ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିଥିଲା ପ୍ରଗତି ମଞ୍ଚ

ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିଥିଲା ପ୍ରଗତି ମଞ୍ଚ lପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ପରେ ଦୁଇ ଦଶନ୍ଧିରୁ ବିଳମ୍ବିତ ରେଳ ପ୍ରକଳ୍ପ ଦୁଇ ବର୍ଷ ମଧ୍ୟରେ ହେଲା ସମ୍ପୂର୍ଣ୍ଣଏବେ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ ଚଳାଚଳ ସହିତ ସ୍ଥାନୀୟ ଅଞ୍ଚଳର ବିକାଶକୁ ଆଗେଇ ନେଉଛି ଏହି ରେଳ କରିଡର ନୂଆଦିଲ୍ଲୀ, 9 ଜାନୁଆରୀପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଗତି ମଞ୍ଚ ଦେଶର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରିବାରେ କିଭଳି ପ୍ରମୁଖ ଭୂମିକା ଗ୍ରହଣ କରିଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ହରିଦାସପୁର-ପାରାଦୀପ ନୂତନ ରେଳ ଲାଇନ ପ୍ରକଳ୍ପ। ଓଡ଼ିଶାର ଖଣି ସମୃଦ୍ଧ ଅଞ୍ଚଳକୁ ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଗଭୀର ଜଳ ବନ୍ଦରକୁ ଯୋଡ଼ୁଥିବା 85 କିମି ଲମ୍ବ ଏହି ରେଳ ପ୍ରକଳ୍ପକୁ 1 ଜାନୁଆରୀ 1997ରେ ମଞ୍ଜୁର କରାଯାଇଥିଲା। ସ୍ପଷ୍ଟ ରଣନୀତିକ ଯଥାର୍ଥତା ଏବଂ ବୈଷୟିକ ପ୍ରସ୍ତୁତି ସତ୍ତ୍ୱେ, ପ୍ରକଳ୍ପ କାର୍ଯ୍ୟକାରିତାରେ ବିଳମ୍ବ ହୋଇଥିଲା। ଜମି ଅଧିଗ୍ରହଣ ବିଳମ୍ବ, ଆର୍ଥିକ ସମସ୍ୟା ଏବଂ ଲାଇସେନ୍ସ ଓ ଅନୁମୋଦନରେ ବିଳମ୍ବ ଭଳି କାରଣରୁ ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନଥିଲା ଏବଂ ଏହାର ଖର୍ଚ୍ଚ ମଧ୍ୟ ବଢ଼ି ବଢ଼ି ଚାଲିଥିଲା।29 ଅଗଷ୍ଟ 2018ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଗତି ବୈଠକରେ ଏହି ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ବିଶେଷ କରି ଜମି ଅଧିଗ୍ରହଣ ଏବଂ ସାମଗ୍ରିକ ପ୍ରକଳ୍ପ କାର୍ଯ୍ୟକାରିତାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ଏହାପରେ ରେଳ ଲାଇନ ନିର୍ମାଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିଲା। ବନ୍ଦର-ଭିତ୍ତିକ ଲଜିଷ୍ଟିକ୍ସ ଏବଂ ମାଲ ପରିବହନ ପାଇଁ ପ୍ରକଳ୍ପର ଜାତୀୟ ଗୁରୁତ୍ୱକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଜମି ଅଧିଗ୍ରହଣ ଓ ବୈଧାନିକ ମଞ୍ଜୁରି ପ୍ରକ୍ରିୟା ଶେଷ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ଏବଂ ଏଥିପାଇଁ ମିଶନ ମୋଡରେ କାମ କରିବାକୁ କହିଥିଲେ। 39ଟି ଗ୍ରାମର ଜମି ଅଧିଗ୍ରହଣ ଏକ ସମସ୍ୟା ଥିଲା। ତେବେ ପ୍ରଗତି ବୈଠକରେ ସମୀକ୍ଷା ପରେ ଯାଜପୁର ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିଥିଲା ଏବଂ ପ୍ରଭାବିତ ଜମି ମାଲିକଙ୍କ ସହ ସିଧାସଳଖ କଥାବାର୍ତ୍ତା କରାଯାଇ କ୍ଷତିପୂରଣ ବ୍ୟବସ୍ଥା କରାଯାଇଥିଲା। ଓଡ଼ିଶାର ମୁଖ୍ୟ ଶାସନ ସଚିବ ନିୟମିତ ସମୀକ୍ଷା ବୈଠକ କରିବା ପରେ ନିର୍ଦ୍ଧାରିତ ସମୟରେ ସବୁ ପ୍ରକ୍ରିୟା ଶେଷ ହୋଇଥିଲା। ରେଳ କର୍ତ୍ତୃପକ୍ଷ ଜମି ଏବଂ ମଞ୍ଜୁରି ମିଳିବା ପରେ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। 28 ଡିସେମ୍ବର 2018 ସୁଦ୍ଧା 18ଟି ଗ୍ରାମରେ ଜମି କ୍ଷତିପୂରଣ ପ୍ରଦାନ କରାଯିବା ସହିତ 15ଟି ଗ୍ରାମର ଜମି ଅଧିକାର ରେଳ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା। ଜାନୁଆରୀ 2019 ସୁଦ୍ଧା ଅବଶିଷ୍ଟ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପନ୍ନ ହେଲା। ପ୍ରଗତିର ହସ୍ତକ୍ଷେପ ପରେ ଆନ୍ତଃବିଭାଗୀୟ ସମନ୍ୱୟ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲା। ଥରେ ପ୍ରଗତି ବୈଠକରେ ଆଲୋଚନା ହେବା ପରେ ପ୍ରକଳ୍ପ ଅନୁଧ୍ୟାନ ଗୋଷ୍ଠୀ (ପିଏମଜି)ର ତିନୋଟି ସମୀକ୍ଷା ବୈଠକରେ ଏହି ପ୍ରକଳ୍ପ କାର୍ଯ୍ୟକୁ ତୁରନ୍ତ ସାରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ମଧ୍ୟ ଚାରିଟି ବୈଠକରେ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ନିରନ୍ତର ସମୀକ୍ଷା ଓ ତଦାରଖ ଏହି ରେଳ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଳମ୍ବିତ ହୋଇ ପଡ଼ି ରହିଥିବା ହରିଦାସପୁର-ପାରାଦୀପ ରେଳ କରିଡର ଶେଷରେ ଜୀବନ୍ୟାସ ପାଇଥିଲା। 31 ଜୁଲାଇ 2020ରେ ଅର୍ଥାତ୍‌ ପ୍ରଗତି ବୈଠକରେ ସମୀକ୍ଷା ହେବାର ମାତ୍ର ଦୁଇ ବର୍ଷ ମଧ୍ୟରେ ପ୍ରକଳ୍ପକୁ ଲୋକାର୍ପଣ କରାଯାଇଥିଲା। ପ୍ରଥମ ଯାତ୍ରୀବାହୀ ଟ୍ରେନ୍ ଶେଷରେ 2024 ମାର୍ଚ୍ଚରେ ଶୁଭାରମ୍ଭ ହେବା ପରେ ଏହା ଜନସାଧାରଣଙ୍କ ବହୁଦିନର ସ୍ୱପ୍ନକୁ ସାକାର କରିଥିଲା। ଗୋଟିଏ ଭିତ୍ତିଭୂମି ପ୍ରକଳ୍ପ କିଭଳି ସମ୍ପୂର୍ଣ୍ଣ ଅଞ୍ଚଳରେ ପରିବର୍ତ୍ତନ ଆଣିଥାଏ, ହରିଦାସପୁର-ପାରାଦୀପ ରେଳ ଲାଇନ ବର୍ତ୍ତମାନ ତାହାର ଏକ ଉଦାହରଣ ପାଲଟିଛି । 82 କିଲୋମିଟର ଲମ୍ବା ଏହି ରେଳ ଲାଇନ ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଯାଇଛି। ଏହା ପାରାଦୀପ ବନ୍ଦରକୁ ଦୂରତା ପ୍ରାୟ 40 କିଲୋମିଟର ପର୍ଯ୍ୟନ୍ତ ହ୍ରାସ କରିଛି। ବନ୍ଦରକୁ ସୁଗମ ଯୋଗାଯୋଗ ପ୍ରଦାନ କରିବା ସହିତ ମାଲ ପରିବହନ ଦକ୍ଷତାରେ 25-30% ସୁଧାର ଆଣିଛି। ଦୈନିକ 20-25ଟି ଅତିରିକ୍ତ ମାଲ ବାହୀ ଟ୍ରେନ ଏହି ମାର୍ଗରେ ଏବେ ଚଳାଚଳ କରିପାରୁଛି। ଏହି ରେଳ ଲାଇନରେ ଦୁଇଟି ବଡ଼ ନଦୀ ଲୁଣା ଏବଂ ମହାନଦୀ ଉପରେ ସେତୁ ନିର୍ମାଣ କରାଯିବା ସହିତ ଜଟିଳ ଉପକୂଳ ଅଞ୍ଚଳରେ ଯୋଗାଯୋଗରେ ସୁଧାର ପାଇଁ ମୋଟ୍‌ 201ଟି ଛୋଟ ବଡ଼ ସେତୁ ନିର୍ମାଣ କରାଯାଇଛି । ଆର୍ଥିକ ଦୃଷ୍ଟିରୁ, ଏହି ପ୍ରକଳ୍ପ ପ୍ରତି ଟନ୍‌ କାର୍ଗୋ ପରିବହନ ପିଛା 300ରୁ 400 ଟଙ୍କା ହ୍ରାସ କରିଛି । ଏହା ପୁରୁଣା ମାର୍ଗରେ ଭିଡ଼ ହ୍ରାସ କରିଛି, ବନ୍ଦର ଯୋଗେ ମାଲ ପରିବହନ କ୍ଷମତାକୁ ସୁଦୃଢ଼ କରିଛି ଏବଂ ଦେଶ ପାଇଁ ଏକ ଉନ୍ନତ ତଥା ଫଳପ୍ରଦ ସାମୁଦ୍ରିକ ପ୍ରବେଶ ପଥ ରୂପେ ପାରାଦୀପର ସ୍ଥିତିକୁ ସୁଦୃଢ଼ କରିଛି ।ସାମାଜିକ ଦୃଷ୍ଟିରୁ, ଏହି କରିଡର କେନ୍ଦ୍ରୀୟ ଏବଂ ଉପକୂଳ ଓଡ଼ିଶାରେ ନିର୍ଭରଯୋଗ୍ୟ ରେଳ ସଂଯୋଗକୁ ବିସ୍ତାର କରିଛି । ନୂତନ ପାସେଞ୍ଜର ଏବଂ ମେମୁ ଟ୍ରେନ ସେବା ଆରମ୍ଭ କରି ଲକ୍ଷ ଲକ୍ଷ ଲୋକଙ୍କୁ ଉପକୃତ କରିଛି। ଏହା ଦ୍ୱାରା ଦୈନିକ ବହୁସଂଖ୍ୟକ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ବ୍ୟବସାୟୀ ଯାତାୟାତ କରିପାରୁଛନ୍ତି । ଏହି ରେଳ ଲାଇନ ବାତ୍ୟା ପ୍ରବଣ ଅଞ୍ଚଳରେ ବିପର୍ଯ୍ୟୟ ମୁକାବିଲା ଏବଂ ଯୋଗାଣ-ଶୃଙ୍ଖଳା ସ୍ଥିରତାରେ ମଧ୍ୟ ଉନ୍ନତି ଆଣିଛି। ପରିବେଶଗତ ଭାବରେ ଦେଖିଲେ, ମାଲ ପରିବହନକୁ ସଡ଼କରୁ ରେଳକୁ ଯଥେଷ୍ଟ ପରିମାଣ ସ୍ଥାନାନ୍ତର କରି ଏହି ପ୍ରକଳ୍ପ ପ୍ରତି ଟନ୍-କିଲୋମିଟରରେ ପ୍ରଦୂଷଣ ହ୍ରାସ ଲାଗି ମାର୍ଗ ପ୍ରଶସ୍ତ କରିଛି। ହରିଦାସପୁର ପାରାଦୀପ ରେଳ କରିଡର କେବଳ ଏକ ମାଲବାହୀ ରେଳ ମାର୍ଗ ନୁହେଁ ବରଂ ସନ୍ତୁଳିତ ଆଞ୍ଚଳିକ ବିକାଶ ଆଣିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି ।

Leave a Reply

Your email address will not be published. Required fields are marked *