ଭଦ୍ରକରେ ସୂଚନା ଅଧିକାର ଆଇନ-୨୦୦୫ ଉପରେ ଏକଦିନିଆ କର୍ମଶାଳା
ଭଦ୍ରକ, ତା ୧୭/୦୩: ଭଦ୍ରକ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗଙ୍କ ଅନୁକୂଲ୍ୟରେ ଆଜି ସୂଚନା ଅଧିକାର ଆଇନ (RTI)-୨୦୦୫ ଉପରେ ଜିଲ୍ଲାର ସମସ୍ତ FAO, PIO ଓ APIOମାନଙ୍କ ପାଇଁ ଏକ ଏକଦିନିଆ କର୍ମଶାଳା ଆୟୋଜିତ ହୋଇଥିଲା। ଉକ୍ତ କର୍ମଶାଳାକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରବି ନାରାୟଣ ସାହୁ, ଉପ-ଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ, ଡେପୁଟି କଲେକ୍ଟର ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାର୍ତ୍ତିକ ନାଥ ମଣ୍ଡଳ ଏବଂ RTI ରିସୋର୍ସ ପର୍ସନ୍ ଶ୍ରୀ ରଶ୍ମି ରଞ୍ଜନ ରାଉତ ଦ୍ୱୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ RTI ନିୟମ ମାଧ୍ୟମରେ ସରକାରୀ କାର୍ଯ୍ୟକଳାପରେ ପ୍ରତିଦାୟିତ୍ୱ ଓ ପାରଦର୍ଶିତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଉପ-ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଶ୍ୱପତି ପଣ୍ଡା ସମସ୍ତ ବିଭାଗର ଅଧିକାରୀମାନଙ୍କୁ RTI ଆଇନର ସଠିକ୍ ପ୍ରୟୋଗ ନେଇ ସଜାଗ ରହିବାକୁ ଗୁରୁତ୍ୱ ଆରୋପ କରିଥିଲେ।

ସମସ୍ତ ଅଧିକାରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ଭଦ୍ରକ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ବିଭାଗ ମୁଖ୍ୟ ଶ୍ରୀ ଅଭୟ କୁମାର ଦାସ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର PIO ଶ୍ରୀ ଭୀମକାନ୍ତ ମାଝି କହିଥିଲେ ଯେ RTI ଆଇନ ମାଧ୍ୟମରେ ସାଧାରଣ ଲୋକମାନେ ସହଜରେ ନିଜ ଅଧିକାର ସମ୍ବନ୍ଧୀୟ ସୂଚନା ପାଇପାରୁଛନ୍ତି।ଭୁବନେଶ୍ୱର RTI କାର୍ଯ୍ୟାଳୟରୁ ଆସିଥିବା RTI ରିସୋର୍ସ ପର୍ସନ୍ ଶ୍ରୀ ରଶ୍ମି ରଞ୍ଜନ ରାଉତ ସମସ୍ତ ଅଧିକାରୀମାନଙ୍କୁ ସୂଚନା ଅଧିକାର ଆଇନ-୨୦୦୫ ବିଷୟରେ ବିସ୍ତୃତ ଅବଗତ କରାଇଥିଲେ।ଏହି କର୍ମଶାଳାରେ ସୂଚନା ଅଧିକାର ଆଇନର ବିଭିନ୍ନ ପ୍ରସଙ୍ଗିକ ଦିଗ, ଏହାର ପ୍ରୟୋଗ ପ୍ରଣାଳୀ ଓ ସାଧାରଣ ଲୋକଙ୍କ ପାଇଁ ଏହାର ଗୁରୁତ୍ୱ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।ସୂଚନାଯୋଗ୍ୟ ଯେ ସୂଚନା ଅଧିକାର ଆଇନ ଉପରେ ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ଆୟୋଜିତ କଲେଜ ସ୍ତରୀୟ ବକୃତା ପ୍ରତିଯୋଗିତାରେ ସଫଳ ହୋଇଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
