ଆମ ପିତାମାତା ଚଳନ୍ତି ଦେବତା

        ଆମ ପିତାମାତା ଚଳନ୍ତି ଦେବତା

   🖊️କବିରତ୍ନ ନୂତନ କୁମାର ବେହେରା

ସାରା ସଂସାରରେ ଶ୍ରେଷ୍ଠ ଜନ୍ମଦାତା
             ଆମ ପିତାମାତା ଚଳନ୍ତି ଦେବତା,
ତାଙ୍କ ଲାଗି ପାଉ ଯେତେ ସଫଳତା
        ସେମାନେ ତ ଆମର ଭାଗ୍ୟ ବିଧାତା।
ମାତା କୋଳେ ଜନ୍ମି ଆସିଛୁ ଦୁନିଆଁ
              ଜୀବନ ହସଇ ପାଇ ତାର ଛୁଆଁ,
ଅସହାୟେ କରୁଥିଲୁ କୁଆଁ କୁଆଁ
      କ୍ଷୀର ଦାନେ ତାର ପାଇଲୁ ଆମେ ନାଁ।
ପିତାର ରକତେ ପରିଚୟ ଆମ
           ସେ ତପ ଧର୍ମ ସ୍ବର୍ଗ ସେ ହିଁ ପରମ,
ଆମର ଲାଗି କରି ସେ ପରିଶ୍ରମ
             ଦିଅନ୍ତି ଆମକୁ ବିଶେଷ ଆରାମ।
ପିତାମାତାଙ୍କର ସେବା ଯତ୍ନ ପାଇ
      ଠିଆ ହେଉ ଆମେ ମଣିଷଟେ ହୋଇ,
ନିଅନ୍ତି ଆଗେଇ ସୁପଥ ଦେଖାଇ
        କରାନ୍ତି ସାମର୍ଥ୍ୟ ଶିକ୍ଷା ଦୀକ୍ଷା ଦେଇ।
ଆମ ଲାଗି ସଦା କରୁଥାନ୍ତି ଚିନ୍ତା
           ପିତାମାତା ଆମର ଭାଗ୍ୟ ନିୟନ୍ତା,
ସୁଖ ଶାନ୍ତି ହୁଅଇ ହାତ ପାହାନ୍ତା
            ଆମକୁ କରାନ୍ତି ଯେ ଜଗତଜିତା।
ଆମ ପାଇଁ ଦୁହେଁ ଜଗି ଦିନରାତି
              ଆମକୁ ଗଢ଼ନ୍ତି କରି ମେହନତି,
ସହିଥାନ୍ତି ଯେତେ ଦୁଃଖ ମୁଣ୍ଡ ପାତି
           ଧୈର୍ଯ୍ୟ ଧରନ୍ତି ପଥର କରି ଛାତି।
ପିତାମାତାଙ୍କର ତ୍ୟାଗ ଯେ ଅଶେଷ
            ଫୁଟାଇବାକୁ ଆମ ମୁହଁରେ ହସ,
ତାଙ୍କ ପାଇଁ ହୁଏ ଆମର ବିକାଶ,
           ତାଙ୍କ ପାଇଁ ହୁଏ ଆମର ପ୍ରକାଶ।
ସେ ପିତାମାତାଙ୍କୁ ପୂଜି ଆମେ ନିତ୍ୟ
            ପାଳିବା ଜୀବନର ପ୍ରକୃତ ସତ୍ୟ,
ଦାୟିତ୍ଵ କର୍ତ୍ତବ୍ୟରେ ଦେଇ ଗୁରୁତ୍ଵ
          ରଖିବା ଆମେ ତ ତାଙ୍କର ମହତ୍ତ୍ଵ।
ତାଙ୍କର ଆଶିଷ ବିପଦରୁ ତାରେ
     ସେମାନେ ହିଁ ଶ୍ରେଷ୍ଠ ସାରା ଜଗତରେ,
ତାଙ୍କ ପ୍ରତି ଥିଲେ ଭକ୍ତି ହୃଦୟରେ
         ସନ୍ତାନ ରୁହଇ ଶାନ୍ତି ସନ୍ତୋଷରେ।
ଆମ ପିତାମାତା ଚଳନ୍ତି ଦେବତା
          ମାନିଲେ ତାଙ୍କୁ ମିଳଇ ସାର୍ଥକତା,
ତାଙ୍କର ସେବା ହିଁ ଆମ ସଫଳତା
           ଜୀବନ ସାଧନର ମହନୀୟତା।
          
  ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *