ପଞ୍ଚାୟତ ନିର୍ବାଚନ ପାଇଁ ଗଣିଆରେବିଜେଡି ଦଳ ଚଳଚଞ୍ଚଳ
ପଞ୍ଚାୟତ ନିର୍ବାଚନ ପାଇଁ ଗଣିଆରେ
ବିଜେଡି ଦଳ ଚଳଚଞ୍ଚଳ
ଗଣିଆ – ସାଙ୍ଗଠନିକ ପଦପଦବୀର ପୁନରୁଦ୍ଧାର ପରେ ଗଣିଆ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ସ୍ଥାନୀୟ ମଙ୍ଗଲମ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକର ଆୟୋଜନ କରାଯାଇଥିଲା । ଗଣିଆ ବ୍ଳକ ବିଜୁ ଜନତା ଦଳ ସଭାପତି ସଦାଶିବ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳ ନୟାଗଡ ଜିଲ୍ଲା ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ଉପାଧ୍ୟକ୍ଷ ରାଜକିଶୋର ସାହୁ,ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମହେଶ୍ୱର ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ । ବାଲେଶ୍ୱର ପୀଡ଼ିତା ସୈମ୍ୟାଶ୍ରୀ ବିଶିଙ୍କ ପାଇଁ ୧ ମିନିଟ ନିରବ ପ୍ରାର୍ଥନା କରାଯାଇ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ବ୍ଳକ ବିଜୁ ଜନତା ଦଳ ତରଫରୁ ନୟାଗଡ଼ ଜିଲ୍ଲା ସଭାପତି ବିଧାୟକ ଶ୍ରୀ ବେହେରା ଏବଂ ବ୍ଳକ ସଭାପତି ଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ୮ଟି ପଞ୍ଚାୟତରୁ ବିଜୁ ଜନତା ଦଳର ଶତାଧିକ ଆଗଧାଡିର କର୍ମୀ ଏହି ବୈଠକରେ ଅଂଶ ଗ୍ରହଣ କରିଥିଲେ । ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ମାନଙ୍କୁ ବିଜୟ ଲାଭ କରିବାକୁ ସମସ୍ତେ ଚେଷ୍ଟା କରିବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବିରୋଧୀ ଦଳ ହିସାବରେ ଜନସାଧାରଣଙ୍କ ସୁଖ ଦୁଃଖରେ ସାମିଲ ହୋଇ ସରକାରଙ୍କ ବିଫଳତାକୁ ପଦାରେ ପକାଇବାକୁ ଚେଷ୍ଟା କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ । ଆଜି ବହୁ ସଂଖ୍ୟାରେ ଯୋଗ ଦେଇ ଥିବାରୁ ବିଧାୟକ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ନିଜ ନିଜ ଭିତରେ ଥିବା ମତାନ୍ତରକୁ ଭୁଲି ପୁଣି ଥରେ ସମସ୍ତେ ଏକାଠି ହୋଇ କାମ କରିବା ଆବଶ୍ୟକ ବୋଲି ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶ୍ରୀ ସ୍ବାଇଁ ଅନୁରୋଧ କରିଥିଲେ । ଗୋଟିଏ ବର୍ଷ ଭିତରେ ଏ ସରକାର ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ବେଳେ ନାରୀ ନିର୍ଯ୍ୟାତନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଗାମୀ ଦିନରେ ଏ ସରକାରକୁ ଗାଦିଚ୍ୟୁତ କରିବାକୁ ହେଲେ ଗାଁ ଗାଁରେ ଲୋକମାନଙ୍କୁ ସଚେତନ କରିବା ଆବଶ୍ୟକ ବୋଲି ଜିଲ୍ଲା ପରିଷଦ ଶ୍ରୀ ବେହେରା ମତ ଦେଇଥିଲେ । ଆମ ଭିତରେ ସମନ୍ବୟର ଅଭାବ ଥିବାରୁ ଆମେ ପଛରେ ପଡିଯାଇଛେ ବୋଲି ପୂର୍ବତନ ଜିଲ୍ଲାପରିଷଦ ମତ ଦେଇଥିଲେ । ବୁଥ୍ ସ୍ତରୀୟ କମିଟି ଗଠନ କରିବାକୁ ସେ ପରାମର୍ଶ ଦେଇଥିଲେ । ସଭାରେ ଉପସ୍ଥିତ କର୍ମୀ ମାନେ ନିଜ ନିଜର ପଞ୍ଚାୟତ ସମ୍ପର୍କରେ ଥିବା ଦୂରାବସ୍ଥା ବିଷୟରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନେକ ଅସନ୍ତୁଷ୍ଟ କର୍ମୀ ବୈଠକକୁ ଆସି ନଥିବାରୁ ସେମାନଙ୍କୁ ବୁଝାସୁଝା କରି ପୁଣିଥରେ ଦଳକୁ ଫେରାଇ ଆଣିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା । ଦଳର ସାଙ୍ଗଠନିକ ଦାୟିତ୍ବ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁଙ୍କୁ ପ୍ରଦାନ କରିବାକୁ କର୍ମୀମାନେ ଏକତ୍ରିତ ହୋଇ ସଭାରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମସ୍ତଙ୍କ ସହଯୋଗରେ ଦଳ ପୁଣିଥରେ ନିଜର ସଫଳତା ବଜାୟ ରଖି ପାରିବ ବୋଲି ଅନେକ କର୍ମୀ ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପୂର୍ବତନ କିଶୋର ପ୍ରସାଦ ସରପଞ୍ଚ ପ୍ରଫୁଲ୍ଲ କୁମାର ବେହେରା, ପୂର୍ବତନ ଗଣିଆ ସରପଞ୍ଚ ବ୍ରଜମୋହନ ମିଶ୍ର, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ବେହେରା,ଦଣ୍ଡଧର ଦାସ,ଅଜୟ କୁମାର ଲେଙ୍କା,ପ୍ରଶନ୍ନ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
