ପାହାଡ଼ି କନ୍ୟା

             ପାହାଡ଼ି କନ୍ୟା

  ✍🏼କବିରତ୍ନ ନୂତନ କୁମାର ବେହେରା

ଜାଣିଛ କି ତାକୁ …
ନ ଜାଣିଛ ଯଦି ଜାଣିବାକୁ ଚେଷ୍ଟା କର
ସେ ଏକ ପାହାଡ଼ି କନ୍ୟା
ଲକ୍ଷ୍ୟର ପଥେ କରେ ଅନୁଧାବନ
ସଂକଳ୍ପବଦ୍ଧ ହୋଇ ଲଢ଼େ ଜୀବନ ସଂଗ୍ରାମ
ଆଶା ରଖି ବଳବତ୍ତର କରୁଥାଏ ଉଦ୍ୟମ
ଦୁର୍ବାର ଗତିରେ ଲଙ୍ଘିଯାଏ
ଦନ୍ତୁରିତ କଠିନ ଶିଳା ବନ୍ଧୁର ବହୁ ପଥ
କେବେ କ୍ଳାନ୍ତିରେ ହୁଏ ନାହିଁ ସେ ଉଦାସୀନା
ପ୍ରବଳ ଇଚ୍ଛାଶକ୍ତି ମନୋବଳରେ
ନିଜର ସମ୍ଭ୍ରମତା ରଖି କରେ ଦ୍ରୁତ ଅଭିଯାନ
ପାହାଡ଼ ଶୀର୍ଷରୁ ଏକ ଲମ୍ଫରେ
ଯେମିତି ଧାଇଁ ଥାଏ ଏକ ପାହାଡ଼ି ଝରଣା
ତଦ୍ରୁପ ସେ ମାନେନା କିଛି ବାଧା ବନ୍ଧନ
ଉଚିତରେ କରି ଚାଲେ ଯଥାର୍ଥ
ସତ୍ୟର ବିଜୟ ବାନା ଉଡ଼ାଇ ଚାଲେ
ସାଗର ସାନ୍ନିଧ୍ୟରେ ରହେ ଅନୁରକ୍ତା
ଅନୁସାଶନରେ ବନ୍ଧା ହୋଇ ରଖେ ସମତା
ପାଇଛ କି ତାର ପ୍ରକୃତ ପରିଚୟ
ସ୍ନେହ ମମତାରେ ଭରା ତା’ କୋମଳ ହୃଦୟ
ପାହାଡ଼ ପରି ସେ ସ୍ଥିର ପ୍ରାଜ୍ଞୀ
ଲକ୍ଷ୍ୟରୁ ହଟେ ନାହିଁ କି ଭାଙ୍ଗେ ନାହିଁ
ମନ ତାର ବଜ୍ର ପରି ସୁଦୃଢ଼ ସେ ତେଜସ୍ଵିନୀ
ଘାତ ପ୍ରତିଘାତର ଯନ୍ତ୍ରଣା ସହି ସବୁ
ରହିଥାଏ ସମସ୍ୟାର ସାମ୍ନାରେ ମୁଣ୍ଡ ଟେକି
ତେଣୁ ସେ ପାହାଡ଼ି କନ୍ୟା
ନେଇ ଆସେ ଯେବେ ବିପ୍ଳବର ବନ୍ୟା
ଅନାବଶ୍ୟକକୁ ତା’ ସୁଅରେ ନିଏ ଭସାଇ
ଅବାଞ୍ଛିତ କାମନାକୁ ରଖେ ବୁଡ଼ାଇ
ପ୍ଳାବିତ କରେ ଦୁଇ କୂଳକୁ ପଟୁ ମାଟିରେ
ଆମନ୍ତ୍ରଣ କରେ ସବୁଜ ସୁନ୍ଦର ସମ୍ଭାବନାକୁ
ସେ ମା’ ବସୁଧା ପରି ସର୍ବଂସହା
ଅଗ୍ରଗତିର ପ୍ରଗତିରେ ହୁଏ ଅଗ୍ରଗଣ୍ୟା
ଅଖଣ୍ଡ ଭରସା ବିଶ୍ବାସର ପ୍ରେରଣା ଦାୟିନୀ
ପ୍ରତୀକ୍ଷାର ସହିତ ଧରେ ଅସୀମ ଧୈର୍ଯ୍ୟ
ସୃଷ୍ଟିର ସ୍ଥିତି ସୁରକ୍ଷାରେ ଅନନ୍ୟା
ସେ ଯେ ପାହାଡ଼ି କନ୍ୟା….।

     କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *