ସଖା ଅନୁଷ୍ଠାନ ପକ୍ଷରୁ ଏକ ଦିବସୀୟ ସଚେତନତା କର୍ମଶାଳା ଅନୁଷ୍ଠିତ
ପୁରୀ ସାଲବେଗ ସମ୍ମିଳନୀ କକ୍ଷରେ ସଖା ଅନୁଷ୍ଠାନ ପକ୍ଷରୁ ଏକ ଦିବସୀୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଦେବଦତ୍ତ ଚୌଧୁରୀ, ସାମାଜିକ କର୍ମୀ ଡ଼ଃ ମିତାଲି ମହାନ୍ତି, ସ୍ୱାଧୀନ କୁମାର ପଣ୍ଡା, ସଖା ତରଫରୁ ନେହା ମହାପାତ୍ର, ସସ୍ମିତା ସାହୁ ଓ ପୁରୀ କିନ୍ନର ସଂଘର ସଭାନେତ୍ରୀ ପ୍ରିୟାଂଶି ଦାସ ଯୋଗ ଦେଇଥିଲେ। ଟ୍ରାନ୍ସଜେନ୍ଡରଙ୍କ ସୁରକ୍ଷା ଆଇନ ୨୦୧୯-୨୦ରେ ଟ୍ରାନ୍ସଜେନ୍ଡରଙ୍କ ପାଇଁ ଯେଉଁ ସୁବିଧା, ସୁଯୋଗ ସୃଷ୍ଟି କରାଯାଇଛି ତାହା କେବଳ ଆଇନରେ ସୀମିତ ନ ରହି ସାମାଜିକ, ଅର୍ଥନୈତିକ ଓ ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟରେ ପରିଣତ ହେବା ଦରକାର ବୋଲି ଏହି କର୍ମଶାଳାରେ ମତପ୍ରକାଶ ପାଇଛି। ଭାରତ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ଯଥା SSEPD ଡିପାର୍ଟମେଣ୍ଟ ଅଧୀନରେ ସ୍ୱୀକୃତି ଯୋଜନା, ଗାରିମା ଗୃହ ମାଧ୍ୟମରେ ସୀମିତ ସମୟ ପାଇଁ ବାସସ୍ଥାନର ବ୍ୟବସ୍ଥା, ଧନ୍ଦାମୂଳକ ତାଲିମ ଆଦିର ବ୍ୟବସ୍ଥା ରହିଛି। ମାତ୍ର ଏହି ସବୁ ବ୍ୟବସ୍ଥାର ସୁବିନିଯୋଗ ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ଜଣେ ବ୍ୟକ୍ତି ସମ୍ମାନର ସହ ଓ ନିଜର ଉଚିତ ପରିଚୟ ସହ ବଂଚିବାର ଅଧିକାର ପାଇପାରିବ। ସେଥିପାଇଁ ପରିବାର ସ୍ତରରୁ ସଚେତନତା ସହ ଟ୍ରାନ୍ସଜେନ୍ଡର ପିଲାଟିକୁ ପିତାମାତା ତାର ପରିଚୟ ସହ ଆଗକୁ ବଢିବା ଓ ପାଠ ପଢିବାରେ ସମ୍ପୂର୍ଣ୍ନ ସୁଯୋଗ ଯୋଗାଇଦେବା ଦରକାର। ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶେଷ ସୁବିଧା ସୁଯୋଗ ସୃଷ୍ଟି କରିବା ସହ ସେମାନଙ୍କର ଯୋଗଦାନକୁ ସୁନିଶ୍ଚିତ କରିବାରେ ସାମାଜିକ ବ୍ୟବସ୍ଥା ବାଧା ସୃଷ୍ଟି ନ କରିବା ପାଇଁ କର୍ମଶାଳାରେ ନିବେଦନ କରାଯାଇଛି।
