ଶ୍ରୀଜଗନ୍ନାଥ ଭକ୍ତ ସମାଜ ତରଫରୁ ଶ୍ରୀମନ୍ଦିରରେ ‘ପଞ୍ଚକ ବ୍ରତ’ ଆଲୋଚ଼ନା ଚ଼କ୍ର।
ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ପୁରୀ ତରଫରୁ ପୁରୀ ହାବେଳୀ ଗଳି ସ୍ଥିତ ଅନୁଷ୍ଠାନର କାର୍ଯ୍ୟାଳୟ ଠାରେ ଶ୍ରୀମନ୍ଦିରରେ ପଞ୍ଚକ ବ୍ରତ ଓ ମହାପ୍ରଭୁଙ୍କ ବେଶ ତଥା ଦେବୋତ୍ଥାପନ ଏକାଦଶୀ ସଂପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଶଙ୍କର୍ଷଣ ମଙ୍ଗରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ବୀର ଅନନ୍ତ ପଣ୍ଡା ଯୋଗ ଦେଇ କରୁଣାମୟ ମହାପ୍ରଭୁଙ୍କର କାର୍ତ୍ତିକ ବ୍ରତ ଓ ଏକାଦଶୀ ସବୁଠାରୁ ଅଧିକ ପ୍ରିୟ ବୋଲି କହିବା ସହ ଯେଉଁମାନେ କାର୍ତ୍ତିକ ହବିଷ୍ୟ କରି ନ ପାରନ୍ତି ସେମାନେ ପଞ୍ଚକ ବ୍ରତକୁ ନିଷ୍ଠାର ସହିତ ପାଳନ କଲେ କାର୍ତ୍ତିକ ବ୍ରତର ଫଳ ପ୍ରାପ୍ତ ହୁଅନ୍ତି ବୋଲି କହିଥିଲେ । ବିଶିଷ୍ଟ ଅତିଥିଭାବେ ଡ. ବଳରାମ ଦାଶ୍ ଯୋଗ ଦେଇ ପଞ୍ଚକକୁ ଭୀଷ୍ମ ପଞ୍ଚକ ତଥା ବକ ପଞ୍ଚକ କହିବାର ତାତ୍ପର୍ଯ୍ୟକୁ ଉଦ୍ଘାଟନ କରିଥିଲେ। । ମୁଖ୍ୟବକ୍ତା ଭାବେ ଡ. ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇ ପଞ୍ଚକରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ପାଞ୍ଚଟି ବେଶ ଯଥା – ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ, ଦ୍ଵାଦଶୀରେ ବାଙ୍କଚୂଡା ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମଦବେଶ ବା ଆଡ଼କିଆ ବେଶ, ଚତୁର୍ଦ୍ଦଶୀ ଦିନ ଲକ୍ଷ୍ମୀ ନୃସିଂହ ବେଶ ବା ଡାଳିକିଆ ବେଶ ଓ ପୂର୍ଣ୍ଣିିମା ଦିନ ରାଜରାଜେଶ୍ଵର ବା ସୁନା ବେଶରେ ଦର୍ଶନ ଦେଇଥାଆନ୍ତି । ଏହି ଦିବ୍ୟ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ସାଯୁର୍ଯ୍ୟ ମୁକ୍ତି ମିଳିଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ । ସଂପାଦକ ଡ଼. ଶଶିକାନ୍ତ ରଥ ସଭା ପରିଚାଳନା କରିଥିଲେ । ଶୁଶ୍ରୀ ପୁଷ୍ପିତା ପଟ୍ଟନାୟକ, ଶ୍ରୀ କାର୍ତ୍ତିକ ସାହୁ ଡ. ସ୍ନେହଲତା ମହାପାତ୍ର, ଶ୍ରୀ ଶିବ ପ୍ରସାଦ ସ୍ୱାଇଁ, ଶ୍ରୀ ସୁଦର୍ଶନ ବାରିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l
