ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟିର ଦାବୀ ଆଧାରରେ ବ୍ରହ୍ମପୁରରେ ପୋଲିସ କମିଶନରେଟ୍ ବ୍ୟବସ୍ଥା
ବ୍ରହ୍ମପୁର — ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଗତ ତା ୧୦/୨/୨୦୨୬ ରିଖରେ ବ୍ରହ୍ମପୁରରେ ଅବସ୍ଥିତ ଦକ୍ଷିଣାଞ୍ଚଳ ରାଜ୍ଵସ୍ଵ ଡିଭିଜନ କମିଶନର ସଂଗ୍ରାମ କେଶରୀ ମହାପାତ୍ର, ଆଇଏଏସ ଙ୍କୁ ସାକ୍ଷାତ କରି ବ୍ରହ୍ମପୁରରେ କମିଶନରେଟ୍ ପୋଲିସ ବ୍ୟବସ୍ଥା ଲାଗୁ ତଥା ଶୀତଳାପଲ୍ଲୀ ଠାରେ ବନ୍ଦେ ଭାରତ କୋଚ କାରଖାନା,ବ୍ରହ୍ମପୁର – ରେଢ଼ାଖୋଲ ଭାୟା ଭଞ୍ଜନଗର ଟ୍ରେନ ଲାଇନ ନିର୍ମାଣ ଓ ପୁରାତନ ବ୍ରହ୍ମପୁର ଷ୍ଟେସନର ଆଧୁନିକୀକରଣ ଓ ଭିତ୍ତିଭୂମି ବିକାଶ ସମ୍ବଳିତ ଦାବୀ ପତ୍ର ମୁଖ୍ୟ ଶାସନ ସଚିବଙ୍କ ଉଦ୍ଧେଶ୍ଵରେ ଦିଆଯାଇଥିଲା । ତାହାଙ୍କୁ ଆଧାର କରି ଗତ ତା ୧୧/୩/୨୦୨୬ ଆରଡିସି ସଂଗ୍ରାମ କେଶରୀ ମହାପାତ୍ର ବ୍ରହ୍ମପୁରରେ କମିଶନରେଟ୍ ପୋଲିସ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନିମନ୍ତେ କ୍ରିୟାନୁଷ୍ଠାନ କମିଟି ତରଫରୁ ଯେଉଁ ଦାବୀ ରଖାଯାଇଛି ତାହାକୁ ବିଚାରକୁ ନେବାକୁ ସୁପାରିଶ କରିଛନ୍ତି। ଏ ବାବଦରେ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ପୂର୍ବରୁ କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଉଲ୍ଲେଖ କରିବା ସହ ସେ ସମ୍ପର୍କିତ ନଥି ପତ୍ର ସଲଂଗ୍ନ କରିଛନ୍ତି। ସେହିଭଳି ରେଲୱେ ବିକାଶ ନେଇ ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଥିବା ବିଭିନ୍ନ ଦାବୀ ଉପରେ ନିଜର ଦୃଷ୍ଟିଭଙ୍ଗୀ ରଖି ମାନନୀୟ ଦକ୍ଷିଣାଞ୍ଚଳ ରାଜ୍ଵସ୍ବ ଆୟୁକ୍ତ କହିଛନ୍ତି ଯେ ଶିତଳାପଲ୍ଲୀ ଠାରେ ବନ୍ଦେ ଭାରତ କୋଚ କାରଖାନା ନିର୍ମାଣର ଯେଉଁ ଦାବୀ ହେଉଛି ତାହାର ଯଥାର୍ଥତା ରହିଛି। ଏହି କାରଖାନା ସ୍ଥାପନ ନିମନ୍ତେ ଶିତଳାପଲ୍ଲୀ ଗମନା ଗମନ, ପ୍ତମୁଖ ରେଳ ଓ ପରିବହନ ଭିତ୍ତିଭୂମି ଦୃଷ୍ଟିରୁ ଏକ ଉପଯୁକ୍ତ ସ୍ଥାନ ଏଵଂ ସେଠାରେ ଉପଯୁକ୍ତ ଜମି ଉପଲବ୍ଧ ହୋଇ ପାରିବ । ଅଧିକନ୍ତୁ ଏହି କାରଖାନା ନିର୍ମାଣ ହେଲେ ଅନେକ ପ୍ରତ୍ୟକ୍ଷ ଓ ପରୋକ୍ଷ ଯଥେଷ୍ଟ ସୁଯୋଗ, କର୍ମନିଯୁକ୍ତି ସୃଷ୍ଟି ସହ ଏହାକୁ ଆଧାର କରି ଅନେକ ବୃହତ୍ ନିର୍ମାଣ ଶିଳ୍ପର ସୁବିଧା ପ୍ରତିଷ୍ଠାର ସାମଗ୍ରିକ ସମ୍ଭାବନାକୁ ସମର୍ଥନ କରେ।ସେହିପରି ବ୍ରହ୍ମପୁର ଷ୍ଟେସନର ପୁନଃନିର୍ମାଣ, ଆଧୁନିକ କରଣ ଓ ଭିତ୍ତିଭୂମି ବିକାଶ ଉପରେ କମିଟି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଗ୍ରହଣ କରି ସେ ମତ ରଖି କହି ଯେ ବ୍ରହ୍ମପୁରର ଅଧୁନା ବିଦ୍ୟମାନ ଭିତ୍ତିଭୂମି ବର୍ଦ୍ଧିତ ଯାତ୍ରୀ ଯାତାୟତ ଏଵଂ ଅଞ୍ଚଳର ବର୍ଦ୍ଧିତ ବାଣିଜ୍ୟକ ଗୁରୁତ୍ତ୍ଵକୁ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ। ଭିତ୍ତିଭୂମିଗତ ସୁବିଧା, ଭିଡ଼, ପରିମଳ ସମସ୍ୟା ଏଵଂ ଆଧୁନିକ ସୁବିଧାର ଅଭାବକୁ ସମାଧାନ କରିବା ପାଇଁ ଏହାକୁ ପୁନଃନିର୍ମାଣ କରିବା ଆବଶ୍ୟକ ରହିଥିବା ନେଇ ସୁପାରିଶ କରିଛନ୍ତି।ସେହିପରି କମିଟି ଦ୍ୱାରା ଗୋପାଳପୁର ରେଢ଼ାଖୋଲ ରେଳ ଲାଇନ ନିର୍ମାଣ ଦାବୀ ପତ୍ର ଉପରେ ମତ ରଖି ସେ କହିଛନ୍ତି ଯେ ପ୍ରସ୍ତାବିତ ଗୋପାଳପୁର – ରେଢ଼ାଖୋଲ ରେଳ ଲାଇନ ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମ ଜିଲ୍ଲା ମଧ୍ୟରେ ସଂଯୋଗ ସ୍ଥାପନ ପାଇଁ ଅତ୍ୟାବଶ୍ୟକ । ଏହି ପ୍ରକଳ୍ପ ମାଲ ଓ ଯାତ୍ରୀ ପରିବହନକୁ ଦ୍ରୁତ ଓ ସହଜ କରିବ। ଆହୁରି ମଧ୍ଯ ଶିଳ୍ପ କରିଡ଼ର ପ୍ରତିଷ୍ଠାକୁ ସହାୟତା କରିବା ସହ ଏହି ମାର୍ଗରେ ଆସୁଥିବା ପଛୁଆ ଅଞ୍ଚଳ ଗୁଡ଼ିକୁ ଆର୍ଥିକ ଅଭିବୃଦ୍ଧି ଓ ଉନ୍ନତି ପ୍ରଦାନ କରିବ ବୋଲି ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି। ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ବ୍ରହ୍ମପୁରର ଅଭିବୃଦ୍ଧି, ବିକାଶ ଓ ଉନ୍ନତି ନିମନ୍ତେ ଦକ୍ଷିଣାଞ୍ଚଳ ଆରଡିସିଙ୍କ ନିକଟରେ ରଖାଯାଇଥିବା ପ୍ରସ୍ତାବ ଓ ଦାବୀର ଗୁରୁତ୍ତ୍ଵ, ପ୍ରାଧାନ୍ୟ ଓ ଆବଶ୍ୟକତାକୁ ହୃଦୟଙ୍ଗମ କରି ମାନନୀୟ ଆରଡିସି ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ମହୋଦୟ ଯେଉଁ ଅନୁକୂଳ, ସହାୟକ ତଥା ସକାରାତ୍ମକ ଓ ଆସ୍ତିବାଚକ ସମ୍ବଳିତ ମତ ଓ ସୁପାରିଶ ଭିତ୍ତିକ ପତ୍ର ସରକାର ତଥା ମୂଖ୍ୟ ଶାସନ ସଚିବଙ୍କ ଉଦ୍ଧେଶ୍ୱରେ ଲେଖିଛନ୍ତି ତାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ, ପ୍ରଶଂସନୀୟ ଏଵଂ ଉଚ୍ଚକୋଟୀର ପଦକ୍ଷେପ। କମିଟି ତାହାକୁ ସ୍ବାଗତ କରିବା ସହ ବ୍ରହ୍ମପୁରର ବିକାଶ ନେଇ ତାଙ୍କର ଆନ୍ତରିକତା ଓ ପ୍ରତିବଦ୍ଧତା ନିମନ୍ତେ ତାଙ୍କୁ ଏଥି ନିମନ୍ତେ ସାଧୁବାଦ ଜଣାଉଛି। ଆରଡିସିଙ୍କ ଏହି ପତ୍ର ନେଇ କମିଟି ଖୁବ୍ ଶୀଘ୍ର ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରି ପରବର୍ତ୍ତୀ ପଦକ୍ଷେପ ନେବା ନିମନ୍ତେ ଆଲୋଚନା କରିବ। ଏହା ଉପରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ପ୍ରେରଣ କରିବ। ପୋଲିସ କମିସନରେଟ ବ୍ୟବସ୍ଥାର କାର୍ଯ୍ୟକାରିତା ରାଜ୍ୟ ସରକାରଙ୍କ ଅଧୀନ ହେଇଥିବାରୁ ଖୁବ୍ ଶୀଘ୍ର ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଏହା ଉପରେ ପଦକ୍ଷେପ ନେବେ। ରେଲୱେ ସମ୍ବନ୍ଧୀୟ ଦାବୀଗୁଡିକ ମୁଖ୍ୟମନ୍ତ୍ରୀ ରେଳ ବିଭାଗକୁ ପଠେଇଲା ପରେ କମିଟି ରେଳ ମନ୍ତ୍ରୀ ଙ୍କୁ ସାକ୍ଷାତ କରିବ ବୋଲି କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ କହିଛନ୍ତି। ସଞ୍ଜୀବ କୁମାର ପଟ୍ଟନାୟକ, ସଭାପତି, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି, ବ୍ରହ୍ମପୁର।
