ମକର ସଂକ୍ରାନ୍ତିରେ, ନବଗ୍ରହପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
କୋଣାର୍କ ୧୪.୦୧. ୨୦୨୩ ପବିତ୍ର ମକର ସଂକ୍ରାନ୍ତିରେ ଦିନତମାମ ଲକ୍ଷାଧିକ ଶ୍ରଦ୍ଧାଳୁ ନବଗ୍ରହଙ୍କୁ ଦର୍ଶନ କରିଛନ୍ତି । ବିଶ୍ୱ ଏତିହାସିକ କେଣାର୍କ ସୂର୍ଯ୍ୟମନ୍ଦିର ବେଢ଼ା ସଂଲଗ୍ନ ନବଗ୍ରହ ମନ୍ଦିର ପରିସର ଆଜି ଲୋକାରଣ୍ୟ ହୋଇ ପଡିଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ମାନସିକଧାରି ଶ୍ରଦ୍ଧାଳୁମାନେ ଗ୍ରହ ପିଡ଼ାରୁ ମୁକ୍ତି ପାଇଁ ପ୍ରତ୍ୟୁଶରୁ ପରମ୍ପରାନୁଯାୟୀ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ଓ ମହୋଦଧୀର ସଙ୍ଗମସ୍ଥରେ ସ୍ଵାନସୌଚ ହୋଇ ସଂକଳ୍ପ କରିବା ସହିତ ସୁର୍ଯ୍ୟୋଦୟ ଦର୍ଶନ କରିଥିଲେ। ପରେ ପରେ କୋଣାର୍କ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରି ସୂର୍ଯ୍ୟମନ୍ଦିର ପରିକ୍ରମା କରିବା ସହିତ ନବଗ୍ରହଙ୍କୁ ପୂଜାର୍ଚ୍ଚନା ଓ ଗ୍ରହଶାନ୍ତି ନିମନ୍ତେ ହୋମଯଜ୍ଞ କରିଥିଲେ । ବିଶେଷ କରି ଏହି ମକର ସଂକ୍ରାନ୍ତିରେ ନବଗ୍ରହଙ୍କୁ ଦର୍ଶନ କଲେ ଗ୍ରହ ପିଡ଼ାରୁ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁମାନଙ୍କର ବିଶ୍ଵାସ ରହିଛି । ଗ୍ରହପିଡା ଓ ରୋଗୁରୁ ମୁକ୍ତିପାଇଁ ଶ୍ରଦ୍ଧାଳୁମାନେ ମାନସିକବିକାରଗ୍ରସ୍ତ, ଶାରୀରିକ ଅକ୍ଷମ ଓ ଦୂରାରୋଗ୍ୟ ବ୍ୟାଧ୍ଵରେ ପୀଡିତ ପିଲାମାନଙ୍କୁ ନବଗ୍ରହଙ୍କ ପୀଠର ପଶ୍ଚିମ ଦ୍ଵାର ସମ୍ମୁଖରେ ବାଲିରେ ଗାତଖୋଳି ପୋତି ନବଗ୍ରହଙ୍କୁ ପ୍ରାର୍ଥନା କରିବା ସହ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରୁଥିବା ଦେଖିବାକୁ ମିଳିଥିଲା । ନବଗ୍ରହଙ୍କ ପୀଠ ପରିସରରେ ୯ଟି ଶନିବାର ମାନସିକବିକାରଗ୍ରସ୍ତ, ଶାରୀରିକ ଅକ୍ଷମ ଓ ଦୂରାରୋଗ୍ୟରେ ପିଡ଼ିତଥିବା ପିଲାମାନଙ୍କୁ ଯଦି ଗାତ ଖୋଳି ପୋତାଯାଏ ତେବେ ସେମାନଙ୍କର ଏହି ଦୂରାରୋଗ୍ୟ ରୋଗରୁ ନିଶ୍ଚିତ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁମାନଙ୍କ ମଧ୍ଯରେ ବିଶ୍ଵାସ ରହିଛି । ନବଗ୍ରହଙ୍କୁ ଦର୍ଶନ କରିବା ନିମନ୍ତେ ସଂକୁଚିତ ଗର୍ଭଗୃହ ଭିତରକୁ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ଏକକାଳୀନ ପ୍ରବେଶ ସମସ୍ୟା ସୃଷ୍ଟି କରିଥିଲେ ମଧ୍ଯ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ନବଗ୍ରହଙ୍କୁ ଦର୍ଶନ କରିଥିଲେ । ଏହି ଅବସରରେ ମନ୍ଦିର ସମ୍ମୁଖରେ ବିଭିନ୍ନ ଘରକରଣା ସାମଗ୍ରୀର ଦୋକାନମାନ ଖୋଲିଥିଲା । ଗାଁଗହଳିରୁ ଆସିଥିବା ଶ୍ରଦ୍ଧାଳୁ ମହିଳା ଭକ୍ତମାନେ ନବର୍ଗହଙ୍କ ଦର୍ଶନପରେ ବିଭିନ୍ନ
ସାମଗ୍ରୀମାନ କିଣୁଥିବା ଦେଖିବାକୁ ମିଳିଥିଲା । ସୂର୍ଯ୍ୟ ମନ୍ଦିର ଦାୟିତ୍ବରେ ଥିବା ଏଏସଆଇ ପକ୍ଷରୁ ମନ୍ଦିରର ପ୍ରବେଶ ପଥରେ ଲୁହାବାଡ ପକାଯାଇଥିବାରୁ ଶ୍ରଦ୍ଧାଳୁମାନଙ୍କ ଯାତାୟତରେ ବାଧକ ସୃଷ୍ଟି ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପକ୍ଷରୁ ବ୍ୟବସ୍ତା କରାଯାଇଥିଲା ।
