ପଦ୍ମଶ୍ରୀ ପ୍ରଫେସର ଶଙ୍କର କୁମାର ପାଲ IIIT ଭୁବନେଶ୍ୱରରେ ‘ପ୍ରାଇମ ମିନିଷ୍ଟର ପ୍ରଫେସର’ ଭାବେ ଯୋଗଦେଲେ

ଭୁବନେଶ୍ୱର: ଆନ୍ତର୍ଜାତୀୟ ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ, ଭୁବନେଶ୍ୱରରେ (IIIT Bhubaneswar) ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ଶଙ୍କର କୁମାର ପାଲ ‘ପ୍ରାଇମ ମିନିଷ୍ଟର ପ୍ରଫେସର’ (Prime Minister Professor) ଭାବେ ଯୋଗ ଦେଇଛନ୍ତି । ଭାରତ ସରକାରଙ୍କ ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ (ANRF) ର ଏହି ପ୍ରତିଷ୍ଠିତ ଜାତୀୟ କାର୍ଯ୍ୟକ୍ରମ ଅଧୀନରେ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି ।ପ୍ରାଇମ ମିନିଷ୍ଟର ପ୍ରଫେସରସିପ୍ ହେଉଛି ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପ୍ରମୁଖ ପଦକ୍ଷେପ, ଯାହାର ଲକ୍ଷ୍ୟ ଉଦୀୟମାନ ଅନୁସନ୍ଧାନ କ୍ଷମତା ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଶିଷ୍ଟ ବୈଜ୍ଞାନିକ ଓ ବିଦ୍ୱାନ ମାନଙ୍କୁ ନିଯୁକ୍ତ କରି ଭାରତର ଗବେଷଣା ବ୍ୟବସ୍ଥାକୁ ସୁଦୃଢ଼ କରିବା । ଏହି କାର୍ଯ୍ୟକ୍ରମ ନିରନ୍ତର ମାର୍ଗଦର୍ଶନ ଏବଂ ପ୍ରଭାବଶାଳୀ ଗବେଷଣା ଉପରେ ଗୁରୁତ୍ୱ ଦେଇଥାଏ, ଯାହା ଦେଶର ଅନୁସନ୍ଧାନ କ୍ଷେତ୍ରରେ ଥିବା ଶୂନ୍ୟତାକୁ ପୂରଣ କରିବାରେ ସାହାଯ୍ୟ କରିବ ।ପ୍ରଫେସର ପାଲ ଜଣେ ବିଶ୍ୱ ପ୍ରସିଦ୍ଧ କମ୍ପ୍ୟୁଟର ବୈଜ୍ଞାନିକ । ସେ କଲିକତା ବିଶ୍ୱବିଦ୍ୟାଳୟ ଏବଂ ଲଣ୍ଡନର ଇମ୍ପେରିଆଲ କଲେଜରୁ ଦୁଇଟି ପିଏଚ୍.ଡି ଡିଗ୍ରୀ ହାସଲ କରିଛନ୍ତି । ସେ ଭାରତୀୟ ପରିସଂଖ୍ୟାନର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ଏବଂ ବର୍ତ୍ତମାନ ଏହାର ସଭାପତି ଅଛନ୍ତି । ତାଙ୍କ ନାମରେ ୫୦୦ ରୁ ଅଧିକ ଗବେଷଣା ପତ୍ର, ୨୧ଟି ବହି ଏବଂ ଦୁଇଟି ଆମେରିକୀୟ ପେଟେଣ୍ଟ ରହିଛି । ସେ ପଦ୍ମଶ୍ରୀ, ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ଏବଂ ନ୍ୟାସନାଲ ସାଇନ୍ସ ଚେୟାର ସମ୍ମାନରେ ସମ୍ମାନିତ । ସେ ମେସିନ୍ ଇଣ୍ଟେଲିଜେନ୍ସ, ଫଜି ଲଜିକ୍, ସଫ୍ଟ କମ୍ପ୍ୟୁଟିଂ, ପ୍ୟାଟର୍ନ ଚିହ୍ନଟ, ଏବଂ ହାଇବ୍ରିଡ୍ ଇଣ୍ଟେଲିଜେଣ୍ଟ ସିଷ୍ଟମ୍ ଭଳି କ୍ଷେତ୍ରରେ ଅଗ୍ରଗାମୀ କାର୍ଯ୍ୟ କରିଛନ୍ତି ।ପ୍ରଫେସର ପାଲ IIIT ଭୁବନେଶ୍ୱରରେ ଅନୁସନ୍ଧାନର ମାନ ବୃଦ୍ଧି କରିବା ସହ ଅତ୍ୟାଧୁନିକ ପଦ୍ଧତିଗୁଡ଼ିକୁ ଏକାଡେମିକ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ନେତୃତ୍ୱ ନେବେ । ତାଙ୍କର ଉପସ୍ଥିତି କେବଳ IIIT ଭୁବନେଶ୍ୱର ନୁହେଁ, ବରଂ ଓଡ଼ିଶାକୁ ଏକ ବିଜ୍ଞାନ ଏବଂ ନବସୃଜନର ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିତୋଳିବାରେ ସହାୟକ ହେବ ।

Leave a Reply

Your email address will not be published. Required fields are marked *