ଦୋସ୍ତିରେ କପେ ଚା’ ପିଇବାର ତୃପ୍ତି
ଦୋସ୍ତିରେ କପେ ଚା’ ପିଇବାର ତୃପ୍ତି
🖊️କବିରତ୍ନ ନୂତନ କୁମାର ବେହେରା
ଦିନ ତମାମର ବୋଝ ବୋହି ଶ୍ରମ କ୍ଳାନ୍ତି
ଭୁଲି ପାରୁ ନଥିବା ମନର ଗ୍ଳାନିକୁ ଚାପି ରଖି
କ୍ଷତାକ୍ତ ହୃଦୟର ଯନ୍ତ୍ରଣା ଯେତେକୁ
ଉପସମ କରିବାର ବାହାନା ନେଇ
ଦେଖାହୁଏ ଯେବେ ତୁମ ସାଥୀରେ ଏମିତି
ଘୁଞ୍ଚାଇବାକୁ ସାମୟିକ ଦୁର୍ବଳ ମୁହୁର୍ତ୍ତଟିଏ
ଆମନ୍ତ୍ରଣ କର କପେ ଚା’ ପିଇବାକୁ
ମେଞ୍ଚା ମେଞ୍ଚା ଧୂଳି ମଳି ଲଗା ବେଞ୍ଚରେ
ଅବା ହାତଭଙ୍ଗା ପ୍ଲାଷ୍ଟିକ୍ ଚେୟାରରେ ବସୁ
ଫେରିବା ବେଳେ ସେ ଦୋକାନରେ
ଦୁଃଖ ଫେଣ୍ଟା ଫେଣ୍ଟି କରୁ ତୁମର ମୋର
ଢୋକେ ଢୋକେ ଉଷୁମ ଚା’ ପିଇ ପିଇ
ବାଷ୍ପୀଭୂତ କରୁଥାଉଁ ଅଙ୍ଗେନିଭା ଦରଦକୁ
ଚା’ ଯେତେ ଯେତେ ଶୀତଳ ହେଉଥାଏ
ମନର ଆବେଗ ସେତେ ଧିମେଇ ଯାଉଥାଏ
ନିଜ ନିଜର ମର୍ମଭେଦୀ ସଂଳାପ ହୁଏନି ଶେଷ
ତରତର ହେଉ ଘରକୁ ଫେରିବା ପାଇଁ
ଯେଉଁ ଘରେ ଜନମରୁ ଅଛୁ ପରିବାର ସହିତ
ହସ ଲୁହ ତ ଜୀବନର ଅନୁଚର
ପିଲାରୁ ବଢ଼ି ପୁଣି ପିଲାଙ୍କୁ ପାଳିବା ଯାଏଁ
ଅଗଣିତ ଦିନ ବିତିଛି ସବୁ ମନେ ପଡ଼େନି
କିନ୍ତୁ ଠିକ୍ ମନେ ପଡ଼େ ଫେରିବାର ସେ ବାଟ
ସଂସାରିକ ମୋହରେ ଟାଣି ହେଉ ଆପେ ଆପେ
ଏ ଜୀବନର ସଂଘର୍ଷ ଭିତରେ ତୁମର ମୋର
ପ୍ରାୟତଃ ବରାବର ସେଇଠି ହୁଏ ଦେଖା
ଆମ ଭିତରେ ବନ୍ଧୁତାର ବୁଝାମଣା ହେବା ଦିନଠୁ
କେବେ କା’ର କିଛି ଅସୁବିଧା ହେଲେ
ଯଦି ଦେଖା ନହୁଏ ମନକୁ ଝଟକା ଲାଗେ
ସେ ଦିନର ବାମ୍ଫ ଉଠୁଥିବା ଚା’ ଟା କେମିତି
କମ୍ ମିଠା ପାଣିଚା ଲାଗେ ପାଟିକୁ
ପିଇଲା ବେଳେ ତୁମ ବାଟ ଚାହିଁ ଚାହିଁ
ହୁଏତ ଆସୁଥିବ କାମରେ ଅଟକି ଯାଇଥିବ
ମନକୁ ଛୁଇଁ ଯାଉଥାଏ ଆଲତୁ ଫାଲତୁ
ଇୟାଡୁ ସିଆଡୁ ଗୁଡ଼ିଏ ନ ଭାବିବା କଥା
ପ୍ରତିଦିନ ଏକ ସମୟରେ ଏକାଠି ବସି
ଚା’ ପିଇବାର କି ନିଆରା ଖୁସି କରୁ ଅନୁଭବ
ଏଇ ବୋଧେ ଦୋସ୍ତିରେ ଚା’ ପିଇବାର ତୃପ୍ତି …।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
' ନବସୃଜନ ' ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
