୍ରତିଦିନ
କିନ୍ତୁ ତୋ ଚକ୍ଷୁରେ
ନ ଥାଏ ମାପ
ନ ଥାଏ ମୂଲ୍ୟ
ଥାଏ କେବଳ
ଅସୀମ କରୁଣାର ଆଲୋକ ।।

ହେ ଜଗତ ତ୍ରାଣ !
ମୋ ଜୀବନ ହେଉଛି ଏକ ଅପୂର୍ଣ୍ଣ ପାଣ୍ଡୁଲିପି
ଭୁଲରେ ଭରିଥିବା ଅନୁଛେଦ
ଅସ୍ପଷ୍ଟ ଆଶାର ଶୀର୍ଷକ…
ତୁ ଆସି ତାହାରି ମଧ୍ୟରେ
ଲେଖିଦେଲୁ ଏକ ଅର୍ଥ
ଯାହାକୁ ସମୟ ମଧ୍ୟ ଲିଭାଇ ପାରେନି ।।

ଯେବେ ମୋର ଧୈର୍ଯ୍ୟ ଭାଙ୍ଗିଯାଏ
ଅବିଶ୍ୱାସର ଭାରରେ
ତୋ ନାମ ହିଁ
ମୋ ଶ୍ୱାସକୁ ଦେଇଥାଏ ଗତି
ମୋ ଅଶ୍ରୁ ହୋଇଯାଏ
ନିରବ ଅର୍ଘ୍ୟ ।।

ହେ ଜଗତ ତ୍ରାଣ,
ତୁ କେବେ ଦଣ୍ଡ ଦେଇନୁ
କେବଳ ଶିଖାଉଛୁ…
ଭୁଲ ପରେ ବି
ଫେରିବାକୁ ଥାଏ ଏକ ପଥ
ଅନ୍ଧକାର ମଧ୍ୟରେ
ଜଳିଥାଏ ଏକ ଅଦୃଶ୍ୟ ପ୍ରଦୀପ ।।

ହେ ଜଗତ ତ୍ରାଣ,
ତୋ ଚରଣରେ ମୁଁ ଏକ ଭକ୍ତ ନୁହେଁ
ମୁଁ ହେଉଛି ଏକ କ୍ଲାନ୍ତ ମଣିଷ
ଯାହାର ସମସ୍ତ ପ୍ରଶ୍ନର
ଉତ୍ତର ହେଉଛି….
ତୁ ଅଛୁ
ସେଇଟା ହିଁ ପର୍ଯ୍ୟାପ୍ତ ।।

ପଦ୍ମପୁର, ବରଗଡ଼

Leave a Reply

Your email address will not be published. Required fields are marked *