ପଞ୍ଚାମୃତ
     ( ରାଗ — ପୋଇ )
                
🖊️ କବିରତ୍ନ ନୂତନ କୁମାର ବେହେରା

ଜଗତେ ମାନବ’ ରଖି ତା ସ୍ଵଭାବ’
             ବାଛି ଖାଇଥାଏ’ ବହୁ ଖାଦ୍ୟ’,
ଜୀବନ ଧାରଣେ’ କ୍ଷୁଧା ନିବାରଣେ’
           ଭୁଞ୍ଜେ ଯେତେ ସବୁ ସଦ୍ୟ’।୧।
ହୁଏ ଯହିଁ ପ୍ରୀତ’ କହେ ତା’ ଅମୃତ
              ଆୟୁ ବୃଦ୍ଧି ସଙ୍ଗେ ପାଏ ବଳ,
ସାତ୍ତ୍ୱିକ ସେ ଭୋଗ ରଖଇ ନୀରୋଗ
            ସାଧନାର ହୁଏ ପୁଣ୍ୟଫଳ।୨।
ଅରପି ପ୍ରଥମେ ଇଷ୍ଟଙ୍କୁ ପ୍ରଣମେ
             ପଞ୍ଚାମୃତ ଭାବି ଭୁଞ୍ଜେ ନିତି,
ଦେବେ ହେଲେ ତୁଷ୍ଟ କଟିଥାଏ ରିଷ୍ଟ
        ସତ୍ କର୍ମରେ ସେ କଲେ ସ୍ତୁତି।୩।
ପୂଜାର ଅର୍ପିତେ ସେଇ ପଞ୍ଚାମୃତେ
               ଦିଅଁ ଦେବୀ କରି ଥାନ୍ତି ସ୍ନାନ,          
ଦୁଧ ଦହି ଘିଅ ମହୁ ଗୁଡ଼ ପ୍ରିୟ
            ଏ ପାଞ୍ଚ ଦ୍ରବ୍ୟର ମହା ଗୁଣ।୪।
ଜାଗ ଯଜ୍ଞ ହୋମ ଆଦି ଶୁଭ କର୍ମ
                   ପଞ୍ଚାମୃତ ବିନା ଅସଂପୂର୍ଣ୍ଣ,
ଭକ୍ତି ସମର୍ପଣେ ପଞ୍ଚାମୃତ ପାନେ
              ଶ୍ରଦ୍ଧାଳୁ ଭକତ ହୁଏ ଧନ୍ୟ।୫।
ଗୋ ମାତାର କ୍ଷୀର ମର୍ତ୍ତ୍ୟରେ ଯେ ସାର
                  ସବୁରି ପାଇଁ ତ ଦରକାରୀ,
ତହିଁରୁ ହୁଅଇ ଦହି ଘିଅ ଆଦି
         ଶୁଭ ଲାଭ କର୍ମେ ଯେ ଜରୁରୀ।୬।
ଫୁଲ ରସେ ମହୁ ଉପକାରେ ବହୁ
                  ବିଶୁଦ୍ଧ ପବିତ୍ର କରେ ତାହା,
ବହୁ ଔଷଧିର ହୁଏ ଉପଚାର
             ଜୀବନର ଲାଗି ହୁଏ ସାହା।୭।
ଆଖୁ ରସେ ଗୁଡ଼ ସିଦ୍ଧେ ହୁଏ ଗାଢ଼
                 ଲାଗଇ ମଧୁର ସ୍ବାଦେ ପ୍ରିୟ,
ଗୁଡ଼ ଚିନି ବିନା ମିଷ୍ଟାନ୍ନ ହୁଏନା
           ମିଶେ ଯହିଁ ହୁଏ ତା’ ଅମିୟ।୮।
ଏ ପାଞ୍ଚ ଅମୃତ ମିଶି ପଞ୍ଚାମୃତ
            ଭୋଗରେ ବିଶେଷ ତାର ସ୍ଥାନ,
ଅଳପେ ଅଳପେ ପ୍ରସାଦର ମାପେ
             ଖାଇବାକୁ ହୁଏ ରଖି ଧ୍ୟାନ।୯।
ଗୁଣରେ ସାତ୍ତ୍ୱିକ ଖାଦ୍ୟର ପ୍ରତୀକ
                 ଜନ ଜୀବନର କରେ ହିତ,
ବିଚାରି ମନରେ ଖାଇଲେ ବିଧିରେ
       ସବୁ ଖାଦ୍ୟ ହୁଏ ଯେ ଅମୃତ।୧୦।
ଅମୃତ’ର ସମ ମଣି ଅନୁପମ
            କ୍ଷୁଧାତୁରେ ପ୍ରାଣୀ ଭୁଞ୍ଜେ ଅନ୍ନ,
ସର୍ବକାଳେ ତାହା ଜୀବନର ସାହା
        ତାର ବିନା ପ୍ରାଣ ହୁଏ ଶୂନ୍ୟ।୧୧।
ତାତ୍ତ୍ଵିକ ଅର୍ଥରେ ପାଞ୍ଚ’ଙ୍କ କଥାରେ
              ସତ୍ୟର ସିଦ୍ଧାନ୍ତ ଦିଏ ନ୍ୟାୟ,
ରହି ଧର୍ମ ମାର୍ଗେ ଜୀବ ଯାଏ ସ୍ଵର୍ଗେ
       ପଞ୍ଚାମୃତ ପାନେ ହୁଏ ଜୟ।୧୨।

  କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *