ପ୍ରାରବ୍ଧ
ପ୍ରାରବ୍ଧ
ରଞ୍ଜୁଲତା ପାଢୀ
ମର୍ତ୍ତ୍ୟମଣ୍ଡଳରେ ଦେହ ଧରି ଜୀବ
ପ୍ରାରବ୍ଧକୁ ଭୋଗିଥାଇ
ପୂର୍ବ ଜନ୍ମ କୃତ ଫଳେ ସେହୁ ଧନୀ
ଅବା ଗରିବ ହୁଅଇ।
ଶାସ୍ତ୍ରରେ କଥିତ ପୂର୍ବଜନ୍ମକୃତ
କର୍ମ ଯାଚିଦିଏ ଫଳ
ଜରାବ୍ୟାଧିଗ୍ରସ୍ତ ଅବା ରହେ ସୁସ୍ଥ
ଜନ୍ମ ଜାତକଟି ମୂଳ।
ପ୍ରାରବ୍ଧର ଧର୍ମ କର୍ମ ଅନୁଯାୟୀ
ଜନ୍ମେ କେ ରାଜଉଆସେ
ଭିକ୍ଷାବୃତ୍ତିକରି କାହାଦିନ ସରେ
ଅବା କେ ସଢେ ଉପାସେ।
ଉଚ୍ଚପଦବୀରେ ଅଳଂକୃତ ବ୍ୟକ୍ତି
କେବେ ହୋଇଯାଏ ଦୁଃଖି
ଅନ୍ୟାୟ ଦୁଷ୍କର୍ମେ ରତ ରହି କେହୁ
ଆପଣାକୁ ମଣେ ସୁଖୀ।
ଅଳ୍ପ ବୟସରେ ଆୟୁଷ କା ସରେ
ଅପମୃତ୍ୟ କା ଭାଗ୍ୟରେ
ଦୀର୍ଘ ଜୀବନରେ କା ଆୟୁଷ ଲେଖା
ସଢେ କେ ରୋଗ ଶଯ୍ୟାରେ ।
କେହୁ ପ୍ରାରବ୍ଧର ବଳେ ବଳିୟାନ
ଶାନ୍ତି ଲଭେ ଅଳପରେ
ଧନର ପ୍ରାଚୁର୍ଯ୍ୟ ମଧ୍ୟେ ରହି କେହି
ଅଶାନ୍ତିରେ ଦିନ ସରେ।
ପ୍ରାରବ୍ଧ ସୁକୃତେ ଯଶସ୍ୱୀ କେ ହୋଇ
ସଂସାରେ ହୁଅଇ ଧନ୍ୟ
କେ ଦୁଷ୍କୃତ ବଳେ ଫାସିଖୁଣ୍ଟେ ଚଢେ
ହୋଇ କେତେ ହୀନିମାନ।
ବେଳ ଥାଉ ଥାଉ ଈଶ୍ୱର ସ୍ମରଣେ
ମନନେ କାଟିଲେ ଦିନ
ପ୍ରାରବ୍ଧର ପାପ ଅବସାନ ହୁଏ
ସୁଖେ ବିତିଯାଏ ଦିନ।
ସୁଖ ଅବା ଦୁଃଖ ଭୁଞ୍ଜିଥାଇ ପ୍ରାଣୀ
ପ୍ରାରବ୍ଧର କର୍ମବଳେ
ସତପଥରେ ଧ୍ୟାନ ଦେଇ ଚଳୁଥିଲେ
ବିପଦ ଲଙ୍ଘିବ ହେଳେ।।
ରାଉରକେଲା,ସୁନ୍ଦରଗଡ।
