ଆୟୁଷ୍ମାନ କାର୍ଡ ବଣ୍ଟନ ଲାଗି ବ୍ଲକ ଓ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି

ପୁରୀ ଜିଲ୍ଲା ର ୫୧ ଟି ସ୍ବାସ୍ଥ୍ୟ କେନ୍ଦ୍ର ଓ ଅନ୍ୟ ହସପିଟାଲରେ ବଣ୍ଟନ ହେବ କାର୍ଡପୁରୀ ୧୦/୪ ବହୁ ପ୍ରତୀକ୍ଷା ର ହୋଇଛି ଅନ୍ତ। ଯୋଡି ହେବାକୁ ଯାଉଛି ସ୍ବାସ୍ଥ୍ୟ ସେବାରେ ନୂତନ ଅଧ୍ୟାୟ। ଆଜି ଆୟୁଷ୍ମାନ ଭାରତ ସହିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ହେବାକୁ ଯାଉଛି ଶୁଭାରମ୍ଭ। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ପର୍ବ ଆରମ୍ଭ ହେବାକୁ ଯାଉଛି। ଆସନ୍ତା କାଲି ଓଡିଶା ରେ ଆୟୁଷ୍ମାନ ଭାରତ ସହିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ମିଳିତ ଭାବେ କଟକରେ ଶୁଭାରମ୍ଭ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ଏହି କାର୍ଯ୍ୟକ୍ରମ ରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟାନ୍ୟ ମନ୍ତ୍ରୀ ମାନେ ଉପସ୍ଥିତ ରହିବେ।ଟାଉନ ହଲ ଠାରେ ପୁରୀ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେବେ। ଏହାର ଶୁଭାରମ୍ଭ ହେବା ଫଳରେ ରାଜ୍ୟ ବାସୀ ଓଡିଶା ସହ ଦେଶବ୍ୟାପୀ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ଯଦି କୌଣସି କାରଣ ରୁ ନୂତନ କାର୍ଡରେ ସମସ୍ୟା ଉପୁଜେ ତେବେ ଆଧାର ଦେଇ ଦେଶର ଯେକୌଣସି ଅନୁବନ୍ଧିତ ମେଡ଼ିକାଲ ରେ ସ୍ବାସ୍ଥ୍ୟ ସୁବିଧା ପାଇ ପାରିବେ ବୋଲି ସରକାର ଘୋଷଣା କରିବା ପରେ ଏବେ ରାଜ୍ୟ ସମେତ ଜିଲ୍ଲାର ହିତାଧିକାରୀଙ୍କ ଭିତରେ ବେଶ ଉତ୍ସାହ ପରିଲକ୍ଷିତ ହେଉଛି। ପୂର୍ବରୁ ପରିବାର ପିଛା ଗୋଟିଏ କାର୍ଡ ମିଳୁଥିବା ବେଳେ ଏବେ ଉଭୟ ଯୋଜନାର କୋଗ୍ରାଣ୍ଟିଂ କରି ହିତାଧିକାରୀ ଙ୍କୁ ଗୋଟିଏ ଲେଖାଏଁ କାର୍ଡ ପ୍ରଦାନ କରାଯିବ। ଏହି କାର୍ଡରେ ପୁରୁଷ ହିତାଧିକାରୀଙ୍କୁ ୫ ଲକ୍ଷ ଓ ମହିଳା ହିତାଧିକାରୀ ଙ୍କୁ ୧୦ ଲକ୍ଷ ଲେଖାଏଁ ଚିକିତ୍ସା ଖର୍ଚ୍ଚ ମିଳିବ। ପରିବାର ରେ ୭୦ ବର୍ଷ ରୁ ଉର୍ଦ୍ଧ୍ବ ହିତାଧିକାରୀ ଥିଲେ ଆୟୁଷ୍ମାନ ବୟୋବନ୍ଦନ ଯୋଜନାରେ ସାମିଲ କରାଯାଇ ପରିବାର ପ୍ରତି ସର୍ବାଧିକ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଜଣାଯାଇଛି। କେୱ୍ବାଇସି ଅପଡେଟ କରି ନୂତନ କାର୍ଡ ନ ପାଇବା ଯାଏଁ ଆଧାର କାର୍ଡ ପ୍ରଦର୍ଶନ କରି ଚିକିତ୍ସା ସୁବିଧା ପାଇପାରିବେ।ଆସନ୍ତା କାଲି ଏହାର ଶୁଭାରମ୍ଭ ଥିବାରୁ ପୁରୀ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ୪୬ଗୋଟି ପିଏଚସି ଓ ଅନ୍ୟ ହସପିଟାଲ ଏବଂ ୫ଟି ସହରାଞ୍ଚଳ ହସପିଟାଲ ଏହି ଭଳି ମୋଟ ୫୧ଗୋଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଏହି କାର୍ଡ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଙ୍କ ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *