ଗୋପ ଅଞ୍ଚଳର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଭାର୍ଥୀଙ୍କୁ ବାଲି ଯୋଗାଣ ପାଇଁ ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ସକାରାତ୍ମକ ପଦକ୍ଷେପ
ଗୋପ, ୬ ଫେବୃଆରୀ:ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ବ୍ଲକର କୁସାପୁର ଗ୍ରାମ ନିକଟସ୍ଥ କୁଶଭଦ୍ରା ନଦୀପଠାରେ ପ୍ରାକୃତିକ ଭାବେ ସଞ୍ଚିତ ବାଲିକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଭାର୍ଥୀଙ୍କ ଘର ନିର୍ମାଣରେ ବ୍ୟବହାର କରିବା ସମ୍ପର୍କିତ ଆବେଦନ ଉପରେ ରାଜ୍ୟ ସରକାର ସଂଜ୍ଞାନ ନେଇଛନ୍ତି।ଏହି ସମ୍ପର୍କରେ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ଚିଠି ମାଧ୍ୟମରେ ଡାଇରେକ୍ଟର, ମାଇନର ମିନରାଲ୍ସ, ଓଡ଼ିଶାଙ୍କୁ ଉକ୍ତ ମାମଲାର ତଦନ୍ତ କରି ନିୟମାନୁସାରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।ଉଲ୍ଲେଖନୀୟ ଯେ, ବିଜେପି କୃଷକ ମୋର୍ଚ୍ଚା, ଓଡ଼ିଶାର ରାଜ୍ୟ ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ (ଲୁଲୁ) ରାଜ୍ୟ ସରକାରଙ୍କୁ ଦେଇଥିବା ପ୍ରସ୍ତାବରେ ଉଲ୍ଲେଖ କରିଥିଲେ ଯେ, ରେକର୍ଡ ଅନୁଯାୟୀ ଖାତା ନମ୍ବର–୬୬୬ ଅଧୀନରେ ପ୍ରାୟ ୫.୬୬ ହେକ୍ଟର ଜମି ଓ ଏହା ସଂଲଗ୍ନ କୁଶଭଦ୍ରା ନଦୀପଠାରେ ବହୁ ପରିମାଣରେ ବାଲି ପ୍ରାକୃତିକ ଭାବେ ସଞ୍ଚିତ ହୋଇ ରହିଛି। ପୋର୍ଟାଲ୍ ଅନୁଯାୟୀ ଉକ୍ତ ଜମି ଅରଣ୍ୟ ଭୂମି ନୁହେଁ ବୋଲି ସ୍ପଷ୍ଟ ହୋଇଛି।ପ୍ରଶାନ୍ତ ସ୍ୱାଇଁ କହିଥିଲେ ଯେ, ଦୀର୍ଘ ସମୟ ଧରି ଏହି ବାଲି ଅବ୍ୟବହୃତ ରହିଲେ ନଦୀର ସ୍ୱାଭାବିକ ପ୍ରବାହ ବାଧାପ୍ରାପ୍ତ ହେବା ସହ ପରିବେଶଜନିତ ସନ୍ତୁଳନ ଉପରେ କୁପ୍ରଭାବ ପଡ଼ିପାରେ। ତେଣୁ ସରକାରୀ ନିୟମାବଳୀ, ପରିବେଶ ସୁରକ୍ଷା ଓ କଠୋର ନିରୀକ୍ଷଣ ଅଧୀନରେ ଏହି ବାଲିକୁ ଲାଭାର୍ଥୀଙ୍କୁ ଯୋଗାଇଦିଆଯାଇପାରିବ।ରାଜ୍ୟ ସରକାରଙ୍କ ସକାରାତ୍ମକ ପ୍ରତିକ୍ରିୟାକୁ ସ୍ୱାଗତ କରି ପ୍ରଶାନ୍ତ ସ୍ୱାଇଁ କହିଛନ୍ତି, “ଏହା ଗରିବ ଓ ଯୋଗ୍ୟ ପରିବାରମାନଙ୍କ ପାଇଁ ଏକ ବଡ଼ ସହାୟକ ପଦକ୍ଷେପ ହେବ। ଏଥିସହ ଅବୈଧ ବାଲି ଉତ୍ତୋଳନ ଉପରେ ନିୟନ୍ତ୍ରଣ ଆସିବ ଓ ନଦୀ ପରିଚାଳନା ବୈଜ୍ଞାନିକ ଭିତ୍ତିରେ ସମ୍ଭବ ହେବ।”ସରକାରୀ ସ୍ତରରେ ତଦନ୍ତ ଓ ସାଇଟ୍ ଇନ୍ସପେକ୍ସନ୍ ପରେ ଶୀଘ୍ର ଏହି ମାମଲାରେ ନିଷ୍ପତ୍ତି ନିଆଯିବ ବୋଲି ଆଶା ପ୍ରକାଶ ପାଇଛି। ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ‘ସମସ୍ତଙ୍କ ପାଇଁ ଘର’ ଯୋଜନାର ଲକ୍ଷ୍ୟ ପୂରଣରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ଟୋନ୍ ହେବ ବୋଲି ସ୍ଥାନୀୟ ଲୋକମାନେ ଆଶା କରୁଛନ୍ତି।
