ପ୍ରଭୁ ! ତୋ ଦରଶନେ ହୁଏ ମୁଁ ମୁଗ୍ଧ
ପ୍ରଭୁ ! ତୋ ଦରଶନେ ହୁଏ ମୁଁ ମୁଗ୍ଧ
( ରାଗ — ଚକ୍ରକେଳି )
🖊️କବିରତ୍ନ ନୂତନ କୁମାର ବେହେରା
ଦେଖି ରଥଯାତ୍ରା ହୁଅଇ ବୋଧ,
ଜଗତେ ଶ୍ରେଷ୍ଠ ତୁ ନୀଳମାଧବ।
ତୋର ଆଶିଷେ ମନ ହୁଏ ଶୁଦ୍ଧ,
ଆତ୍ମା ହୁଏ ମୁକ୍ତ ପାଇ ସାନ୍ନିଧ୍ୟ।
ପ୍ରଭୁ ତୋ’ଠୁ ସବୁ ହୁଅଇ ଲବ୍ଧ,
ତୁ ଚାହିଁଲେ ହୁଏ ସହଜ ସାଧ୍ୟ।
ତୋ ପାଶେ ଯିବାକୁ ସଦା ଅବାଧ,
ଧାଇଁ ଯାଏ କରି ମୁଁ ମନ ବୋଧ।
ଖଣ୍ଡନ କରିବୁ ମୋର ପ୍ରାରବ୍ଧ,
ତୋର ଦରଶନେ ହୁଏ ମୁଁ ମୁଗ୍ଧ।
ରୂପ ଗୁଣ ଜ୍ଞାନେ ତୁ ରେ ସୁବୋଧ,
ସାରା ଜଗତର ତୁ ବର୍ଣ୍ଣବୋଧ।
ସଦୟ ହୋଇ ତୁ କର ପ୍ରବୋଧ,
ତୋ ଆଜ୍ଞା ପାଳନେ ହେବି ମୁଁ ବାଧ୍ୟ।
ଆଶିଷ ତୋହର କରାଏ ସିଦ୍ଧ,
ଜୀବନକୁ ମୋର କର ସମୃଦ୍ଧ।
କାଳିଆରେ ଭବେ ହୁଏ ମୁଁ ସ୍ତବ୍ଧ,
ଜୀବନ ଜଞ୍ଜାଳ କରଇ ଦଗ୍ଧ।
ମିଛ ମାୟା ମୋହେ ହୁଅଇ ରୁଦ୍ଧ,
ମୋ ଭିତର ଦୁର୍ଗୁଣ କର ବଧ।
ମନ ମୋର ହେଉ ପବିତ୍ର ଶୁଦ୍ଧ,
ତୋର ଦରଶନେ ହେବି ମୁଁ ମୁଗ୍ଧ।
କାମନା ବାସନା କରାଏ ଅନ୍ଧ,
କରି ପାରେନା ମୁଁ ତା’ ପ୍ରତିରୋଧ।
ଦେ ଶକତି ମୋତେ କରିବି ଯୁଦ୍ଧ,
ଜୟ ଲାଭ କରି ହେବି ଉଦ୍ବୁଦ୍ଧ।
ତୁଚ୍ଛ ଆଶା ମୋର ହେବ ରେ ରଦ୍ଧ,
ସୁଗୁଣରେ ମୁହିଁ ଦେବି ସୁଗନ୍ଧ।
ତୁ ସକଳ ଶାସ୍ତ୍ରେ ସୁସିଦ୍ଧ ବୁଦ୍ଧ,
ଅଧର୍ମ ନୀତିକୁ କର ନିଷିଦ୍ଧ।
ତୋତେ ଭକତି ମୁଁ କରେ ଅଗାଧ,
ତୁ ମୋର ଜୀବନ ତୁ ହିଁ ଆରାଧ୍ୟ।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
