ରାଜ୍ୟର ୧୮ଟି ଜିଲ୍ଲାରେ ଧାନ ସଂଗ୍ରହ ଜାରି ଚାଷୀଙ୍କ ଆକାଉଣ୍ଟକୁ ଗଲାଣି ପ୍ରାୟ ୨୫୬୬ କୋଟି

ଭୁବନେଶ୍ୱର- ତା.୦୧.୦୧.୨୦୨୬ରାଜ୍ୟରେ ଚଳିତ ଖରିଫ୍‌ ଋତୁରେ ସରକାରୀ ସ୍ତରରେ ଧାନସଂଗ୍ରହ ଜାରି ରହିଛି । ପଞ୍ଜିକୃତ ଚାଷୀମାନେ ସେମାନଙ୍କ ମଣ୍ଡିକୁ ଆସି ନିଜର ଧାନ ବିକ୍ରୟ ଚାଲୁ ରଖିଛନ୍ତି । ସେମାନଙ୍କ ସୁବିଧା ନିମନ୍ତେ ସମସ୍ତ ମଣ୍ଡିରେ ଅସ୍ଥାୟୀ ଆଶ୍ରୟସ୍ଥଳ, ପାନୀୟ ଜଳ, ସିସିଟିଭି ମୁତୟନ ଭଳି ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ମଣ୍ଡିରେ ଅଧିକାରୀମାନେ ନିୟୋଜିତ ରହି ଧାନକିଣା ଉପରେ ନଜର ରଖୁଛନ୍ତି । କୌଣସି ମଧ୍ୟସ୍ଥି କଥାକୁ ବିଶ୍ୱାସ ନ କରି କେବଳ ସରକାରୀ ସ୍ତରରେ ଧାନ ବିକ୍ରୟ କରିବା ଏବଂ କେବଳ ସରକାରଙ୍କ ନିର୍ଦ୍ଦେଶନାମାକୁ ଅନୁସରଣ କରିବାକୁ ଚାଷୀ ମାନଙ୍କୁ ପରାମର୍ଶ ଦିଆଯାଇଛି । ଧାନ ବିକ୍ରୟ ସଂକ୍ରାନ୍ତୀୟ କୌଣସି ଅଭିଯୋଗ ଥିଲେ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଚାଷୀ ମାନେ ଅଭିଯୋଗ କରିପାରିବା ସହ ସେମାନଙ୍କ ଅଭିଯୋଗ ଗୁଡିକର ତ୍ୱରିତ ଶୁଣାଣି କରାଯାଉଛି । ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୮ଟି ଜିଲ୍ଲା ଯଥା-ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପଞ୍ଜିକୃତ ଚାଷୀମାନଙ୍କଠାରୁ ଧାନସଂଗ୍ରହ ଜାରି ରହିଛି । ଅଦ୍ୟାବଧି ଏହିସବୁ ଜିଲ୍ଲାର ୨,୪୯,୮୮୮ ଜଣ ଚାଷୀଙ୍କଠାରୁ ୧୧ ଲକ୍ଷ ୧୦ ହଜାର ୬୦୨ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାଯାଇ ସାରିଲାଣି । ଏଥି ସହ ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ୧୯୬୧ କୋଟି ଟଙ୍କା ଏବଂ ଇନ୍‌ପୁଟ ସହାୟତା ବାବଦକୁ ୬୦୫ କୋଟି ଟଙ୍କା ଭାବେ ପ୍ରାୟ ୨୫୬୬ କୋଟି ଟଙ୍କା ଚାଷୀମାନଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଛି ।ଏହି ଅର୍ଥରାଶି ସେମାନଙ୍କ ଆକାଉଣ୍ଟକୁ ଧାନ ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରାଯାଉଛି ।

Leave a Reply

Your email address will not be published. Required fields are marked *